ପୃଷ୍ଠା:Kaunri Kamachandira dese.pdf/28

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯାହା ତଳତଳିଆ ପେଟ୍ରୋଲ ରହିଯାଇଥିଲା, ଗୋଟିଏ ବୋତଲକୁ ବାହାର କଲା । ଆଗ ବନେଟ ଖୋଲି ଇଞ୍ଜିନ ପାଖରେ ସେଇ ବୋତଲକୁ ଗୋଟିଏ କନାଧଡ଼ିରେ ମଜବୁତ କରି ବାନ୍ଧିଲା । ଗାଡ଼ି ଚାଲିଲା । ମାତ୍ର କେଉଁଠି ପୁଣି ସରିଯିବ ! ତାହା ହିଁ ମୋର ଚିନ୍ତା ହେଲା । ଆଖପାଖରେ ଆଉ ତେଲଟାଙ୍କି ନାହିଁ । ଖାଲି ପାହାଡ଼ ଆଉ ଜଙ୍ଗଲ ।

ଯାହା ହେଉ ମନ୍ଦିର ପାଖରେ ପହଞ୍ଚିଲୁ । ସେଠାରେ ଜଣେ ପଣ୍ଡା ଯୁବକ ମୋତେ ଦର୍ଶନ କରାଇଦେବେ ବୋଲି କହିଲେ । ବହୁ ପଣ୍ଡା ଲାଲବସ୍ତ୍ର ପିନ୍ଧି ସେଠାରେ ଭିଡ଼ ଜମାଇ ଥା'ନ୍ତି । କୁତବ୍ ପଚାରିଲା 'ମୁଁ ଯିବି' ?

ମାତ୍ର ମୁଁ ଦେଖିଲି ସେ ଗାଧୁଆପାଧୁଆ କରିନାହିଁ । କିଏ କ'ଣ ବାଧା ସୃଷ୍ଟି କରୁଥିବେ । ତେଣୁ ମୁଁ ପଚାରିଲି - "ତୁମେ କେବେ ମନ୍ଦିର ଭିତରକୁ ଯାଇଛ ?" ସେ କହିଥିଲା - "ହଁ, ଏହାତ ଦିଲ୍ କା ବାତ୍ (ହୃଦୟର କଥା) !"

ମୁଁ କହିଲି - ହଁ ଠିକ କଥା । ମନ ସଫାଥିଲେ ଗଡ଼ିଆ ଗଙ୍ଗା । ଯଦି ଭିତରକୁ ଯିବାକୁ ଚାହୁଁଛ ଆସିପାର ।

ତାର ଟିକିଏ କୁନ୍ଥାଇବା ଅବସ୍ଥା ଦେଖି ମୁଁ କହିଲି - ତେବେ ତୁମେ ଗାଡ଼ି ପାଖରେ ଥାଅ । ମୁଁ ଦର୍ଶନ କରି ଶୀଘ୍ର ଚାଲି ଆସୁଛି । ପଣ୍ଡା ମହାଶୟ ଆଗେ ଆଗେ ଚାଲିଲେ । ମୁଁ ତାଙ୍କ ପଛେ ପଛେ ଗଲି । ପ୍ରଥମେ ସେ ଏକ ପୋଖରୀ କୂଳରେ ପହଞ୍ଚିଲେ । ସେଠାରେ କିଛି ଜଳ ପୁଷ୍ପାଞ୍ଜଳି ପରି ଧରିଲି । ସେ ମନ୍ତ୍ର ପଢ଼ି ମୋତେ ଦୋହରାଇବାକୁ କହିଲେ । ମୁଁ ତାହା କଲାପରେ ପାଖରେ ଥିବା ଗଣେଶ ଓ ଭୈରବୀଙ୍କ ଦର୍ଶନ ମଧ୍ୟ କରାଇଲେ । ଏହି ପୁଷ୍କରିଣୀର ନାମ ସୌଭାଗ୍ୟକୁଣ୍ଡ, ଯେଉଁଠି ପ୍ରଥମେ ଯାତ୍ରୀମାନେ ତର୍ପଣ କରନ୍ତି ।

ତାପରେ ଆମେ ପାହାଚରେ ତଳ ଉପର ହୋଇ କିଛିବାଟ ଗଲୁ । ଅନେକ ପ୍ରକାର ଘର, ମନ୍ଦିର, ଚଉତରା ଆଦି ବିଭିନ୍ନ ସମୟରେ ତିଆରି ହୋଇଥିବାର

                                ୨୮