ପୃଷ୍ଠା:Kathalahari (RN Das, 1927) opt.pdf/୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଭୂମିକା ।

ଏତେଦିନରେ ଆବହମାନକାଳ ଉତ୍କଳର ପୂରନ୍ଧ୍ରୀମାନଙ୍କର ମୁଖେ ମୁଖେ ଭ୍ରାମ୍ୟମାଣ, ବାଳକବାଳିକା ସମ୍ପ୍ରଦାୟର ଚିରଚିତ୍ତ-ରଞ୍ଜନ, ଚିରକୌତୁକମୟ, ଅଦ୍ଭୁତ ମଧୁର କରୁଣ ହାସ୍ୟାଦି ରସ-ବିଳାସରେ ନିତ୍ୟ ସରସ, ଓଡ଼ିଆମାନଙ୍କର କାହାଣୀ ସାହିତ୍ୟକୁ ଲିପିଶିଳ୍ପର ଅଙ୍ଗୀଭୁତ କରି ପ୍ରକାଶ କରିବାର ଉପକ୍ରମ ହେଲା । ଜଣେ କୃତବିତ୍ୟ ଯୁବକ ଅଳ୍ପଦିନ ହେଲା 'ଉତ୍କଳର କାହାଣୀ' ନାମରେ ଖଣ୍ଡିଏ କ୍ଷୁଦ୍ର ପୁସ୍ତକ ପ୍ରକାଶ କରିଅଛନ୍ତି । ଏବେ ପୁଣି କଣେ କରଣ ମହିଳାଙ୍କର ଲିଖିତ 'କଥାଲହରୀ’ ବା ଉତ୍କଳ କାହାଣୀ ସଂଗ୍ରହର ପ୍ରଥମ ଭାଗ ପ୍ରକାଶିତ ହେଲା । ପ୍ରକାଶକ ମହାଶୟ ମୋତେ ଶଂସିତ ମହିଳାଙ୍କର ହସ୍ତଲିଖିତ ଅନେକ ଗୁଡିଏ କାହାଣୀର ପାଣ୍ଡୁଲେଖ୍ୟ ଦେଖିବାକୁ ଦେଇଥିଲେ । ମୁଁ ଲେଖିକାଙ୍କର ଅକୃତ୍ରିମ ଲିପିମାଧୁର୍ଯ୍ୟ ଉପଲବ୍ଧି କରି ପ୍ରକାଶକ ମହାଶୟଙ୍କର ତାହା ପ୍ରକାଶ କରିବାଭ ଇଚ୍ଛାକୁ ସମର୍ଥକ କରିଥିଲି । ବର୍ତ୍ତମାନ ସେଥିର ପ୍ରଥମ ଖଣ୍ଡ ମୁଦ୍ରିତ ହେବାର ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇଅଛି । ପ୍ରକାଶକ ମହାଶୟ ପୁସ୍ତକକୁ ସର୍ବାଙ୍ଗସୁନ୍ଦର କରିବାପାଇଁ ଯଥାସାଧ୍ୟ ଯତ୍ନ କରିଅଛନ୍ତି ।

ବର୍ତ୍ତମାନ ଓଡିଆରେ ଯେଉଁ ଗଦ୍ୟ ରଚନା ପ୍ରଣାଳୀ ଦେଖାଯାଏ ତାହା ନିତାନ୍ତ ଆଧୁନିକ ଏବଂ ବୈଦେଶିକ ସାହିତ୍ୟର ପ୍ରଭାବ ଯୋଗୁଁ ବହୁପରିମାଣରେ କୃତ୍ରିମଭାବାପନ୍ନ, କିନ୍ତୁ ଏହି କାହାଣୀମାନଙ୍କରେ ଯେଉଁ ଭାଷାଭଙ୍ଗୀ ବା ବାକ୍ୟ ରଚନା ପ୍ରଣାଳୀ