୧୧୭
ଦୁଃଖ କହିବି କି ସୁଖ କହିବି
ସେମିତି ଇଂଲଣ୍ତର ପାର୍ଲିମେଣ୍ଟ ଶାସନ, ଇଟାଲିର ଫାସିଜିମ୍ ଏବଂ ରୁମାନିଆର ସ୍ୱୟଂ ରାଜାଙ୍କର ମଧ୍ୟ ଏକତନ୍ତ୍ର ଶାସନ (Dictatorship) ଦେଖାଯାଏ ।
ଏ ସବୁ ବିଚିତ୍ର ରକମ ଶାସନକଳ ଚଳାଇବାରେ ଦେଶ ଲୋକଙ୍କର ହାତ କେଉଁଠି କେତେ ରହିଚି, ଅବା ସର୍ବସାଧାରଣର ଦୁଃଖ ଗୁହାରି ଜଣାଇ ତାହାର ପ୍ରତିକାର ଲୋଡିବା ସକାଶ କେଉଁ ଦେଶରେ କେତେ ସୁବିଧା ରଖା ଯାଇଚି, ଅନ୍ୟ କଥାରେ କେଉଁ ଦେଶରେ କେତେ ପରିମାଣ ଲୋକଙ୍କୁ 'ମଣିଷ' ତଳେ ଗଣା ହୋଇ ଭୋଟ ଅଧିକାର ମିଳିଚି ଏବଂ ବହୁ ସଂଖ୍ୟକ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଘୁଞ୍ଚାଇବା ଦିଗରେ ସେ ଭୋଟର କରାମତି କେତେ - ଇତ୍ୟାଦି କଥା ମନେ କଲା ବେଳେ ସେ ସବୁ ଦେଶ ଗୁଡିକ ସଙ୍ଗେ ଭାରତବର୍ଷର ତୁଳନା ଆପେ ଆସି ହାଜର ହୁଏ ।
ମହାଯୁଦ୍ଧ ପରେ ୟୁରୋପର ଇଟାଲୀ, ଜର୍ମାନୀ, ରୁଷିଆ, ତୁର୍କୀ ପ୍ରଭୃତି ବଡ଼ ଛୋଟ ଦେଶ ଗୁଡ଼ିକରେ ଆଗ କାଳର ଶାସନତନ୍ତ୍ରକୁ ଲୋକେ ଯେମିତି ସନ୍ଦେହ ଆଖିରେ ଦେଖି ନୂଆ ରକମ ଶାସନ ପାଇଁ ଆନ୍ଦୋଳନ ଆରମ୍ଭ କରି ଦେଲେ, ଯୁଦ୍ଧ ସହିତ ପ୍ରତ୍ୟକ୍ଷ ଯୋଗ ନ ଥିଲେ ହେଁ ଏସିଆ ମହାଦେଶରେ ଭାରତ, ଚୀନ ଓ ମିଶର ପ୍ରଭୃତି ଦେଶମାନଙ୍କରେ ମଧ୍ୟ ସେହି ପରି ଆନ୍ଦୋଳନର ଢ଼େଉ ଖେଳି ଉଠିଲା । ଲେନୀନ୍, ମୁସୋଲିନି, ହିଟ୍ଲର, କେମାଲଙ୍କ ପରି ଜର୍ଲୁଲ, ଗାନ୍ଧୀ ଓ ସନ୍ୟାତ୍ ସେନଙ୍କର ଅଭ୍ୟୁଦୟରେ ମିଶର, ଭାରତ ଏବଂ ଚୀନ ଦେଶର ମାଟି ଚଞ୍ଚଳ ହୋଇ ଉଠିଲା । ୧୯୧୭ ମସିହାରେ କଲିକତା କଂଗ୍ରେସରେ ଅସହଯୋଗର ସୂତ୍ରପାତ; ୧୯୨୨ ଅକ୍ଟୋବର ମାସରେ ମୁସୋଲିନିଙ୍କ ନେତୃତ୍ୱରେ ଫାସିଷ୍ଟ