ପୃଷ୍ଠା:Kathalahari (RN Das, 1927) opt.pdf/୧୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଉତ୍କଳ କାହାଣୀ ସଂଗ୍ରହ

ପୋଖରୀ ଖୋଳା ଲାଗିଥାଏ, ଏହିପରି ଭାରୀ କାରଖାନା ଲାଗିଚି ତାର। ଏ ସାଧବ ଘର ବରାବରି ମାଗି ଖାଇଗଲାପରି ଗଲେ ପେଟକୁ ଦାନା ଅଣ୍ଟିଲା ନାହିଁ, ଗାଣ୍ଡିକି କନା ମିଳିଲା ନାହିଁ। ଶୁଣି ପାଇଲେ କୋଉ ଦେଶରୁ ଜଣେ ନୂଆ ରଜା ଆସିଚି ଯେ ପୋଖରୀ ଖୋଳାଉଚି, କୂଅ ଖୋଳାଉଛି, ସବୁ ଦାନ ଧର୍ମ କରୁଚି। ଏମାନେ କହିଲେ ଆମର ଚାଲ ମାଟି ବୋହିବା ଯେ ମୂଲ ଆଣି ପେଟ ପୋଷିବା। ଛଅ ବୋହୂଯାକ, ଶାଶୁ ଶ୍ୱଶୁର, ଛ ପୁଏ, ସମସ୍ତେ ଗଲେ, ଯାଇ ପୋଖରୀ ଉପରେ ବସିଲେ। ଯେ କଡ଼ାକିଆ [୧] ପକାଉଥିଲା, ତାକୁ କହିଲେ ଯା ତମ ସାଆନ୍ତାଣୀଙ୍କି କହିବ ସାତଜଣ ମରଦ ସାତଜଣ ମାଈପେ ଆସିଛନ୍ତି ତାଙ୍କୁ ମାଟି ବୁହାଇବେ? ଜଣେ ଚାକିରିଆ ଯାଇ ରଜାଙ୍କୁ କହିଲା, ରଜା କହିଲେ ଯା ରାଣୀକି ପଚାରିବୁ। ରାଣୀକି ଆସି ସେଇୟା କହିଲା, ରାଣୀ କହିଲେ ହଉ ସେ ମାଟି ବୋହନ୍ତୁ। ଏ ଜାଣିପାରିଲା, ଉପର ମହଲାକୁ ଚଢ଼ିଗଲା, ଦେଖିକରି ଆସିଲା; କହି ପଠାଇଲା ଯୋଉ ବୁଢ଼ା ବୁଢ଼ୀ ଦୋଟି, ତାଙ୍କୁ ଅଳପ ମାଟି ଦେବ, ଯୋଉ ଛଅଟା ମରଦ, ଛଅଟା ମାଈପେ, ତାଙ୍କ ମୁଣ୍ଡରେ ଖୁବ ମଜଭୂତ୍ ବୋଝେ ଲେଖାଁ ଲଦିଦେବ। ଏମାନେ ମାଟି ବୋହିଲେ; ଖୁବ ବୋଝେ ଲେଖାଁ ମାଟି ନିଅନ୍ତି, କଉଡ଼ି କଡ଼ାଏ ପାନ୍ତି। ଏ କଣକଲା, ଏଣେ ପୁଝାରି ପାଖକୁ କହି ପଠାଇଲା, ଆଜି ବେଶୀକରି ରୋଷାଇ ବାସ କରିବ, ଭଲ ୨ କରି ତରକାରି କରିବ, ସବୁ ଆଣିବ ଇଆଡ଼େ ଦେଇଯିବ। ପୂଝାରି ରୋଷାଇବାସ କରି ରାଣୀଙ୍କ ଉଆ


  1. ଦୂରତା ଅନୁସାରେ ବୋଝେ ମାଟି ନେଇ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇଲେ କଡ଼ାଏ ବା ଦୁଇକଡ଼ା ବା ଅଧିକା ଦେବା ଲୋକ‌କୁ କଡ଼ାକିଆ କ‌ହନ୍ତି।