ପୃଷ୍ଠା:Kaunri Kamachandira dese.pdf/38

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେହି ସମୟରେ ତାରକାସୁର ନାମକ ଏକ ରାକ୍ଷସ ବ୍ରହ୍ମାଙ୍କର ବରପାଇ ଖୁବ ବଳୀୟାନ ହେଲା । ସେ ଧରାକୁ ସରା ମଣିଥିଲା । ସେ ସାରା ସୃଷ୍ଟିକୁ ଧ୍ୱଂସ ମୁଖକୁ ଟାଣିନେଲା । ଏଥିରେ ଦେବଦେବୀମାନେ ମଧ୍ୟ ପ୍ରମାଦ ଗଣିଲେ । ଏହି ବିପଦରୁ ମହାଦେବ ରକ୍ଷା କରି ପାରିବେ ବୋଲି ସେମାନେ ଭାବିଲେ । ତାଙ୍କ ଧ୍ୟାନ ଭାଙ୍ଗି ସଂସାର ଜଞ୍ଜାଳରେ ପୁଣି ବାନ୍ଧିବାକୁ ସେମାନେ ଚେଷ୍ଟା କଲେ ।

ସେତେବେଳେ ଥିଲେ ହିମାଳୟଙ୍କର ସ୍ତ୍ରୀ ମେନକା । ଖୁବ୍ ସୁନ୍ଦରୀ । ଏକ ମନମୋହିନୀ କନ୍ୟାକୁ ଜନ୍ମ ଦେବାପାଇଁ ତାଙ୍କୁ ଦେବଦେବୀମାନେ ପ୍ରାର୍ଥନା କଲେ । ସେହି କନ୍ୟା ହିଁ ପାର୍ବତୀ ନାମରେ ମହେଶ୍ୱରଙ୍କର ପତ୍ନୀ ହେଲେ ତାଙ୍କର ଧ୍ୟାନଭଗ୍ନ ହୋଇପାରିବ ଏବଂ ସେ ସଂସାର ମାୟାରେ ବାନ୍ଧି ହେବେ । ମାତ୍ର ଶିବ ଆଉ ଘର ସଂସାର କରିବାକୁ ନାରାଜ ।

ଏଣେ ପାର୍ବତୀ ତାଙ୍କୁ ସ୍ୱାମୀ ରୂପେ ବରଣ କରି ସାରିଛନ୍ତି । କାମଦେବ ନିଜ ପତ୍ନୀ ରତିଙ୍କ ସହିତ ସେଠାରେ ପହଞ୍ଚିଲେ । ମହାଦେବଙ୍କ ମନରେ ବିବାହ କରିବାର ଇଚ୍ଛା ଜଗାଇବାକୁ ଚେଷ୍ଟା କଲେ । ମାତ୍ର ମହାଦେବ ତାଙ୍କୁ ରାଗରେ ଚାହିଁ ଦେଲେ । ତାଙ୍କ ଆଖିର ନିଆଁରେ କାମଦେବ ପୋଡ଼ି ପାଉଁଶ ହୋଇଗଲେ ।

ମହାଦେବ ପୁଣି ଧ୍ୟାନରେ ବସିଗଲେ । ମାତ୍ର ପାର୍ବତୀ ତାଙ୍କୁ ସ୍ୱାମୀ ରୂପେ ପାଇବାରେ ଅଟଳ । ସେ ନ ଖାଇ ନ ପିଇ ଶିବଙ୍କ ନାମ ଜପିବାରେ ଲାଗିଲେ । ପାର୍ବତୀ ଜୀର୍ଣ୍ଣଶୀର୍ଣ୍ଣ ହେଲେ । ନାରଦଙ୍କ ଉଦ୍ୟମରେ ମହାଦେବ ଶେଷରେ ପାର୍ବତୀଙ୍କୁ ବିବାହ କଲେ ।

ଏଣେ ସ୍ୱାମୀଙ୍କୁ ପାଉଁଶରେ ପରିଣତ ହେବା ଦେଖି ରତି ଅତିଶୟ ଦୁଃଖିତ ହେଲେ । ତାଙ୍କର ଛାତିଫଟା କାନ୍ଦରେ ମହାଦେବଙ୍କ ମନ ଗଭୀର ଦୁଃଖ ଓ ଅନୁତାପରେ ଭରିଗଲା । ସେ ପାଉଁଶଗଦାରୁ ପୁଣି କାମଦେବଙ୍କୁ ନୂଆ ଜନ୍ମ ଦେଲେ । କିନ୍ତୁ ହାୟ, ତାଙ୍କର ପୂର୍ବ ସୌନ୍ଦର୍ଯ୍ୟ କୁଆଡ଼େ ଗଲା ? ତେଣୁ ଉଭୟେ କାମଦେବ ଓ ରତିଦେବୀ


                           ୩୮