ପୃଷ୍ଠା:Kathalahari (RN Das, 1927) opt.pdf/୭୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୧
ହଳାହଳକୁମର ବା ଶଶସନ ଅଭିମନ୍ୟୁ କଥା ।

ବାରହାତ ଖଣ୍ଡା ଆଣିଲେ, ଦିହେଁଯାକ ଘୋଡ଼ାରେ ବସିଲେ, ଗଲେ । ଯାଉଛନ୍ତି, ବାଟରେ ଗୋଟାଏ ଠେକୁଆଲାଙ୍ଗୁଡ଼ ପଡ଼ିଚି, ସେ କହିଲା ମତେ ସାଙ୍ଗରେ ନିଅ ତମର ବଡ଼ ଉପକାରରେ ଆସିବି । ଶଶିସେନା କହିଲା ହଉ ଆଣ । ତାକୁ ଆଣିଲେ, ଘୋଡ଼ା ଲାଙ୍ଗୁଡ଼ରେ ବାନ୍ଧିଦେଲେ, ନେଇକରି ଗଲେ । ଫେର୍ ଆଉ କେତେଦୂର ଯାଇଛନ୍ତି, କୁଲା ବାଉଁଶିଆ ଗୁଡ଼ାଏ ଯାଉଛି ବିକା ହେବାକୁ, ଠେକୁଆଲାଙ୍ଗୁଡ଼ କହିଲା ଅଭିମନ୍ୟୁ ! ଏଥିରୁ ଦି'ଟା ନିଅ, ବହୁତ ଉପକାରକୁ ଆସିବ, କୁଲା ବାଉଁଶିଆ ଦି'ଟା ନେଲେ । ଆଉ କିଛିଦୂର ଯାଇଛନ୍ତି, ଲଙ୍ଗଳ ଲୁହାଟାଏ ବାଟରେ ପଡ଼ିଚି, ଠାକୁଆ ଲାଙ୍ଗୁଡ଼ କହିଲା ଅଭିମନ୍ୟୁ ! ଏଇଟାକୁ ନିଅ ବହୁତ ଉପକାର କରିବ । ତାକୁ ନେଲେ, ଯାଇ ଗୋଟିଏ ବୁଢ଼ୀ ଅସୁରୁଣୀ ଦୁଆରେ ରାତି ହେଲା, ସେଇଠି ରହିଲେ । ବୁଢ଼ୀ ଅସୁରୁଣୀ ବଡ଼ ଆଦର କଲା, ଗୋଟାଏ ଘରେ ନେଇ ଏମାନଙ୍କୁ ରଖାଇ ଦେଲା । ଏମାନେ ଆଉ ଜାଣନ୍ତି ନାହିଁ, ଅସୁର ଘର ବୋଲି । ଅଛନ୍ତି, ଅସୁରୁଣୀର ପୁଅଯାକ ବୁଲି ଯାଇଥିଲେ, ରାତିକି ସମସ୍ତେ ଆସିଲେ । ବୁଢ଼ୀ ଅସୁରୁଣୀ କହିଲା, ଆସ ତମପାଇଁ ଆଚ୍ଚା ସୁନ୍ଦର ଦରବ ରଖିଚି, ସାତ ଭାଇଯାକ ଆନନ୍ଦରେ ଖାଇବ । ଏ ସବୁ କହିଲେ କାହିଁ, ବୁଢ଼ୀ ଅସୁରୁଣୀ କହିଲା ଆରଘରେ ଅଛନ୍ତି । ଏମାନେ ଦଉଡ଼ିଲେ, ସେ ଘରେ ଅଭିମନ୍ୟୁ ହେରିକା କବାଟ କିଳି ନିଘୁମହୋଇ ଶୋଇଚନ୍ତି । ଏ ପଚାରିଲେ ତେମେ କିଏ ? ଠେକୁଆ ଲାଙ୍ଗୁଡ଼ କହିଲା ଆମେ ଅସୁରଙ୍କ ଶ୍ୱଶୁର । ଏ ସବୁ ଡରିଲେ, ବିଚାରିଲେ ଆମେ ତ ଅସୁର, ଆମର ଶ୍ୱଶୁର କୋଉଠୁ ଅଇଲା ? କହିଲେ, ଆଚ୍ଛା ହଉ, ତେମେ ଯେବେ ଅସୁରଙ୍କ ଶ୍ୱଶୁର, ତେବେ ତମ ଜିଭ କାହିଁ ଦେଖାଅ ? ଠେକୁଆ ଲାଙ୍ଗୁଡ଼ କୁଲାଟାକୁ ଦେଖାଇଦେଲା । ତମ ପାଟି କାହିଁ ଦେଖାଅ ? ଏ ବାଉଁଶିଆକୁ ଦେଖାଇଦେଲା, ତମ ଦାନ୍ତ କାହିଁ ଦେଖାଅ ? ଏ ଲଙ୍ଗଳ ଲୁହାଟାକୁ ଦେଖାଇଦେଲା ।