ପୃଷ୍ଠା:Kathalahari (RN Das, 1927) opt.pdf/୭୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୨
ଉତ୍କଳ କାହାଣୀ ସଂଗ୍ରହ

ଅସୁରଯାକ ଡରିକରି ରହିଲେ, କହିଲେ ସେ କାଳେ ଆମର ଶ୍ୱଶୁର ହୋଇଥିବେ । ରାତିରେ ଖାଇପିଇ ଶୋଇଲେ, ଏମାନଙ୍କ ନିଦ ବାରି ଠେକୁଆଲାଙ୍ଗୁଡ଼ ଅଭିମନ୍ୟୁ, ଶଶିସେନାକୁ ଉଠାଇ ସବୁକଥା କହିଲା, ଏମାନେ ରାତି ରାତି ଘୋଡ଼ାରେ ବସି ଗଲେ ବାହାରି । ସକାଳ ହେଲାରୁ ଅସୁରମାନେ ଦେଖନ୍ତି ଯେ କେହି ନାହିଁ । ବୁଢ଼ୀ ଅସୁରୁଣୀ କହିଲା, ଦେଖିଲ ! ଏବେ ଚିତାକାଟି ଚାଲିଗଲେ । ଯାଅ ମୁଁ ଘୋଡ଼ା ଲାଙ୍ଗୁଡ଼ରେ ସୋରିଷ ବାନ୍ଧି ଦେଇଚି, ସୋରିଷ ବୁଣି ବୁଣି ଯାଉଥିବ, ଗଛ ଉଠି ଉଠି ଯାଉଥିବ; ଫୁଲ ଫୁଟି ଫୁଟି ଯାଉଥିବ; ଦେଖିବ ସେମାନେ ସେହିବାଟେ ଯାଉଥିବେ । ଅସୁର ସାତଭାଇ ଦଉଡ଼ିଲେ ସେହିବାଟ ଦେଖି ଦେଖିକା । ପାଖରେ ମିଶିବାକୁ ଅଳପ ବାଟ ଅଛି, ଶଶିସେନା ଅନାଇ ଦେଲା, ଦେଖିଲାବେଳକୁ ଅସୁରଗୁଡ଼ାକ ଗୋଡାଇଚନ୍ତି । ଅଭିମନ୍ୟୁକୁ ଦେଖାଇ ଦେଲାରୁ ଅଭିମନ୍ୟୁ କ'ଣ କଲା, ଗୁଡ଼ାଏ ବେତମଞ୍ଜି ବୁଣିଦେଲା ଯେ ବେତବଣ ହୋଇଗଲା । ଅସୁର ତାକୁ ମାନିଲେ ନାହିଁ, ମାଡ଼ିଦେଇଗଲେ । ଅଭିମନ୍ୟୁ ପଛକୁ ଅନାଇ ଦିଏ ଯେ ଅସୁର ଗୋଡ଼ାଇ ଆସୁଛନ୍ତି । ସେ ସେଉଠୁ ଗୁଡ଼ାଏ ଅଙ୍ଗାର ବୁଣିଦେଇ କହିଲା, ଯେବେ ସତ୍ୟଯୁଗ ହୋଇଥିବ, ଖାଲି ଅଗ୍ନିମୟ ହୋଇଯିବ । ସବୁ ଅଗ୍ନିମୟ ହୋଇଗଲା, ଅସୁର ନିଆଁକୁ ମାନିଲେ ନାହିଁ ମାଡ଼ିଦେଇ ଚାଲିଗଲେ, ତାଙ୍କ ପଛକୁ ପଛକୁ ଲାଗିଗଲେ । ଅଭିମନ୍ୟୁ ସେଉଠୁ କ'ଣ କଲା, ପଛକୁ ଅନାଇଁ ଫୁ'କରି ଫୁଙ୍କିଦେଲା ଯେ କୁହୁଡ଼ି ଘୋଟିଗଲା, କାହାକୁ ବାଟ ଦିଶିଲା ନାହିଁ । ଅସୁର ମଣିଷଗନ୍ଧ ଶୁଙ୍ଘି ଶୁଙ୍ଘି ଘୋଡ଼ା ପଛକୁ ଲାଗି ଗଲେ । ଅଭିମନ୍ୟୁ କହିଲା, ମୋର ଆଉ ଦୋଷ ନାହିଁ, ଏହା କହି ବାରହାତ ଖଣ୍ଡାକୁ ବୁଲାଇଦେଲା ଯେ ଅସୁରଯାକ କଚ୍ କାଚ୍ କାଟି ହୋଇଗଲେ; ଏକା ସବା ସାନଭାଇ ଟିମା ଅସୁରଟି ଘୋଡ଼ା ପେଟତଳେ ଲୁଚିଗଲା । ଟିମା ଅସୁର ବାହାରିପଡ଼ି କହିଲା, ହେ ! ମତେ ମାରନା, ମୁଁ ତମର ଭଣ୍ଡାରି ହୋଇ ତମସାଙ୍ଗରେ ରହିବା । ଶଶିସେନା କହିଲା, ହଉ