ପୃଷ୍ଠା:Kaunri Kamachandira dese.pdf/25

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆସାମ କାଠ ବାଉଁଶ ଓ ମାଟି ପଥରର ଦେଶ । ଏ ସବୁ ଜିନିଷରେ ଅସମୀୟା ଲୋକମାନେ ଘର ତୋଳନ୍ତି । ଏହି ଘରମାନଙ୍କୁ ନାନା ପ୍ରକାରରେ ସୁନ୍ଦର କରି ସଜାଇବାରେ ସେମାନେ ଆନନ୍ଦ ପା'ନ୍ତି । ଦେବଦେବୀଙ୍କ ପ୍ରାର୍ଥନା ବିହୁଗୀତରେ ବହୁଳ ଭାବରେ ଥାଏ । ଅତୀତର ଚଳଣି ରୀତିନୀତି, ଖାଦ୍ୟପୋଷାକ ଆଦି ସମ୍ପର୍କରେ ବିହୁଗୀତରେ ବହୁ ବର୍ଣ୍ଣନା ଦେଖିବାକୁ ମିଳେ । ସମାଜର ସତ ଘଟଣା ଓ ଅବସ୍ଥାର ଚିତ୍ରମାନ ବିହୁଗୀତ, ନାଚ ଓ ପୂଜାରୁଜାରେ ପ୍ରକାଶ ପାଇଥାଏ ।

ଆହୋମମାନେ ଆସାମକୁ ନିଜର ମାତୃଭୂମି ଭାବରେ ଗ୍ରହଣ କରିନେବା ସଙ୍ଗେ ସଙ୍ଗେ ତା'ର ଭାଷା, ସଂସ୍କୃତି, ଧର୍ମଧାରଣା ଇତ୍ୟାଦିକୁ ଆପଣାର କରିନେଇଥିଲେ । ସେମାନେ ନିଜ ରାଜ୍ୟର ଯୁଦ୍ଧ ଓ ଶାନ୍ତି ପାଇଁ ଯେଉଁ ପାଇକ ବ୍ୟବସ୍ଥା ପ୍ରଚଳନ କରିଥିଲେ, ତାହା ଖୁବ୍ ସଫଳତା ଲାଭ କରିଥିଲା । ପାଇକମାନେ ବର୍ଷକୁ ପ୍ରାୟ ତିନି ମାସ ଲୋକ ହିତକର କାର୍ଯ୍ୟକଳାପରେ ନିଯୁକ୍ତ ହେଉଥିଲେ । ରାସ୍ତାଘାଟ ତିଆରି, କୂଅ, ପୋଖରୀ ଖୋଳା ଆଦି କାର୍ଯ୍ୟ ସେମାନେ କରୁଥିଲେ । ଏହି ଶ୍ରମଦାନ ପାଇଁ ସେମାନଙ୍କୁ ଭଲ ଧାନ ଜମିରୁ ତିନି ଏକର ଖଞ୍ଜା ରୂପେ ଦିଆଯାଉଥିଲା ।

ଆସାମ ସାରା ଦେଶରେ ଏକ ବିଖ୍ୟାତ ଶକ୍ତି ତଥା ତନ୍ତ୍ରପୀଠ ଥିଲା । ବୈଷ୍ଣବ ଧର୍ମର ଲୋକପ୍ରିୟତା ମଧ୍ୟ କମ୍ ନ ଥିଲା । ସେଠାରେ କଳା ସଂସ୍କୃତି ମୂଖ୍ୟତଃ କୃଷିକୁ ନେଇ ଗଢ଼ି ଉଠିଥିଲା । ଯୌତୁକ ପ୍ରଥା, ଶିଶୁକନ୍ୟା ହତ୍ୟା ଆସି ସାମାଜିକ ପ୍ରଥାମାନ ସେଠାରେ ଦେଖାଯାଏ ନାହିଁ । ବରଂ ସେଠାରେ ନାରୀମାନେ ଅଧିକ ସମ୍ମାନ ପାଇଥାଆନ୍ତି । ଗରିବ ଘରେ କନ୍ୟାପିତାଙ୍କୁ ବରପିତା ସାହାଯ୍ୟ ଦେଇଥା'ନ୍ତି ।

ସେଦିନ ସନ୍ଧ୍ୟା ଲାଗି ଆସିଲା । ମଝିରେ ମଝିରେ ଝିପ୍ ଝିପ୍ ବର୍ଷା ହେଉଥାଏ । ମୁଁ ଅତିଥି ଭବନକୁ ଫେରି ଆସିଲି । ଦୂର ଦିଗ‌‌‌ବଳୟ ତଳେ ବଣ ପାହାଡ଼ ଆଦି ଅନ୍ଧାର ଭିତରେ ଲୁଚିଗଲେ । ସହରର ରାସ୍ତା କଡ଼ରେ ଓ ବଡ଼ ବଡ଼ ପକ୍କା ଘରେ ବିଜୁଳିବତୀମାନ ଜଳି ଉଠିଲା ।

                               ୨୫