ପୃଷ୍ଠା:Krutrima upagrahara jayajatra.pdf/୩୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଘଣ୍ଟା ଧରି ପୃଥିବୀକୁ ୩୦ ଥର ପରିକ୍ରମା କରିଥିଲା । ଏପ୍ରିଲ୍‌ ୨୫ ତାରିଖରେ ଯାନଟି ପୂର୍ବରୁ ଥିବା ସାଲ୍ୟୁଟ୍‌ ସହିତ ସଂଯୁକ୍ତ ହୋଇଥିଲା । ବୈଜ୍ଞାନିକଗଣ ଉକ୍ତ ଉପଗ୍ରହ ମଧ୍ୟରେ ସାଢ଼େ ୫ ଘଣ୍ଟା ରହି ବିଭିନ୍ନ ପରୀକ୍ଷା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟ କରିଥିଲେ । ତା’ପରେ ସେମାନେ ନିରାପଦରେ ପୃଥିବୀକୁ ଫେରି ଆସିଥିଲେ ।


ଉପଗ୍ରହ ମଧ୍ୟରେ ସଂଯୋଗ ଓ ଦୁର୍ଯୋଗ

୧୯୭୧ ମସିହା ଜୁନ୍‌ ୬ ତାରିଖରେ ସୋୟୁଜ୍‌-୧୧ ମହାକାଶକୁ ପ୍ରେରିତ ହେଲା । ଏଥିରେ ମଧ୍ୟ ତିନିଜଣ ମହାକାଶଯାତ୍ରୀ ଯାଇଥିଲେ । ସେମାନେ ମହାଶୂନ୍ୟରେ ଦୁଇମାସ କାଳ ପୃଥିବୀକୁ ପରିକ୍ରମା କରିଥିଲେ । ଆଉ ଏକ କୃତ୍ରିମ ଉପଗ୍ରହ ସାଲ୍ୟୁଟ୍‌ ମଧ୍ୟରେ ପ୍ରବେଶ କରିବା ଯୋଜନା କରାଯାଇଥିଲା । ସେହି ଯୋଜନା ଅନୁସାରେ ସାଲ୍ୟୁଟ୍‌ ସହିତ ସୋୟୁଜ୍‌ର ଯୋଗାଯୋଗ ହୋଇଥିଲା । ମହାକାଶଯାତ୍ରୀମାନେ ସୋୟୁଜ୍‌ରୁ ବାହାରି ସାଲ୍ୟୁଟ୍‌ ମଧ୍ୟରେ ପ୍ରବେଶ କଲେ । ତା ମଧ୍ୟରେ ମହାକାଶ ଗବେଷଣା ପାଇଁ ସମସ୍ତ ସୁବିଧା ସୁଯୋଗ ରହିଥିଲା । ସେମାନେ ୨୪ ଦିନ କାଳ ତା ମଧ୍ୟରେ ରହି ବହୁ ପରୀକ୍ଷାନିରୀକ୍ଷା କରିଥିଲେ । ଚାରାଗଛ କେତୋଟି ସେଠାରେ ସେମାନେ ବଢ଼ାଇଥିଲେ । ଅନେକ ଫଟୋଚିତ୍ର ଉଠାଇଥିଲେ । ଶେଷରେ ସେମାନେ ପୃଥିବୀକୁ ଫେରି ଆସୁଥିଲେ । ମାତ୍ର ଦୁର୍ଭାଗ୍ୟକୁ ଭୂପୃଷ୍ଠରେ ପହଞ୍ଚିବାର ମାତ୍ର ୩୦ ମିନିଟ୍‌ ପୂର୍ବରୁ ଯାନରେ ବାୟୁର ଚାପ ଖୁବ୍‌ ବଢ଼ିଗଲା । ମହାକାଶ ଯାତ୍ରୀମନେ ନିଜ ନିଜ ଆସନରେ ବସିଥିବା ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହି ଦୁର୍ଘଟଣା ଯୋଗୁଁ ସାରା ଦୁନିଆରେ ଶୋକର ଛାୟା ଖେଳି ଯାଇଥିଲା ।


ଋଷ୍‌-ଆମେରିକା ସହଯୋଗ

୧୯୭୫ ମସିହା ଜୁଲାଇ ୧୭ ତାରିଖ । ମହାକାଶ ଗବେଷଣାର ଇତିହାସରେ ଏକ ସ୍ମରଣୀୟ ଦିବସ । ସେଦିନ ଋଷ୍‌-ଆମେରିକା ମଧ୍ୟରେ