ପୃଷ୍ଠା:Krutrima upagrahara jayajatra.pdf/୨୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚନ୍ଦ୍ରଦେଶକୁ ଯାତ୍ରା


୧୯୬୬ ମସିହା ଫେବୃୟାରୀ ୩ ତାରିଖରେ ସୋଭିଏତ୍‌ ଋଷ୍‌ ଗୋଟିଏ ମହାକାଶଯାନକୁ ଚନ୍ଦ୍ରକୁ ପଠାଇବାରେ ସଫଳ ହୋଇଥିଲା । ଏହି ଯାନ ଲୁନା-୯ ଚନ୍ଦ୍ର ଉପରେ ଓହ୍ଲାଇ ସେଠାରୁ ବହୁ ଚିତ୍ର ଉଠାଇ ଭୂପୃଷ୍ଟକୁ ପଠାଇଥିଲା ।

କୃତ୍ରିମ ଉପଗ୍ରହରେ ଆମେରିକାର ମହାକାଶଯାତ୍ରୀମାନେ ପୃଥିବୀ ପରିକ୍ରମା କରିବା ସଙ୍ଗେ ସଙ୍ଗେ ଚନ୍ଦ୍ରପାଖରୁ ତାର ପ୍ରାକୃତିକ ତଥା ଭୌଗୋଳିକ ଅବସ୍ଥା ପର୍ଯ୍ୟବେକ୍ଷଣ କରିଥିଲେ । ଅନେକ ଦୃଷ୍ଟିରୁ ଫଟୋଚିତ୍ରମାନ ଉଠାଇ ସେଗୁଡ଼ିକର ଅନୁଧ୍ୟାନ କରିଥିଲେ ଏବଂ ଚନ୍ଦ୍ରରାଜ୍ୟର ବାସ୍ତବ ଅବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ଯେଉଁ ଯାନରେ ସେମାନେ ଏ ଦିଗରେ ବିଶେଷ ସଫଳତା ଅର୍ଜନ କରିଥିଲେ ତାହା ହେଲା ଜେମିନୀ ।

୧୯୬୬ ଖ୍ରୀଷ୍ଟାବ୍ଦ ସେପ୍ଟେମ୍ବର ମାସରୁ ଆମେରିକା ଆଉ ଏକ ନୂତନ ଧରଣର ମହାକାଶଯାନ ବ୍ୟବହାର କରିଥିଲା, ତାର ନାମ ହେଲା ଆପୋଲୋ । ଏହି ଉପଗ୍ରହ ସାହାଯ୍ୟରେ ମନୁଷ୍ୟ ମହାଶୂନ୍ୟରେ ପରିକ୍ରମା କଲା ଏବଂ ଚନ୍ଦ୍ରଦେଶରେ ନିଜର ପାଦ ଦେଇପାରିଲା ।

୧୯୬୯ ମସିହା ମାର୍ଚ୍ଚ ମାସରେ ଆମେରିକାର ତିନିଜଣ ମହାକାଶଚାରୀ ଜେମ୍‌ସ ମ୍ୟାକ୍‌, ଡେଭିଡ୍‌ ଷ୍କଟ୍‌ ଓ ସୋଆଇକଟ୍‌ ଆପୋଲୋ-୯ ରେ ମହାଶୂନ୍ୟକୁ ଯାଇଥିଲେ । ସେଠରେ ସେ ନିଜ ଯାନ ସହିତ ଏକ ଚନ୍ଦ୍ରଯାନ ଯୋଡ଼ିଥିଲେ । ସୋଆଇକଟ୍‌ ମହାଶୂନ୍ୟରେ ୨ ଘଣ୍ଟା ଚାଲିଥିଲେ ଏବଂ ଆପୋଲୋ ଯାନରୁ ଚନ୍ଦ୍ରଯାନ ଓ ଚନ୍ଦ୍ରଯାନରୁ ଆପୋଲୋ ୯ କୁ ଯିବା ଆସିବା କରି ପାରିଥିଲେ । ଏହି ମହାକାଶ ଯାତ୍ରୀମାନେ ଚନ୍ଦ୍ର ଠାରୁ ମାତ୍ର ୧୫ କିମି ଦୂରରେ ଥାଇ କେଉଁ ସ୍ଥାନରେ ମନୁଷ୍ୟ ଓହ୍ଲାଇ ପାରିବ, ତାର କଳ୍ପନା କରିଥିଲେ ।

ସେହି ବର୍ଷ ଆପୋଲୋ-୧୦ ଉପଗ୍ରହ ଚନ୍ଦ୍ରର ଆହୁରି ନିକଟକୁ ଯାଇଥିଲା । ଚନ୍ଦ୍ରପୃଷ୍ଠର ଅବସ୍ଥା ଓ ଜଳବାୟୁ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଓ ଅନୁଭୂତି ସଂଗ୍ରହ କରିବାରେ ସୁବିଧାଜନକ ହୋଇଥିଲା । ଏହା ପରେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବା ପାଇଁ ମନୁଷ୍ୟ ପକ୍ଷେ ସହଜ ହୋଇଥିଲା ।