ନଷ୍ଟ କରିବ । ଦିନେ ବଡ଼ରାଣୀ ଧାଈ ହାତରେ ଗୁରାଏ ଜହରବଡ଼ି ଦେଇ ପଠାଇଲା । ଧାଈ ଯାଇ ସାନ ରାଣୀଙ୍କୁ କହିଲା ବଡ ରାଣୀ ୟାକୁ ଦେଇଛନ୍ତି ତମେ ଖାଇବ । ଏ ସେହି ସାଧୁଙ୍କ ନାମରେ ତାକୁ ଖାଇଦେଲା; ତାର କିଛି ହେଲା ନାହିଁ । ଦଶମାସ ଦଶଦିନ ପୂରିଲାରୁ ସାନ ରାଣୀର ଗୋଟିଏ ପୁଅ ହେଲା । ରଜା ବଡ଼ ଖୁସି ହେଲେ ରାଜ୍ୟରେ ଡେଙ୍ଗୁରା ଦିଆଗଲା, ସମସ୍ତେ ଆନନ୍ଦ ଉତ୍ସବ କଲେ । ଷଠୀ ପଞ୍ଚୁଆତି ବାରଯାତ୍ରା ଏମାନ ଗଲା, ଏକୋଇଶା ଦିନ ସେ ସିଦ୍ଧପୁରୁଷ ଫେର୍ ଆସିଲେ, ଏ ପୁଅର ନାମ ଡାଳିମ୍ବକୁମର ଦେଇଗଲେ । ସାନରାଣୀକି ଗୋପନରେ କହି ଗଲେ ତୋର ପୁଅ ସହଜରେ ମରିବ ନାହିଁ । ତମର ଯେଉଁ ଦାଣ୍ଡ ପୋଖରୀ ଅଛି, ତହିଁରେ ଗୋଟିଏ ରାଘବମାଛ ଅଛି, ତାର ପେଟଭିତରେ ଗୋଟିଏ ଫରୁଆଅଛି, ତହିଁରେ ଯେଉଁ ଡାଳିମ୍ବହାର ଅଛି, ଏହାର ଜୀବନ ସେଥିରେ ଅଛି । ସେ ହାରକୁ ଫରୁଆ ଭିତରୁ ବାହାର କର ଯଦି କେହି ଲଗାଇବ [୧],ତେବେ ଏ ପୁଅ ମରିବ । ଏହା କହି ସେ ସିଦ୍ଧ ପୁରୁଷ ଗଲେ ବାହାରି । ଡାଳିମ୍ବ କୁମରକୁ ଛ ସାତ ବର୍ଷ ହୋଇଗଲା ପାଠ ହେରିକା ଖୁବ ପଢ଼ିଲା । ତାର ପାରାରେ ବଡ଼ ଶରଧା, ବହୁତ ପାରା ପୋଷିଥାଏ । ପାରାଙ୍କୁ ଚରିବାକୁ ଛାଡ଼ିଦେଲାବେଲେ, ଦିଇଟା ଗୋଟାଏ ବଡ଼ରାଣୀ ଦୁଆରକୁ ଯାନ୍ତି ବାହାରି ଚରିବାକୁ । ବଡ଼ରାଣୀ ତାଙ୍କୁ ସବୁ ଧରି ରଖେ, ଏ ମାଗିଲେ ୟାକୁ କହେ ଯ ତୋ ବୋଉକୁ ପଚାରିବି ତୋ ଜୀବନ କେଉଁଠି ଅଛି, ବୁଝି ଆସି ଯେବେ କହିବୁ ତେବେ ତୋ ପାରା ଦେବି । ଡାଳିମ୍ବକୁମର ଯାଇ ମାକୁ ପଚାରେ, ତା ଜୀବନ କୋଉଠି ଅଛି, ମା କହେ ତୁ ସେଥିରୁ କଣ ପାଇବୁ ? ଏହିପରି କହି ଭୁଲାଇଦିଏ । ବଡ଼ ରାଣୀ ବି ପାରା ଦିଏ
- ↑ ପିନ୍ଧିବ ।