ପୃଷ୍ଠା:Kaunri Kamachandira dese.pdf/15

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତା'ପରେ ଡକ୍ଟର ଶର୍ମା ସମସ୍ତଙ୍କ ସହ ମୋର ପରିଚୟ କରାଇଦେଲେ । ମୁଁ ମଧ୍ୟ ପ୍ରଥମ କରି ଆସାମ ଯାଇଥିବାରୁ ଆନନ୍ଦ ପ୍ରକାଶ କଲି । ଦୁଇ ପଡ଼ୋଶୀ ରାଜ୍ୟ ଓଡ଼ିଶା ଓ ଆସାମ । ସେମାନଙ୍କ ଭାଷା, ଧର୍ମ, ଆଚରଣ, ଚଳଣି ଆଦିରେ ଖୁବ୍ ସାମଞ୍ଜସ୍ୟ । ଶିକ୍ଷା ଓ ଦର୍ଶନ ସମ୍ପର୍କରେ ଭାଷଣ ଦେଲି । ଶେଷରେ ଆଲୋଚନା ହେଲା । କେନ୍ଦ୍ର ମାଧ୍ୟମିକ ଶିକ୍ଷାବୋର୍ଡର ଆଞ୍ଚଳିକ ଅଧିକାରୀ ଫୁକନ୍‌ବାବୁ ମଧ୍ୟ ଆଲୋଚନାରେ ଯୋଗଦେଲେ ।

ତା'ପରେ ଆମେ ଡକ୍ଟର ଶର୍ମାଙ୍କ ବସାକୁ ଗଲୁ । ସେଠାରେ କଥାବାର୍ତ୍ତ ହେଲୁ । ପରସ୍ପର ଘରଦ୍ୱାର, ପିଲାପିଲିଙ୍କ ପଢ଼ାପଢ଼ି ସମ୍ପର୍କରେ ସୁଖଦୁଃଖ ହେଲୁ । ଆସାମ ବିଶେଷ କରି ଗୌହାଟୀ ସହର ବିଷୟରେ ଆଲୋଚନା କଲୁ । ଆସମର ଆଗକାଳର କଥା । ଆସାମ ପୌରାଣିକ ଯୁଗରେ ପ୍ରାଗ୍‌ଜ୍ୟୋତିଷପୁର ନାମରେ ବିଖ୍ୟାତ ଥିଲା । କାଳିଦାସଙ୍କ କାବ୍ୟ କବିତା ଏବଂ ଅନ୍ୟାନ୍ୟ ସଂସ୍କୃତ ଶାସ୍ତ୍ରମାନଙ୍କରେ ଏହାକୁ କାମରୂପ ବୋଲି ବର୍ଣ୍ଣନା କରାଯାଇଛି । ସମୁଦ୍ର ଗୁପ୍ତଙ୍କର ଏକ ଶିଳାଲିପିରେ (୫ମ ଶତାବ୍ଦୀ) ଏହାର ନାମ କାମରୂପ ବୋଲି କୁହାଯାଇଛି । ଦଶମ ଶତାବ୍ଦୀରେ ଲିଖିତ କାଳିକା ପୁରାଣରେ ପ୍ରାଗ୍‌ଜ୍ୟୋତିଷ ବା କାମରୂପର ବର୍ଣ୍ଣନା ରହିଛି । ୧୬ଶ ଶତାବ୍ଦୀର ଯୋଗିନୀତନ୍ତ୍ରରେ କାମରୂପର ସୀମା ସରାହଦ ଆଦି ଭୌଗଳିକ ଅବସ୍ଥିତି ସୁନ୍ଦର ଭାବରେ ଦିଆଯାଇଛି । ନେପାଳଠାରୁ ବ୍ରହ୍ମପୁତ୍ରର ମୁହାଣଯାଏ ଏକ ବିରାଟ ଭୁଖଣ୍ଡ କାମରୂପ ବୋଲି କୁହାଯାଇଛି । ସେଥିରୁ ଆଜିକାଲିର ଆସାମ ସହିତ ଉତ୍ତର ବଙ୍ଗର କୁଚବିହାର, ରଙ୍ଗପୁର, ଜଳପାଇଗୁଡ଼ି, ଦିନାଜପୁର ଆଦି କାମରୂପ ମଧ୍ୟରେ ଥିଲା ବୋଲି ଜଣାପଡ଼େ ।

'ଆସାମ' ନାମକରଣ କିପରି ହେଲା ? ଏହି ପ୍ରଶ୍ନ ସବୁରି ମନରେ ଉଙ୍କି ମାରିବା ସ୍ୱାଭାବିକ । ୧୩ଶ ଶତାବ୍ଦୀରେ ଆହୋମ ନାମକ ଆଦିବାସୀ ଜାତି ବ୍ରହ୍ମପୁତ୍ର ଉପତ୍ୟକାକୁ ବର୍ମା ଆଡ଼ୁ ଆକ୍ରମଣ କରିଥିଲେ । ସେମାନେ ସେତେବେଳେ ଏଠାକୁ ଶାସନ


                            ୧୫