ପୃଷ୍ଠା:Kathalahari (RN Das, 1927) opt.pdf/୯୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୧
ମଉନାବତୀ କଥା

ଟିକୁ ଦେଖି ସମସ୍ତେ ଲୋଭ ବଳାଇଲେ । ଏହା କହି ରଜାଝିଅ କହିଲା, କହିଲୁ ହେ ହାର ସେ କନ୍ୟାକୁ କିଏ ନେବ ? ମଉନାବତୀ ବେକର ହାର କହିଲା, ନେଲେ ନେବ ରଜାପୁଅ, ନଇଲେ ବଢ଼େଇ ପୁଅ । ମଉନାବତୀ କହିଲା, ଉ ! ତୁ ମୋର ହୋଇ ଏଡ଼େ ଅନ୍ୟାୟ କଥା କହୁଚୁ ! ବଢ଼େଇପୁଅ, ରଜାପୁଅ କେମନ୍ତି ନେବେ ? ବଢ଼େଇ ତ ଜନ୍ମଦାତା, ରାଜାପୁଅ ତ ଜୀବନଦାତା, ଏ ଦିହେଁ କିପରି ନେବେ ? ନେଲେ ନେବ ବଣିଆପୁଅ, ନଇଲେ ତନ୍ତୀପୁଅ । ଏ କହିଲା ଶୁଣିଥାଅ ହୋ ଧାଈ ତମ ଝିଅ ଆମକୁ ଚାରି ପହରଯାକ କଥା କହିଲେ । ରାତି ପାହିଲା, ଏ ଚାରି ଅସୁର ତାଙ୍କ ସୂତ୍ରରେ [୧] ଚାଲିଗଲେ । ଏ ରାଜାଝିଅ ରଜାଙ୍କ ପାଖକୁ ଗଲା, କହିଲା, ତମ ଝିଅ ଆମକୁ କଥା କହିଚନ୍ତି । ଧାଈକି ଡକରା ହେଲା, ଧାଈ କହିଲା, ହଁ କଥା କହିଚନ୍ତି । ରାଜା- କହିଲେ, ଆଉ ବିଳମ୍ବ କାହିଁକି, ବିଭାଘର ହେଉ । ରଜାଝିଅ କହିଲା, ହଉ, ବିଭାଘର ହେବ ଯେ ଆଗେ ଆପଣଙ୍କ ବନ୍ଦିଶାଳାରେ ଯେତେକ ବନ୍ଦୀ ହୋଇଚନ୍ତି, ତାଙ୍କୁ ମୁକୁଳାଇ ଦିଅନ୍ତୁ । ରଜା ଆଜ୍ଞା ଦେଲେ ମୁକୁଳାଇବାକୁ, ସମସ୍ତେ ମୁକୁଳି ଗଲେ । ଏ ରଜାଝିଅର ଯେ ବର, ତାକୁ ଏ ସୂତ୍ରରେ ଡାକି କହିଲା, ହେ ! ମୁଁ ମଉନାବତୀକି କଥା କୁହାଇଚି, ରଜା ମତେ ତାକୁ ବାହା କରିଦେବାକୁ ବସିଚନ୍ତି, ମୁଁ ତାକୁ ବିଭା ହେବିନାହିଁ, ତେମେ ତାକୁ ବିଭାହୁଅ, ମୁଁ ତୁମ ସାଙ୍ଗେ ଭଣ୍ଡାରି ହୋଇ ଯିବି । ସେହିପରି ସବୁ ହେଲା, ରଜାପୁଅ ମଉନାବତୀକି ବିଭା ହେଲା, ବହୁତ ଦାନ ଯୌତୁକ ଘେନିଲା, ଘରକୁ ଆସିଲା । ତା ଆଗ ଭାରିଯା ଭଣ୍ଡାରିବେଶ ହୋଇ ତା' ସାଙ୍ଗେ ସାଙ୍ଗେ ଥାଏ । ଦିନେ ବାଟରେ ଏ ହଠାତ୍ ଭଣ୍ଡାରିବେଶ ଛାଡ଼ି ନିଜ ରୂପ ଧରି ରଜାପୁଅ ପାଖରେ ପହଞ୍ଚିଲା, ରଜାପୁଅ ଦେଖି କାବା ହୋଇଗଲା, କହିଲା


  1. ଗୋପନରେ, କୌଶଳରେ