ପୃଷ୍ଠା:Krutrima upagrahara jayajatra.pdf/୬୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହା ପୃଥିବୀର ମାଧ୍ୟାକର୍ଷଣ ଶକ୍ତିର ବନ୍ଧନକୁ ଅତିକ୍ରମ କରିପାରିବ । ଥରେ ସେହି ପଦାର୍ଥ ମହାଶୂନ୍ୟକୁ ଚାଲିଗଲେ, ଆଉ ଫେରି ଆସିବା କଷ୍ଟ । ମାତ୍ର ଏହି ବଳର ପରିମାଣ କଳନା କରିବା କଷ୍ଟକର । ବୈଜ୍ଞାନିକମାନେ କହନ୍ତି ଯଦି କୌଣସି ପଦାର୍ଥରେ ଘଣ୍ଟାକୁ ୨୫,୦୦୦ ମାଇଲ୍‌ ବା ପ୍ରାୟ ୩୭,୦୦୦ କି.ମି.ରୁ ଅଧିକ ବେଗ (ପଳାୟନ ବେଗ-Escape Velocity) ଦେଇ ପାରିବା, ତେବେ ତାହା ପୃଥିବୀର ଆକର୍ଷଣ ଶକ୍ତିକୁ ଅତିକ୍ରମ କରି ମହାଶୂନ୍ୟକୁ ଚାଲିଯାଇ ପାରିବ।

ଏଥିପାଇଁ ରକେଟର ପ୍ରବଳ ଶକ୍ତିକୁ ଉପଯୋଗ କରାଯାଇଥାଏ । ଶକ୍ତିଶାଳୀ କ୍ଷେପଣାସ୍ତ୍ର ଓ ରକେଟ୍‌କୁ ପୃଥିବୀ ପୃଷ୍ଠରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବା ପାଇଁ ବା କୌଣସି ପଦାର୍ଥକୁ ଟାଣି ନେବା ପାଇଁ ସମର୍ଥ ହୋଇଥାଏ । ମାତ୍ର ମାଧ୍ୟାକର୍ଷଣ ଶକ୍ତିକୁ ଅତିକ୍ରମ କରି ମହାଶୂନ୍ୟରେ ପ୍ରବେଶ କରିବା ସମ୍ଭବ ହୁଏ ନାହିଁ । ଏଥିପାଇଁ ବହୁସ୍ତରୀୟ ରକେଟ୍‌ର ସାହାଯ୍ୟ ନିଆ ଯାଇଥାଏ । ଅର୍ଥାତ୍‌ ଗୋଟିଏ ପରେ ଗୋଟିଏ ରକେଟ୍‌ କାର୍ଯ୍ୟକାରୀ ହୋଇ ଶେଷରେ କୃତ୍ରିମ ଉପଗ୍ରହକୁ ମହାଶୂନ୍ୟ ପଥରେ ଅବସ୍ଥାପିତ କରିଥାଏ । ଏହି ତ୍ରିସ୍ତରୀୟ ରକେଟ୍‌ ବ୍ୟବସ୍ଥାରେ ପ୍ରଥମେ ଯେଉଁ ରକେଟ୍‌ଟି କାର୍ଯ୍ୟ କରେ, ତାହା ସବୁଠାରୁ ବଡ଼ । ତେଣୁ ଏହାକୁ କୁହାଯାଏ ବୁଷ୍ଟର ରକେଟ୍‌ । ଦ୍ୱିତୀୟ ରକେଟ୍‌ଟି ଅପେକ୍ଷାକୃତ୍ର କ୍ଷୁଦ୍ର ଓ ତୃତୀୟଟି ଆହୁରି କ୍ଷୁଦ୍ର ହୋଇଥାଏ ।

କୃତ୍ରିମ ଉପଗ୍ରହକୁ ଭୂପୃଷ୍ଠରୁ ପ୍ରଥମେ ଛଡ଼ାଗଲା ବେଳେ ବୁଷ୍ଟର ରକେଟ୍‌ରେ ଅଗ୍ନି ସଂଯୋଗ ହୋଇଥାଏ । ଏହା ଫଳରେ କୃତ୍ରିମ ଉପଗ୍ରହ ସହିତ ଅନ୍ୟ ଦୁଇଟି ରକେଟ୍‌ ଭୂପୃଷ୍ଠରୁ ୬୦/୭୦ କି.ମି. ଉଚ୍ଚକୁ ଉଠିଯାଏ । ମାତ୍ର ବୁଷ୍ଟର ରକେଟ୍‌ଟି ଜଳିଯାଇ ଖସିପଡ଼େ । ତାପରେ ପରେ ଦ୍ୱିତୀୟ ରକେଟ୍‌ଟି ବିସ୍ଫୋରିତ ହୁଏ ଏବଂ କୃତ୍ରିମ ଉପଗ୍ରହ ସହିତ ତୃତୀୟ ରକେଟ୍‌ଟି ଭୂପୃଷ୍ଠରୁ ପ୍ରାୟ ୩୦୦ କି.ମି. ଉଚ୍ଚକୁ ନେଇଯାଏ । ତାପରେ ଏହା ପୋଡ଼ିଯାଇ ଖସିପଡ଼େ ଏବଂ ତୃତୀୟ ରକେଟ୍‌ଟି କାର୍ଯ୍ୟକାରୀ ହୁଏ । ଏହା ଫଳରେ କୃତ୍ରିମ ଉପଗ୍ରହ ପୃଥିବୀଠାରୁ ପ୍ରାୟ ୩୬,୦୦୦ କି.ମି. ଉଚ୍ଚତାକୁ ଚାଲିଯାଏ । ଏହି ଯେଉଁ ତିନୋଟି ରକେଟ୍‌ କାର୍ଯ୍ୟ କରେ, ତାହା ଖୁବ୍‌ ଶୀଘ୍ର ଗୋଟିଏ ପରେ ଗୋଟିଏ ବିସ୍ଫୋରିତ ହୋଇଥାଏ ଏବଂ ଏଥିରେ କାଳବିଳମ୍ବ ଘଟେ ନାହିଁ ।