ପୃଷ୍ଠା:Netrutya O Netrutwa.pdf/୧୫୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୪୭

ଇତିହାସ ତିଆରି

ସମ୍ବାଦ ପତ୍ରର ପ୍ରତି ଅନ୍ଦି କନ୍ଦିରେ ଭଅଁର ପରି ବୋର କରି ପଶିଚି । ଶିଷ୍ଟ ଭାଷା ବା ଶିଷ୍ଟାଚାରର ଗୋଟେ ମନଗଢା ସଂଜ୍ଞା ତିଆରି କରି ଏହି ସମାଜ, ଶିକ୍ଷା ଓ ଶାସନ ପରି ଏମିତି ସହଜ ଓ ନିଶ୍ଚିନ୍ତରେ ଆମେ ତାକୁ ମାନି ନେଇଅଛୁଁ ଯେ, ସେଥିରେ ଆମର ମୁଣ୍ଡ ଥିବାର ତିଳାର୍ଦ୍ଧ ପ୍ରମାଣ ନାହିଁ | ପରିବାରରେ ବାପ ସଙ୍ଗେ ପୁଅର, ସମାଜରେ ନାରୀ ସଙ୍ଗରେ ପୁରୁଷର, ରାଷ୍ଟ୍ରରେ ରାଜା ସଙ୍ଗେ ପ୍ରଜାର, ମଫସଲରେ ମହାଜନ ସଙ୍ଗେ ଖାତକର ଏବଂ ବଜାରରେ ଗାଡ଼ିବାଲା ସଙ୍ଗେ ଭଦ୍ରଲୋକର ଏମିତି ଗୋଟେ ଧରାବନ୍ଧା ସମ୍ବନ୍ଧର ସ୍ତର ଘେନି ଆମେ ଚଳୁ । ସେଥିରୁ ଟିକିଏ ଏ ପାଖ କି ସେ ପାଖ ହେଲେ ଆମ ଚିନ୍ତାର ନିକ୍ତି ଚହଲି ଯାଏ । ମୁଣ୍ଡ ଆମର ସିଧାହୋଇ ବେକ ଉପରେ ରହି ପାରେ ନାହିଁ । କିନ୍ତୁ ଏହି ସୁରୁଚି ଓ ଶିଷ୍ଟାଚାରର ଦାବୀ କରି, ଯେ କେତେ ଜଣ ଆମେ ଭାରତର ଭଦ୍ରଲୋକ ନାମ ପାଇଛୁଁ, ମୁଣ୍ଡ ଆଡ଼ୁ ଅନାଇଲେ ଦେଖିବ, ଆମ ଭିତରୁ ଖାଲି ଚୌଦ ପଣ ଦାନ୍ତନିକୁଟା ଗୋଲାମ ଏବଂ ଗଣ୍ଡି ଆଡ ନିରେଖିଲେ ପନ୍ଦର ପଣ ଲାଙ୍ଗୁଡାଯକା କୁତ୍ତା । ଖାଲି ପର ଦୁନିଆରେ ଚାକିରି କଲେ ତ ଗୋଲାମୀ ହୁଏ ନାହିଁ । ଚାକିରି ନକରି ମଧ୍ୟ ଯେଉଁ ଗୋଲମୀ, ତାହା ଅହୁରି ଭୀଷଣ । ଆଉ ଯାହାଙ୍କର ସରକାରୀ ଆଇନ ବଳରେ କି ସାମାଜିକ ନିୟମ ଗୁଣରେ ହାକିମୀ ବା କ୍ଷମତା ବୋଲି କିଛି ଅଛି - ଏ ରୁପ କ୍ଷମତା ପାଇ ସହରର କଚେରି ଭିତରେ ଯେ ବସନ୍ତି, ପୁଣି ଯେଉଁମାନେ କିଛି କ୍ଷମତା ନ ପାଇ ମଫସଲରେ ନିଜ ବାରଣ୍ଡାରେ କଚେରି ଯୋଡନ୍ତି, ଆଇନ ଯୋରରେ ଯେଉଁମାନେ ଖଜଣା ଅସୁଲ କରନ୍ତି ଏବଂ ବେଆଇନ ଯୋରରେ ଖର୍ଚ୍ଚା ଆଦାୟ କରନ୍ତି - ଉକ୍ତ ଶ୍ରେଣୀର ଭଦ୍ରଲୋକମାନେ ଯେଉଁ ଭାଷା କହନ୍ତି ଓ ଯେମିତି