ପୃଷ୍ଠା:Krutrima upagrahara jayajatra.pdf/୩୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଋଷ୍‌-ଭାରତ ସହଯୋଗ

ବିଶ୍ୱର ପ୍ରଥମ ମହାକାଶଚାରୀ ୟୁରି ଗାଗାରିନ୍‌ ୧୯୬୯ ରେ ଭାରତ ଭ୍ରମଣରେ ଆସଥିଲେ । ଋଷ୍‌ ମହାକାଶଯାତ୍ରୀଙ୍କ ସହିତ ଜଣେ ଭାରତୀୟ ମହାକାଶକୁ ଯାଆନ୍ତୁ ବୋଲି ସେ ପ୍ରସ୍ତାବ ଦେଇଥିଲେ । ୧୯୮୦ ମସିହାରେ ଋଷ୍‌ ରାଷ୍ଟ୍ରପତି ବ୍ରେଜ୍‌ନେଭ୍‌ ଭାରତକୁ ଆସିଥିଲା ବେଳେ ସେହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଚାହିଁଥିଲେ । ଭାରତୀୟ ବିମାନ ବାହିନୀର ୧୨୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବହୁ କଠିନ ପରୀକ୍ଷାନିରୀକ୍ଷା ପରେ ଦୁଇଜଣଙ୍କୁ ବଛା ଯାଇଥିଲା । ସେମାନେ ହେଲେ ରବିଶ୍‌ ମାଲହୋତ୍ରା ଓ ରାକେଶ୍‌ ଶର୍ମା । ସେମାନେ ଦେଢ଼ ବର୍ଷ କାଳ ଋଷ୍‌ରେ ରହି ବିଭିନ୍ନ ପ୍ରକାର ତାଲିମ ପାଇ ମହାକାଶ ଯାତ୍ରା ପାଇଁ ପ୍ରସ୍ତୁତ ହେଲେ ।

ଶେଷରେ ରାକେଶ୍‌ ଶର୍ମାଙ୍କୁ ଭାରତର ପ୍ରଥମ ମହାକାଶଯାତ୍ରୀ ହେବାର ସୌଭାଗ୍ୟ ମିଳିଲା । ୧୯୮୪ ମସିହା ଏପ୍ରିଲ୍‌ ୩ ତାରିଖ ସନ୍ଧ୍ୟା ସାଢ଼େ ୬ ଟାରେ ଋଷ୍‌ର ବୈକାନୁର୍‌ ରକେଟ୍‌ କ୍ଷେପଣକେନ୍ଦ୍ରରୁ ସୋୟୁଜ-୧୧ କୃତ୍ରିମ ଉପଗ୍ରହ ଯାତ୍ରା କରିଥିଲା । ସେଥିରେ ଋଷ୍‌ର ମହାକାଶଚାରୀ ୟୁରି ମାଲିସେଭ୍‌ ଓ ଚେନ୍ନାଡ଼ି ଷ୍ଟ୍ରାକଲୋଭ୍‌ଙ୍କ ସହିତ ରାକେଶ୍‌ ଶର୍ମା ଯାଇଥିଲେ । ମାତ୍ର ୯ ମିନିଟ୍‌ ପରେ ମହାକାଶଯାତ୍ରୀମନେ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ ।

ପୂର୍ବରୁ ମହାକାଶରେ ଘୁରି ବୁଲୁଥିବା ସାଲ୍ୟୁଟ୍‌-୭ ଗବେଷଣାକେନ୍ଦ୍ର ସହିତ ଏହା ମିଳିତ ହୋଇଥିଲା । ସେଥିରେ ଆଗରୁ ତିନିଜଣ ବୈଜ୍ଞାନିକ ପରୀକ୍ଷାନିରୀକ୍ଷା କରୁଥିଲେ । ସେମାନଙ୍କ ସହିତ ସୋୟୁଜ୍‌-୧୧ର ମହାକାଶଯାତ୍ରୀମାନେ ଯୋଗ ଦେଲେ । ସେମାନେ ପରସ୍ପରକୁ ଆନନ୍ଦରେ କୁଣ୍ଢାଇ ପକାଇଥିଲେ । ଏହି ଚିତ୍ରଗୁଡ଼ିକୁ ପୃଥିବୀବାସୀମାନେ ଟେଲିଭିଜନ୍‌ରେ ଦେଖି ଖୁବ୍‌ ଆନନ୍ଦିତ ହୋଇଥିଲେ ।