ପୃଷ୍ଠା:Kaunri Kamachandira dese.pdf/37

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବେକରେ ସାପ ଓ ମୁଣ୍ଡରେ ଜଟା । ଏପରି ଅବସ୍ଥାରେ ନିଜର ଜ୍ୱାଇଁଙ୍କୁ ସମସ୍ତ ଦେବଦେବୀଙ୍କୁ ଦେଖାଇବାକୁ କେଉଁ ଶ୍ୱଶୁରର ମନ ହେବ ?

କିନ୍ତୁ ସତୀଙ୍କର ଇଚ୍ଛା ସେ କିପରି ସେହି ଯଜ୍ଞରେ ଯୋଗଦେବେ । ମାତ୍ର ନିମନ୍ତ୍ରଣ ପାଇ ନଥିବାରୁ ଶିବ ଏଥିରେ ବାରଣ କଲେ । ହେଲେ ଝିଅର ମନ । ବାପଘରେ ଯେତେବେଳେ ଏତେବଡ଼ ଉତ୍ସବ ହେଉଛି, ସେ ନିମନ୍ତ୍ରଣ ନପାଇଲେ ସୁଦ୍ଧା ଯିବେ । ମହେଶ୍ୱର ବାଧ୍ୟ ହୋଇ ଏଥିରେ ରାଜିହେଲେ ।

ଦକ୍ଷଙ୍କ ରାଜପ୍ରାସାଦରେ ଯଜ୍ଞର ବିରାଟ ଆୟୋଜନ । ବହୁ ଦେବାଦେବୀ ସେଠାରେ ଉପସ୍ଥିତ । ଦକ୍ଷ ସତୀଙ୍କୁ ଦେଖି ଶିବଙ୍କୁ ନିନ୍ଦା କଲେ । ସ୍ୱାମୀଙ୍କର ନିନ୍ଦା ସତୀ ସହିପାରିଲେ ନାହିଁ । ତେଣୁ ସେ ଆତ୍ମହତ୍ୟା କଲେ । ଶିବଙ୍କର ଧ୍ୟାନଭଗ୍ନ ହେଲା । ସେ ଏହା ଜାଣିପାରିଲେ । ତେଣୁ ବିଜୁଳି ବେଗରେ ସେ ଆସି ଦକ୍ଷଙ୍କ ଯଜ୍ଞ ପୀଠରେ ପ୍ରବେଶ କଲେ । ଯଜ୍ଞ ପୀଠକୁ ଭାଙ୍ଗି ଚୂରମାର କରିଦେଲେ । ସତୀଙ୍କ ମୃତ ଦେହକୁ ନିଜ କାନ୍ଧରେ ପକାଇ ସାରା ଭାରତରେ ଘୁରି ବୁଲିଲେ । ସାରା ସୃଷ୍ଟି ଥର ହର ହେଲା । ସେ ପାଗଳ ପରି ନାଚିବାରେ ଲାଗିଲେ । ଏହାକୁ ତାଣ୍ଡବ ନୃତ୍ୟ କୁହାଯାଏ ।

ସମଗ୍ର ସୃଷ୍ଟି ଧ୍ୱଂସ ମୁଖରେ ପଡ଼ିବାର ଆଶଙ୍କା ହେଲା । ବିଷ୍ଣୁ ବିଶେଷ ଚିନ୍ତାମଗ୍ନ ହେଲେ । ସେ ଭାବିଲେ- ସତୀଙ୍କ ମୃତ ଦେହକୁ ମହାଦେବଙ୍କ କାନ୍ଧରୁ ଖସାଇ ନ ପାରିଲେ ତାଙ୍କର ରାଗ ଶାନ୍ତ ହେବ ନାହିଁ । ତେଣୁ ସେ ତାଙ୍କ ଅମୋଘ ଅସ୍ତ୍ର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । ସେ ସତୀଙ୍କ ମୃତ ଦେହକୁ କାଟି ଛିନ୍ନ ଭିନ୍ନ କରିଦେଲା । ଭାରତର ବିଭିନ୍ନ ଅଞ୍ଚଳରେ ଏହି ଚ୍ଛିନ୍ନ ଅଂଶମାନ ବିଛାଡ଼ି ହୋଇପଡ଼ିଲା ।

ଗୌହାଟୀ ପାଖ ନାଳ ପର୍ବତ ଉପରେ ସତୀଙ୍କର ପେଟତଳ ଅଂଶଟି ପଡ଼ିଥିଲା । କାମାକ୍ଷା ପାହାଡ଼ ରୂପେ ତାହା ପରେ ପରିଚିତ ହେଲା । କାମାକ୍ଷା ଦେବୀ ସେଠାରେ ପୂଜା ପାଇଲେ । ମହାଦେବ କାନ୍ଧରୁ ସତୀଙ୍କର ମୃତ ଶରୀର ବିଚ୍ଛିନ୍ନ ହୋଇ ପଡ଼ିବାରୁ ସେ କ୍ରମେ ଶାନ୍ତ ହେଲେ । ହିମାଳୟ କୋଳରେ ପୁଣି ସେ ଧ୍ୟାନ କରିବାକୁ ବସିଲେ ।

                           ୩୭