ପୃଷ୍ଠା:Krutrima upagrahara jayajatra.pdf/୬୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନେଇଥାଏ । ଉଦାହରଣ ସ୍ୱରୂପ, ଅରଣ୍ୟର ହ୍ରାସ ହେଉଥିବା ଜାଣି ନୂତନ ଜଙ୍ଗଲ ସୃଷ୍ଟି କରିବା ବା ନଦୀର ଗତିପଥ ପରିବର୍ତ୍ତନ ହେଉଥିବାରୁ ତାର ପ୍ରତିରୋଧକ ବ୍ୟବସ୍ଥା କରିବା କିମ୍ବା ଭୂମିକ୍ଷୟ ହେଉଥିବା ଅଞ୍ଚଳର କଳନା କରି ତାର ପ୍ରତିକାର କରିବା ସମ୍ଭବ ହୋଇପାରୁଛି ।

କୃତ୍ରିମ ଉପଗ୍ରହ ଅନ୍ତରୀକ୍ଷରେ ରହି ବହୁ ବୈଜ୍ଞାନିକ ପରିକ୍ଷାନିରୀକ୍ଷା କରିଥାଏ । ମନୁଷ୍ୟ ଏପରି ସ୍ଥାନରେ ଦୀର୍ଘ ସମୟ ରହି ପରୀକ୍ଷାନିରୀକ୍ଷା କରିବା ସମ୍ଭବ ହୋଇନଥାଏ । କୃତ୍ରିମ ଉପଗ୍ରହ ଦ୍ୱାରା ପ୍ରେରିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଫଟୋରୁ ବିଜ୍ଞାନୀମାନେ ବାସ୍ତବ ଅବସ୍ଥା ସମ୍ପର୍କରେ କଳନା କରିଥାନ୍ତି । ବିଶେଶ ଭାବରେ ମନୁଷ୍ୟ କୌଣସି ଗ୍ରହ ଉପଗ୍ରହକୁ ଯିବା ପୂର୍ବରୁ କୃତ୍ରିମ ଗ୍ରହ ପଥ ପ୍ରଦର୍ଶକ ଭାବରେ କାର୍ଯ୍ୟ କରିଥାଏ । ଚନ୍ଦ୍ରକୁ ଯିବା ପୂର୍ବରୁ ମନୁଷ୍ୟ କୃତ୍ରିମ ଗ୍ରହ ପଠାଇ ସେଠାର ପ୍ରାକୃତିକ ଅବସ୍ଥା ସମ୍ପର୍କରେ ସଠିକ୍‌ ଧାରଣା କରିଥିଲା । ଏବେ ସେହି ପରି ମନୁଷ୍ୟ କୃତ୍ରିମ ଗ୍ରହ ପଠାଇ ମଙ୍ଗଳ ଓ ଶୁକ୍ର ଗ୍ରହ ବିଷୟରେ ଆନୁଷଙ୍ଗିକ ତଥ୍ୟ ସଂଗ୍ରହ କରିଥାନ୍ତି । ମନୁଷ୍ୟ ଭବିଷ୍ୟତରେ ଯେଉଁ ଗ୍ରହାନ୍ତର ଯାତାର ସ୍ୱପ୍ନ ଦେଖୁଛି, ସେଥିରେ କୃତ୍ରିମ ଗ୍ରହ ହିଁ ତାର ପ୍ରଧାନ ସମ୍ବଳ।

ଆଧୁନିକ ରାଷ୍ଟ୍ରଗୁଡ଼ିକ କୃତ୍ରିମ ଉପଗ୍ରହକୁ ସାମରିକ ଓ ଗୁପ୍ତଚର କାର୍ଯ୍ୟରେ ଲଗାଉଛନ୍ତି । ସୁଦୂର ଅନ୍ତରୀକ୍ଷରେ ରହି ବିଭିନ୍ନ ଯାନ ଓ କ୍ଷେପଣାସ୍ତ୍ର (Missile) ପରି ଅସ୍ତ୍ରଶସ୍ତ୍ର ସମ୍ପର୍କରେ ଏହା ତଥ୍ୟ ଯୋଗାଇ ପାରୁଛି । ଫଳତଃ ସମ୍ପୃକ୍ତ ରାଷ୍ଟ୍ରଗୁଡ଼ିକ ପୂର୍ବରୁ ସତର୍କ ହୋଇ ପାରୁଛନ୍ତି । ଶତ୍ରୁ ରାଷ୍ଟ୍ରରେ ସାମରିକ ସ୍ଥିତି, ସୈନ୍ୟ ଓ ଯାନର ପରିଚାଳନା ପ୍ରଭୃତି ବିଷୟରେ କୃତ୍ରିମ ଗ୍ରହଠାରୁ ସୂଚନାମାନ ମିଳିପାରୁଛି । ଭୂଗର୍ଭରେ କେଉଁ ଦେଶ ଆଣବିକ ପରୀକ୍ଷା କଲେ ତାହା ଅନ୍ତରୀକ୍ଷରେ ପରିକ୍ରମା କରୁଥିବା କୃତ୍ରିମ ଉପଗ୍ରହ ପାଖରେ ଅଗୋଚର ବା ଅଛପା ରହେ ନାହିଁ ।


ଭବିଷ୍ୟତର ସମ୍ଭାବନା

ଅନ୍ତରୀକ୍ଷରେ କୃତ୍ରିମ ଉପଗ୍ରହକୁ ମନୁଷ୍ୟ ଆଜିକାଲି ଯେମିତି