ପୃଷ୍ଠା:Kathalahari (RN Das, 1927) opt.pdf/୬୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୮
ଉତ୍କଳ କାହାଣୀ ସଂଗ୍ରହ ।

କାନ୍ଦିଲେ । ଏହିପରି କାନ୍ଦି ରାତିଅଧ ହେଲା, ଇଶ୍ୱରପାର୍ବତୀ ଆକାଶରେ ଉଡ଼ିଯାଉ ଥିଲେ, କାନ୍ଦଣା ଶୁଭିଲା । ପାର୍ବତୀ କହିଲେ, ରହିବଟି କାହିଁକି ପୃଥିବୀଟା ଭାରୀ ଲାଗୁଚି, କିଏ ଗୁଡ଼ିଏ ଗୁଣୁ ହୋଇ କାନ୍ଦିଲା ପରି ଶୁଭୁଚି । ଇଶ୍ୱର କହିଲେ ଚାଲ ବାହାରି ହୋ ! ଆମର ସେଥିରେ କଣ ଅଛି ? ପାର୍ବତୀ କହିଲେ କିଛିତ ନାହିଁ, ପୃଥିବୀର ଭାର ନେଇଚ କାହିଁକି ? ଇଶ୍ୱର କହିଲେ ହଉ ଚାଲ । ଗଲେ, ପଚାରିଲେ, ତେମେ କିଏ କାହିଁକି କାନ୍ଦୁଚ ? ବାୟାଚଢ଼ାଇ ଗୁଡ଼ିକ ଆପଣାର ଆଉ ରାଜାପୁଅର ଯେତେ କଥା ଥିଲା ସବୁ କହିଗଲେ । ଇଶ୍ୱରପାର୍ବତୀ କହିଲେ, ହଉ ତେବେ ତେଣିକି ମୁହଁ ବୁଲା । ଏମାନେ ସେ ଆଡ଼କୁ ମୁହଁ ବୁଲାଇ ବସିଲେ, ଇଶ୍ୱରପାର୍ବତୀ ଫୁଲପାଣି କରି ତିନିମୁଠା ଛିଞ୍ଚି ଦେଲେ ଯେ ରାଜାପୁଅ ଜୀଇ ଉଠିଲା, ଇଶ୍ୱରପାର୍ବତୀ କୁଆଡ଼େ ଉଭେଇ ଗଲେ । ରାଜାପୁଅ ତହିଁ ଆର ଦିନ ଉଠି ମାଲୁଣୀଘରକୁ ଗଲା, ସେଦିନ ରାତିରେ ରାଜାଝିଅ ସାଙ୍ଗେ ଦେଖା କଲା । ସେ ବଞ୍ଚିକରି ଆସିଲେଣି ବୋଲି ରାଜା ଜାଣିଲେ, କହିଲେ, ଆମ ଝିଅକୁ ୟାକୁ ବିଭାକରି ଦେବା । ଘର ଲିପା ହେଲା, ବେଦୀ ତୋଳା ହେଲା, ବିଭାଘର ଆଉ ସବୁ ଆୟୋଜନମାନ ହେଲା, ରାଜା ଭଲଦିନ ଦେଖି ଝିଅକୁ ସେ ରାଜାପୁଅକୁ ବିଭା କରିଦେଲେ, ବହୁତ ଯାନି ଯଉତୁକ ଦେଇ ଝିଅଜୋଇଁଙ୍କୁ ବିଦା କଲେ । ରାଜାପୁଅ ବିଭାହୋଇ ଘରକୁ ଆସୁଚି, ଗାଁପାଖରେ ହେଲାଣି ସମସ୍ତେ କହିଲେ କୋଉଁ ରାଜା ଆସୁଚି, ଯୁଦ୍ଧ କରିବାକୁ । ରାଜା ଆଉ ପୁଅବୋଲି ଜାଣି ନାହାନ୍ତି, ବେକରେ ପାଳଦଉଡ଼ି ଗୋଛାଏ ପକାଇ ଦଣ୍ଡବତ କରିବାକୁ ଗଲେ, ଯାଇଁ ପାଲିଙ୍କି ପାଖରେ ଲମ୍ବ ହୋଇ ଗୋଡ଼ତଳେ ପଡ଼ିଗଲେ । ଏ ପାଲିଙ୍କିରୁ ଡ଼େଇଁ ପଡ଼ିଲା କହିଲା ଏକଣ ! ତେମେ ବାପା, ମୁଁ ପୁଅ, ତେମେ ମୋ ଗୋଡ଼ତଳେ ପଡ଼ୁଚ ? ରାଜା କହିଲେ ମୁଁ ପୁଅ କୋଉଠୁ ପାଇବି ? ଏ କହିଲା ତମ ଘୋଡ଼ାଶାଳ ଲାଣ୍ଡିକୁ