ପୃଷ୍ଠା:Kaunri Kamachandira dese.pdf/12

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଳା ମେଘ ତଳେ ଧଳା କଇଁର ହାଟ

ରାତି ୪ଟାରେ ନିଦ ଭାଜିଲା । ଟ୍ରେନ୍ ଧୀରେ ଧୀରେ ଚାଲିଥାଏ । ଭୋର ୫ଟାରେ ନିତ୍ୟକର୍ମ ସାରିଦେଲି । ଚଉଦିଗ ଫରଚା ଦିଶିଲା । ଯାତ୍ରୀମାନେ ଗୋଟିଏ ଗୋଟିଏ ଉଠିଲେ । ମେଘୁଆ ସକାଳ । ମାତ୍ର ଚାଷୀଭାଇମାନେ କାମରେ ଲାଗିଥାନ୍ତି । ରେଳରାସ୍ତା କଡ଼ ନୟନଜୋରି ପାଣିରେ ନାଲି ଓ ଧଳା କଇଁ ବହୁ ସଂଖ୍ୟାରେ ଫୁଟିଥାଏ । ଧଳାକଇଁ ତ ଆକାଶ ତାରା ପରି ଉଜ୍ଜ୍ୱଳ ଦିଶୁଥାଏ । କଳାହାଣ୍ଡିଆ ମେଘ ତଳେ ତା'ର ଉଜ୍ଜ୍ୱଳତା ଆହୁରି ବଢ଼ିଯାଇଥାଏ । ମଝିରେ ମଝିରେ ଝିପ୍ ଝିପ୍ ବର୍ଷା ।

ଜୋରାଇ ଷ୍ଟେସନ ପଡିଲା । ଚା' ଗ୍ଲାସେ ପିଇଲି । ଖୁବ୍ ତଟକା । ତା'ର ମହକ ଭାରି ଭଲ ଲାଗିଲା । ତା'ପରେ ଶ୍ରୀରାମପୁର ଷ୍ଟେସନ । ଜୱାନମାନେ ବାଲି ବସ୍ତା ଘେରାଇ ତା' ଉପରେ ଭାଡ଼ି କରି ଜଗି ବସିଛନ୍ତି । ଚଉତରା ବୋଲି ଆଉ ଏକ ଷ୍ଟେସନ ।

ବୋଡ଼ୋ ଅଞ୍ଚଳ ମଧ୍ୟରେ ଆମେ ଚାଲିଲୁ । ସ୍ତ୍ରୀଲୋକମାନେ ଚାଲିଥାନ୍ତି । ସେମାନଙ୍କର ଗଢ଼ଣ ଓ ସ୍ୱାସ୍ଥ୍ୟ ସୁନ୍ଦର । ପାହାଡ଼ ଘେରା ଅଞ୍ଚଳ । ଦୂର ପାହାଡ଼ ଉପରେ ନୂଆ ମେଘ । ଧୋବ ଫର୍ ଫର୍ ଭିଣାତୂଳା ପରି ଦେଖାଯାଉଥାଏ । ପାହାଡ଼ର ସବୁଜ ସୁନ୍ଦର ମଥାନ ଉପରେ ତାହା ଭାସି ଯାଉଥାଏ ।

ବହୁ ଦିନରୁ ଶୁଣିଥିବା ଓ ଖବରକାଗଜରୁ ପଢ଼ିଥିବା କୋକ୍ରାଝର ଷ୍ଟେସନ ପଡ଼ିଲା । ଭାବିଲି କେଉଁଠି ସୁନ୍ଦର ଝରଣା ଥିବ । ଜଣେ ଯୁବକବନ୍ଧୁ ମୋର ପାଣି ବୋତଲ ନେଇ ଷ୍ଟେସନ ଟ୍ୟୁବୱେଲରୁ ଭର୍ତ୍ତି କରି ଆଣିଲେ । ଖୁବ୍ ନିର୍ମଳ ଜଳ । କେଦାର ଗୌରୀ ପାଣି ପରି ଟିକିଏ ଆମ୍ବିଳିଆ ଲାଗୁଥିଲା । ସମ୍ଭବତଃ ଧାତବ ଗୁଣ ଯୋଗୁ । ତା’ପରେ ବାସୁଗାଓଁ, ନୂଆ ବୋଙ୍ଗାଇଗାଓଁ , ନଳବାଡ଼ି ଷ୍ଟେସନମାନ ମାନ ପଡ଼ିଲା । ଗୌହାଟୀ ଆଉ ସେଠାରୁ ଘଣ୍ଟାକର ବାଟ । ମନ ଉଚ୍ଚାଟ ହୋଇ ଉଠିଲା । ମାତ୍ର ସେତେବେଳକୁ ବାରଟା ବାଜିଲାଣି ।

୧୨