ପୃଷ୍ଠା:Krutrima upagrahara jayajatra.pdf/୪୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

‌ମହାଶୂନ୍ୟକୁ ଛୁଟିଲା

ରକେଟ୍‌ ଭାସ୍କରକୁ ଧରି ମହାକାଶକୁ ଛୁଟିଲା । ଚାରିଟା ଦଶ ମିନିଟ୍‌ରେ ରକେଟ୍‌ର ପ୍ରଥମ ଖଣ୍ଡ ଜଳିପୋଡ଼ି ଆକାଶରେ ଲୀନ ହୋଇଗଲା । ଭାସ୍କର ଅନ୍ତରୀକ୍ଷ ଅଭିମୁଖେ ଗତି କଲା । ତାର ତାପରକ୍ଷାକାରୀ କବଚ ସଦୃଶ ଖୋଳଟି ଫାଟି ଜଳିଗଲା । ସେଥିରୁ ବାହାରି ଭାସ୍କର ମହାଶୂନ୍ୟରେ ଛୁଟିବାରେ ଲାଗିଲା । ସେତେବେଳକୁ ଭାରତରେ ସନ୍ଧ୍ୟା ସମୟ ।

ଏହାର ଓଜନ ଥିଲା ୪୪୦ କିଲୋଗ୍ରାମ । ଏହାକୁ ନିର୍ମାଣ କରିବାରେ ୬ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା । ବାଙ୍ଗାଲୋର ଉପଗ୍ରହ କେନ୍ଦ୍ରରେ ଭାରତୀୟ ବିଜ୍ଞାନୀ ଓ ଇଞ୍ଜିନିୟରମାନେ ଏହାକୁ ନିର୍ମାଣ କରିଥିଲେ । ଏହି ଉପଗ୍ରହରେ ଶକ୍ତିଶାଳୀ କ୍ୟାମେରା, ଦୂରଗ୍ରାହୀ ଯନ୍ତ୍ର (Remote Sensor), ମାଇକ୍ରୋୱେଭ୍‌ ରେଡ଼ିଓ ମିଟର ପ୍ରଭୃତି ଖଞ୍ଜା ଯାଇଥିଲା । ଏହି ଉପଗ୍ରହ ନିର୍ମାଣରେ ୧୪ଟି ଭାରତୀୟ ସଂସ୍ଥା ଓ ୨୮ଟି ଋଷୀୟ ସଙ୍ଗଠନ ସହଯୋଗ କରିଥିଲେ।


ଦୁଇଜଣ ପଣ୍ଡିତ

ଭାସ୍କରଙ୍କ ନାମରେ ଭାରତରେ ଥିଲେ ଦୁଇଜଣ ପଣ୍ଡିତ । ସେମାନେ ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ । ଜଣେ ୬ଷ୍ଠ ଶତାବ୍ଦୀରେ ଆନ୍ଧ୍ର କିମ୍ବା କେରଳ ପ୍ରଦେଶରେ ବାସ କରୁଥିଲେ । ସେ କଲଭୀ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରୁଥିଲେ ଏବଂ ମହାଭାସ୍କରୀୟ, ଲଘୁଭାସ୍କରୀୟ ଓ ଆର୍ଯଭଟ୍ଟୀୟ ଭାଷ୍ୟ ନାମରେ ତିନୋଟି ଅମୂଲ୍ୟ ଗ୍ରନ୍ଥ ରଚନା କରିଥିଲେ । ଆଉ ଜଣେ ଭାସ୍କର ଦ୍ୱାଦଶ ଶତାବ୍ଦୀରେ କର୍ଣ୍ଣାଟକ ରାଜ୍ୟର ବିଜାପୁର ନଗରୀରେ ବାସ କରୁଥିଲେ । ସେ ଛଅଟି ବିଶିଷ୍ଟ ପୁସ୍ତକ ଲେଖିଥିଲେ ।


କାର୍ଯ୍ୟ ଆରମ୍ଭ କଲା

ଭାସ୍କର ଦ୍ୱାରା ବିଭିନ୍ନ କାର୍ଯ କରିବାର ପରିକଳ୍ପନା ହୋଇଥିଲା ।