ପୃଷ୍ଠା:Netrutya O Netrutwa.pdf/୧୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦
ନେତୃତ୍ୱ ଓ ନେତୃତ୍ୱ


ଭୁଲି ସମାନ ନୀତି ଓ ସମାନ କର୍ମ ଯୋଜନା ଘେନି ସମ୍ମାନ ଦୁଃଖ ତ୍ୟାଗ ଓ ସ‌ହିଷ୍ଣୁତା ଥିବାର ଶୁଣାଯାଏ ଏବଂ ଏକା ଜେଲରେ ଏକା ରକମ ଖାଟେଣି ଖଟି ପରସ୍ପର ନିକଟତର ହୋଇଥିବାର ସମ୍ଭବ ହୁଏ । ଆଜି ପୁଣି ସମାନ ନୀତି ଓ ସମାନ କର୍ମ ଯୋଜନାଦ୍ୱାରା ଉଭୟ ପ୍ରଦେଶର ଶାସନ କଳ ଚଳାଇବା ପାଇଁ ସେହି ସତ୍ୟାଗ୍ରହୀମାନଙ୍କର ଆଗ୍ରହ ମୂର୍ତ୍ତିମନ୍ତ ।

ସ୍ୱାଧୀନତାର ଆଉ ଯେତେ ରକମ ଅର୍ଥ ବା ସଂଜ୍ଞା ଥାଉ ପଛେ ମଣିଷର ଏହା ଯେ ସତ୍ୟ ପରିଚୟ, ଏ କଥା କୌଣସି ସତ୍ୟାଗ୍ରହୀ ଆଗରେ କ‌ହିବାକୁ ହେବ କି ? ଆଉ ମ‌ଧ୍ୟ ଯେ କାହାରି ପକ୍ଷେ ନିଜର ଭାଷା ଓ ଜାତୀୟ ସଂସ୍କୃତି ଯେ ସ୍ୱାଧୀନତାର ଏକାନ୍ତ ଅ‌ଙ୍ଗୀ-ଭୂତ ଏବଂ ତାହାକୁ ହରାଇବାଠାରୁ ହୀନତର ଅସ୍ୱାଭାବିକତା ଓ ଅସତ୍ୟ ଯେ ଆଉ ବେଶି କିଛି ହୋଇ ନ ପାରେ, ଜାତୀୟ-ଚୈତନ୍ୟ ବିଶିଷ୍ଟ ସତ୍ୟାଗ୍ରହୀଙ୍କୁ ତାହା ବୁଝାଇବାକୁ ଯିବା ହାସ୍ୟକର ଧୃଷ୍ଟତା ଛଡ଼ା କଣ ହେବ ?

ତେଣୁ ସିଂହଭୂମି ସମ୍ବନ୍ଧେ ଯଥାର୍ଥ ସତ୍ୟ ବିଚାର ଏବଂ ସେଠାରୁ ଯେଉଁ ଶବ୍ଦ ଶୁଭୁଛି ତାହା ଆଜି ଶୃଗାଳର କି ଆଉ କାହାର, ସେ କଥାର ଉଚିତ ସମାଧାନ ଯଦି ଏହି ସତ୍ୟାଗ୍ରହୀଙ୍କଠାରୁ ଆଶା କରିବା ଯୁକ୍ତିହୀନ ହୁଏ, ତାହାହେଲେ ପୃଥିବୀରେ ସତ୍ୟ ଏବଂ ଯୁକ୍ତିର ସ୍ଥାନ ଆଉ କେହିଁଠି ଆଶା କରିବା, ପାଠକ ତାହା ନିର୍ଣ୍ଣୟ କରନ୍ତୁ ।