ପୃଷ୍ଠା:Krutrima upagrahara jayajatra.pdf/୫୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି
51

ବୈଜ୍ଞାନିକ ଯନ୍ତ୍ରବଳରେ ସେଗୁଡ଼ିକର ବିଶ୍ଳେଷଣ କରାଯାଇଥାଏ । ଏହି ବିଶ୍ଳେଷଣଲବ୍ଧ ତଥ୍ୟ ଦେଶବାସୀଙ୍କର ପ୍ରଭୂତ ଉପକାରରେ ଲାଗିଥାଏ ।


'ଆପଲ୍‌'

ରୋହିଣୀର ସଫଳ ପରିକ୍ରମା ଆମଦେଶର ମହାକାଶ ଗବେଷଣା କ୍ଷେତ୍ରରେ ଏକ ବିରାଟ ସଫଳତା । ଏହା ନିୟମିତ ଭାବରେ ସଂକେତ ପଠାଇବାରେ ସମର୍ଥ ହୋଇପାରିଥିଲା । ୧୯୮୧ ମସିହା ଜୁନ୍‌ ୧୯ ତାରିଖରେ ଭାରତର ଆଉ ଏକ କୃତ୍ରିମ ଉପଗ୍ରହ ଆପଲ୍‌ ମହାକାଶରେ ସ୍ଥାପିତ ହୋଇପାରିଥିଲା । ଏହାର ଓଜନ ୬୭୩ କିଲୋଗ୍ରାମ । ଦକ୍ଷିଣ ଆମେରିକା ମହାଦେଶର ଉତ୍ତରରେ ଅବସ୍ଥିତ ଫ୍ରେଞ୍ଚଗୁଏନା ଦେଶର କ୍ୟୁରୋ ମହାକାଶ କେନ୍ଦ୍ରରୁ ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା । ଏହା ପ୍ରଥମେ ଭୂପୃଷ୍ଠରୁ ୨୦୦ କି.ମି. ରୁ ୩୫,୮୦୦ କି.ମି. ପର୍ଯ୍ୟନ୍ତ ଦୂରତା ମଧ୍ୟରେ ପୃଥିବୀକୁ ପରିକ୍ରମା କରୁଥିଲା । ପ୍ରତି ସାଢ଼େ ୧୦ ଘଣ୍ଟାରେ ଥରେ ଏହା ପୃଥିବୀକୁ ପ୍ରଦକ୍ଷିଣ କରୁଥିଲା ।

କ୍ରମେ ବିଭିନ୍ନ ଯାନ୍ତ୍ରିକ ଓ ରାସାୟନିକ ପଦକ୍ଷେପ ଗ୍ରହଣ କରାଯାଇ ଏହି ଉପଗ୍ରହର କକ୍ଷପଥକୁ ଅଧିକ ଗୋଲାକାର କରାଗଲା । ଶେଷରେ ନିଜର କକ୍ଷପଥରେ ଘୂରିବାକୁ ପୃଥିବୀକୁ ଯେତିକି ସମୟ ଲାଗେ, ଏହା ସେତିକି (୨୪ ଘଣ୍ଟା) ସମୟ ନେଲା । ତେଣୁ ଏହି ଉପଗ୍ରହ ଆପଲ୍‌ ଗୋଟିଏ ସ୍ଥାନରେ ଥିବା ଭଳି କାର୍ଯ୍ୟ କଲା । ତେଣୁ ଏହାର ଭୂସ୍ଥିର ଅବସ୍ଥା (Geostationary Position) ଯୋଗୁଁ ଯୋଗାଯୋଗ କାର୍ଯ୍ୟକ୍ରମ ସୁବିଧାଜନକ ହୋଇପାରିଲା।

ୟୁରୋପର ୧୧ଟି ଦେଶ ମିଶି ୟୁରୋପୀୟ ମହାକାଶ ସଂସ୍ଥା (European Space Agency) ଗଠନ କରିଛନ୍ତି । ଏହି ସଂସ୍ଥା ଆରିୟାନ୍‌ ରକେଟ୍‌ ତିଆରି କରିବାରେ ସଫଳ ହୋଇପାରିଛି । ଏହା ତ୍ରିସ୍ତରୀୟ ଓ ତରଳ ଇନ୍ଧନ ଦ୍ୱାରା ପରିଚାଳିତ । ଏହାର ଉଚ୍ଚତା ୪୭ ମିଟର ଓ ବ୍ୟାସ ୩.୮ ମିଟର । ଉତ୍‌କ୍ଷେପଣ ସମୟରେ ଏହାର ଓଜନ ୨୧୭ ଟନ୍‌ । ମାତ୍ର ଏହାର ଶତକଡ଼ା ୯୦ ଭାଗ କେବଳ ଇନ୍ଧନର ଓଜନ ।