ପୃଷ୍ଠା:Kathalahari (RN Das, 1927) opt.pdf/୯୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୯
ପାନସୋରୀ କଥା ।

ପଚା ତାଳପତ୍ର ଝିଲ୍ଲୀଶଙ୍ଖା କିଣି ଆଣିଲା, ଜ୍ଞାନଦେୟୀ ମାଲୁଣୀକି ଡ଼ାକି ଆଣିଲା, ମନପବନ ଡ଼ଙ୍ଗା ଖଣ୍ଡେ ଆଣିଲା, ମାଲୁଣୀକି କହିଲା ତୁ ଆର ଦେଶ ରଜାଗାଁକୁ ଏ ସବୁ ନେଇକରି ଯିବୁ, ଡ଼ାକିକରି ବିକ୍ରୀ କରିବୁ । ସମସ୍ତେ ଆସିବେ ନେବାକୁ, ତୁ କହିବୁ ଆଗେ ରାଣୀ ଆସି ନେଲେ ମୁଁ ପଛେ ସମସ୍ତଙ୍କୁ ଦେବି । ଯୋଉଠୁ ରାଣୀ ଆସି ଡଙ୍ଗା ଉପରେ ବସି କିଣିବାକୁ ଧରିବ, ତୁ ରାଣୀକି ନେଇ ଚାଲିଆସିବୁ । ଜ୍ଞାନଦେୟୀ ମାଲୁଣୀ ଯାଇ ସେହିପରି କହିଲା,ସମସ୍ତେ ଆସି ପାନସୋରୀକି ଡାକିଲେ, ଆସ ତେମେ ଆଗ ନେଲେ ସମସ୍ତେ ପଛେ ନେବେ । ପାନସୋରୀ ଗଲା ଶାଶୁ ପାଖକୁ କହିଲା ମୁଁ କିଣିବାକୁ ଯାଉଚି । ଶାଶୁ ଶଶୁରଙ୍କୁ ଆଉ ଜମା ଦିଶୁନାହିଁ ପୁଅକୁ ଝୁରି ୨ । ପାନସୋରୀ ଯେଉଠୁ କ‌ହିଲା କିଣିବାକୁ ଯିବି, ଶାଶୁ କହିଲା ହଉ ଯା । ପାନ ସୋରୀ ଯାଇ ଡଙ୍ଗା ଉପରେ ବସିଲାକ୍ଷଣି, ମାଲୁଣୀ କହିଲା ଯେବେ ସତ୍ୟଯୁଗର ମନପବନ ଡଙ୍ଗା ହୋଇଥିବୁ, ତେବେ ୟାକୁ ନେଇ ପବନ ବେଗରେ ଚାଲିଯିବୁ । ଏହା କହିଲାକ୍ଷଣି ଡଙ୍ଗା ଚାଲିଲା ଯେ ଆସି ତାରାବତୀ ରାଜ୍ୟରେ ପହଞ୍ଚିଲା । ତାରାବତୀ ପାନସୋରୀକି ନେଇ ଗୋଟାଏ ଘରେ ଲୁଚେଇ କରି ରଖାଇଲା । ତହିଁ ଆରଦିନ ପାନସୋରୀ ହାତରେ ଘର ଓଳାଇଲା, ପାନ ଭଙ୍ଗାଇଲା, ଭାତ ବଢ଼ାଇଲା, ଲୁଗା କୁଞ୍ଚେଇଲା, ସବୁ କରାଇଲା, ପାନସୋରୀକି ସେଆଡ଼ ଘରେ ଛାଡିଦେଇ ଆସିଲା । ରଜାପୁଅ ସେଦିନ ସବୁ ଦେଖିଲା, ଖୁଣିଲା ନାହିଁ, ଭାତ ଖାଇଲା, ଗଲା ବାହାରି, ତାରାବତୀ ଭାବିଲା ହଁ ୟାକୁ ସବୁବେଳେ ଝୁରିଲେ, ମତେ ଦେହି ପାରିଲେ ନାହିଁ । ଏହା ମନରେ ପାଞ୍ଚି ପାନସୋରୀକି ବନସ୍ତକୁ ଡାକିନେଲା,ହାଣ ପକାଇ ଆସିଲା । ସେ ବନସ୍ତରେ କଣହେଲା, ପାନସୋରୀର ପେଟ ପୋଖରୀ ହେଲା, ପିଠି ପଥର ହେଲା, ମୁଣ୍ଡ ମଣ୍ଡପ ହେଲା,ହାତ ଫୁଲଗଛ ହେଲା, ଗୋଡ଼ କଦଳୀଗଛ ହେଲା, ଆକ୍ଷିଦୋଟି ଶୁଆସାରୀ ହେଲେ, ଏହିପରି ହୋଇଥାଏ । ଗାଈଜଗା ପିଲାଏ ଏଇଠୁ