ଶକ୍ତି ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଥିଲା । ଏଥିପାଇଁ ୧୭ ହଜାର ସୌର ସେଲ୍ ଥିବା ପ୍ୟାନେଲ୍ ଉପଗ୍ରହରେ ଖଞ୍ଜା ଯାଇଥିଲା ଏବଂ ଏହା ସୂର୍ଯ୍ୟ ଆଡ଼କୁ ମୁହଁ କରିଥିଲା ବେଳେ ୪୬ ୱାଟ୍ ବିଦ୍ୟୁତ୍ ଶକ୍ତି ତିଆରି କରୁଥିଲା । ପୃଥିବୀ ଆଢୁଆଳରେ ରହିଗଲେ ସୌରଶକ୍ତି ପାଇ ପାରେ ନାହିଁ । ତେଣୁ ସେହି ସମୟରେ ବ୍ୟାଟେରୀ ଚାଳିତ ପ୍ରଣାଳୀରେ ବିଦ୍ୟୁତ୍ଶକ୍ତି ସୃଷ୍ଟି କରାଯାଇ କୃତ୍ରିମ ଉପଗ୍ରହକୁ କାର୍ଯ୍ୟକ୍ଷମ ରଖାଯାଇଥାଏ ।
ପୃଥିବୀ ପରିକ୍ରମା
ଏହି କୃତ୍ରିମ ଉପଗ୍ରହ ପୃଥିବୀଠାରୁ ପ୍ରାୟ ୬୦୦ କି.ମି. ଉପରେ ରହି ବିଶ୍ୱକୁ ପରିକ୍ରମା କରୁଥିଲା । ପୃଥିବୀ ଚାରିପାଖରେ ଥରେ ବୁଲି ଆସିବା ପାଇଁ ଏହାକୁ ୯୬.୪୧ ମିନିଟ୍ ସମୟ ଲାଗୁଥିଲା । ଏହା ଛଅ ମାସ କାଳ ସକ୍ରିୟ ରହି ବିଭିନ୍ନ ତଥ୍ୟ ଯୋଗାଇବାର ଥିଲା । ସୌର ମଣ୍ଡଳର ବିକିରଣ, ପାଣିପାଗ, ବୃକ୍ଷଲତା, ଭୂଗର୍ଭରେ ଥିବା ସମ୍ପଦ ସମ୍ପର୍କରେ ତଥ୍ୟମାନ ଯୋଗାଇ ପାରିବ ବୋଲି ବ୍ୟବସ୍ଥା ରହିଥିଲା । ମାତ୍ର ୫୦ ଥର ପରିକ୍ରମା କଲା ପରେ ଉପଗ୍ରହର ବିଦ୍ୟୁତ୍ ସରବରାହରେ ଗଣ୍ଡଗୋଳ ଦେଖା ଦେଇଥିଲା । ଯାହା ଫଳରେ ଏହାର ତିନୋଟି ବୈଜ୍ଞାନିକ ପରୀକ୍ଷାକୁ ବନ୍ଦ କରାଯାଇଥିଲା ।
ଅନେକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠେ - ଭାରତୀୟ ବୈଜ୍ଞାନିକମାନେ ଯଦି ଏତେ ଜଟିଳ ଉପଗ୍ରହଟିଏ ଗଢ଼ି ପାରିଲେ, ଏହାକୁ ମହାକାଶକୁ ପଠାଇବା ପାଇଁ ଋଷ୍ ଉପରେ ନିର୍ଭର କଲେ କାହିଁକି ? ଆର୍ଯ୍ୟଭଟ୍ଟକୁ ମହାଶୂନ୍ୟକୁ ପ୍ରେରଣ କରିବା ନିମନ୍ତେ ଶକ୍ତିଶାଳୀ ରକେଟ୍ ଦରକାର । ଭାରତରେ ଏପରି ରକେଟ୍ କେନ୍ଦ୍ର ନ ଥିଲା । ଉତ୍କ୍ଷେପଣ ସମୟରେ ଉପଗ୍ରହର ଗତି ଘଣ୍ଟାକୁ ୨୯ ହଜାର କି.ମି. ହେବା ଆବଶ୍ୟକ । ନଚେତ୍ ଏହା ମାଧ୍ୟାକର୍ଷଣ ଶକ୍ତିକୁ ଅତିକ୍ରମ କରି ନ ପାରି ଭୂପୃଷ୍ଠରେ ଖସି ପଡ଼ିବ । ସେଥିପାଇଁ ଶକ୍ତିଶାଳୀ ରକେଟ୍ ଓ ଉତ୍କ୍ଷେପଣ ଘାଟୀ ନିତାନ୍ତ ଦରକାର।