ପୃଷ୍ଠା:Kathalahari (RN Das, 1927) opt.pdf/୪୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୦
ଉତ୍କଳ କାହାଣୀ ସଂଗ୍ରହ ।

ବାଟରେ ଦାଆକୁ ଫୋପାଡ଼ି ଦେଲା, ଆପଣା ଘରକୁ ଫେରି ଆସିଲା । ଆସୁଚି, ବାଟରେ ଗୋଟାଏ ମଲା ନାଗସାପ ଦେଖିଲା, କହିଲା ବଞ୍ଚିଛି ବୋଲି ସିନା ଏତେ ଅପମାନ, ଯାଉଚି ଏ ମଲା ସାପକୁ ନେଇ ସିଝେଇ ଖାଇବି ଯେ ମରିବି । ଏହା କହି ସାପଟି ନେଇ ଘରକୁ ଆସିଲା, ମାକୁ କହିଲା, ମା ! ୟାକୁ ସିଝା, ଖାଇବା । ମା ସାପକୁ କାଟିକୁଟି ରାନ୍ଧି ରଖିଲା । ଅନନ୍ତା ଗାଧୋଇ ଆସିଲା, ମା ଗଲା ଅନନ୍ତାକୁ ଖାଇବାକୁ ଦେବାକୁ । ହାଣ୍ଡି ଦେଖିବେଳକୁ ସାପସିଝା ନାହିଁ । ସୁନା ମୁଣ୍ଡା ହୋଇ ହାଣ୍ଡିରେ ରହିଚି । ମା ଦେଖି କାବା ହୋଇ ଗଲା, ପୁଅକୁ ଦେଖାଇଲା । ପୁଅ କହିଲା ମା ଆମ କପାଳ ଝଡ଼ିଲା । ମା ସବୁ ସୁନାଯାକ ରଖିଦେଲା । ଅନନ୍ତା ସେଥିରୁ ଖଣ୍ଡେ ନେଇ ଗଲା, ହାଟରେ ବିକିକରି ସବୁ ସରଞ୍ଜାମ ଆଣିଲା । ମା ପୁଅଦିହେଁ ଖାଇ ପିଇ ସୁଖରେ ରହିଲା । ଅନନ୍ତା ଖୁବ୍ ଘରଦ୍ୱାର କଲା । ଗୋଟାଏ ହାତୀ କିଣିଲା, ଭଉଣୀପାଇଁ ସାଜେ ଅଳଙ୍କାର କଲା, ଦିଟା ସୁନାମୁଦି ରୂପାମୁଦି ତା ପାଇଁ ଗଢ଼ାଇଲା । ଯୋଡ଼ାଏ ଘଣ୍ଟି ଗଢ଼ାଇଲା, ଗୋଟାଏ ଘଣ୍ଟି କହୁଥାଏ, 'ଅନନ୍ତା ପେଜ ପିଇବୁ ଆ' ଆଉ ଗୋଟାଏ କହେ 'ନାହିଁ ନାନି କାଲି ସକାଳ ଯାଏ' । ଏହିପରି ସବୁକରି ସାରିଲା । ମାକୁ କହିଲା ମା ମୁଁ ଯାଉଚି ନାନୀଘରକୁ । ଅନନ୍ତା ହାତୀ ଉପରେ ବସି, ଅଳଙ୍କାରପେଡ଼ି ସାଙ୍ଗରେ ନେଲା, ସୁନାମୁଦି ରୂପା ମୁଦି ନେଲା, ଘଣ୍ଟି ଯୋଡ଼ିକି ହାତୀବେକରେ ପକାଦେଲା । ଗୋଟାଏଘଣ୍ଟି କହୁଥାଏ 'ଅନନ୍ତା ପେଜ ପିଇବୁ ଆ' ଆଉ ଗୋଟାଏ କହୁଥାଏ 'ନାହିଁ ନାନି କାଲି ସକାଳ ଯାଏ' ଏହିପରି ସେ ଘଣ୍ଟିଯୋଡ଼ାକ ବାଜୁଥାଏ । ଗାଁ ଲୋକେ ଶୁଣି କହିଲେ, ଭଉଣୀ ଭାଇକି ଏହା କହୁଥିଲା ବୋଲି ପରା ଭାଇ ଏପରି ଘଣ୍ଟି ବଜାଇ ଆସୁଛି । ଅନନ୍ତ ଭଉଣୀ ଦୁଆରେ