ଇନ୍ସାଟ ଉପଗ୍ରହର କାର୍ଯ୍ୟ ବହୁମୁଖୀ । ଏହା ପାଣିପାଗ ଓ ଜଳବାୟୁ ସମ୍ପର୍କରେ ଭବିଷ୍ୟତବାଣୀ ଶୁଣାଇଥାଏ । ତାର ଯୋଗାଯୋଗ ପାଇଁ ଏହା ଖୁବ୍ ସହାୟକ ହୋଇଥାଏ । ସୁଦୂର ପୁରପଲ୍ଲୀରେ ଏହା ଦୂରଦର୍ଶନ ସେବା କାର୍ଯ୍ୟକ୍ରମର ପ୍ରସାର ଘଟଇଥାଏ । ବିଶେଷ ଭାବରେ ଶିକ୍ଷା କ୍ଷେତ୍ରରେ ରେଡ଼ିଓ ଓ ଟେଲିଭିଜନ କାର୍ଯ୍ୟକ୍ରମର ପ୍ରସାରଣ ପାଇଁ ଇନ୍ସାଟ୍ ଏକ ଉଜ୍ଜ୍ୱଳ ଅଧ୍ୟାୟ ଖୋଲିଦେଇଛି । ସକାଳ ବେଳା ପ୍ରାଥମିକ ବିଦ୍ୟାଳୟ ପାଇଁ ଏବଂ ସନ୍ଧ୍ୟା ସମୟରେ ସମାଜର ସବୁ ଗୋଷ୍ଠୀର ଜନସାଧାରଣଙ୍କ ପାଇଁ ଦୂରଦର୍ଶନ କାର୍ଯ୍ୟକ୍ରମମାନ ସମ୍ପ୍ରସାରିତ ହୋଇଥାଏ ।
ଇନ୍ସାଟ ଉପଗ୍ରହ ସମ୍ପ୍ରତି ମହାକାଶ ଗବେଷଣା କ୍ଷେତ୍ରରେ ଏକ ସ୍ୱର୍ଣ୍ଣ ଯୁଗର ସନ୍ଧାନ ଦେଇଛି । ଭାରତ ପରି ବିରାଟ ଭୂଖଣ୍ଡରେ ଯୋଗାଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଏବଂ ଏହି ସମସ୍ୟାର ସମାଧାନରେ ଇନ୍ସାଟ୍ ବିଶେଷ ସହାୟକ ହୋଇଛି । ସମଗ୍ର ଦେଶରେ କୃଷି, ଶିକ୍ଷା, ଶିଳ୍ପ, ସ୍ୱାସ୍ଥ୍ୟ, କ୍ରୀଡ଼ା, ଜାତୀୟ ସଂହତି, ପରିବେଶ ଉନ୍ନୟନ ଆଦି ଜାତୀୟ ବିକାଶର ବିଭିନ୍ନ ବିଭାଗରେ ଏହାର ଅଭୂତପୂର୍ବ ପ୍ରଭାବ ପଡ଼ିଛି ।
ଆଇ.ଆର୍.ଏସ୍.-୧
ଆଜିକାଲି ମହାକାଶରେ ଅସଂଖ୍ୟ କୃତ୍ରିମ ଉପଗ୍ରହ ଲୀଳାଖେଳା କରୁଛନ୍ତି । ରାତ୍ରିର ଗଭୀର ଅନ୍ଧକାର ମଧ୍ୟରେ ଆକାଶକୁ ଚାହିଁଲେ ଆମେ ଅନେକ ନକ୍ଷତ୍ରର ଅସ୍ତିତ୍ୱ ଉପଲବ୍ଧ କରୁଁ । ସେଥିମଧ୍ୟରୁ କେତେକ "ନକ୍ଷତ୍ର" ପରି ଆକାଶରେ ଦକ୍ଷିଣରୁ ଉତ୍ତରକୁ ଯାଉଥିବାର ଦେଖାଯାଏ । କିନ୍ତୁ ପ୍ରକୃତରେ ସେଗୁଡ଼ିକ ନକ୍ଷତ୍ର ବା ତାରା ନୁହଁନ୍ତି । ସେଗୁଡ଼ିକ ହେଉଛି କୃତ୍ରିମ ଉପଗ୍ରହ । ସେଥିରୁ ଗୋଟିଏ ହେଉଛି ଆଇ.ଆର୍.ଏସ୍.-୧ (Indian Remote Sensing Satellite) ବା ସୁଦୂର ସମ୍ବେଦନଶୀଳ ଉପଗ୍ରହ ।
ଏହି ଆଇ.ଆର୍.ଏସ୍ ଉପଗ୍ରହଟି ୧୯୮୮ ମସିହା ମାର୍ଚ୍ଚମାସ ୧୭ ତାରିଖରେ ସୋଭିଏତ୍ ଋଷ୍ର ଏକ ଶକ୍ତିଶାଳୀ ରକେଟ୍ "ଭୋସ୍ତକ" ସାହାଯ୍ୟରେ ମହାକାଶକୁ ଛଡ଼ା ଯାଇଥିଲା । ଭାରତୀୟ ବିଜ୍ଞାନୀଗଣ ଏହାକୁ ନିର୍ମାଣ କରିଥିଲେ । ଏହା ଅନ୍ତରୀକ୍ଷରୁ ପୃଥିବୀର ଫଟୋଚିତ୍ର ଉତ୍ତୋଳନ