ଆଠ ଘଣ୍ଟା ଖଟି ଦିନ ମଜୁରି ପାନ୍ତି; ଜମିବାଡ଼ି ନାହିଁ ଯେ ଟିକସ ଖଜଣା ଦେଇ ଭୋଟର ହେବେ; ଘରଖଣ୍ଡ ବି ଆଉ କାହାର ଡ଼ିହ ଉପରେ ।
ଏ ସମ୍ତକଙ୍କର ପ୍ରିୟ ହେବା ଛଡ଼ା ସବୁରି ଉପରେ ଇଂରେଜ ସରକାରଙ୍କର ମଧ୍ୟ ପ୍ରୀତିଭାଜନ ହେବା ଆବଶ୍ୟକ ପଡ଼ିପାରେ । ଇଂରେଜ ସରକାରଙ୍କୁ ଯେବେ ବାପ ବୋଲି ଓ ଜାତୀୟ କଂଗ୍ରେସକୁ ତାଙ୍କ ପୁଅ ବୋଲି (ଜାତୀୟ କଂଗ୍ରେସର ମୂଳ ଜନ୍ମଦାତା ଜଣେ ଗୌରାଙ୍ଗ ଥିଲେ) ଧରାଯାଏ ଓ ଭାରତକୁ ଏକ ଗଧ ବୋଲି ଅନୁମାନ କରାଯାଏ, ତେବେ ବାପ ପୁଅ ଗଧ ବିକିବା କଥାଟି ମନେ ପଡ଼େ । ସମସ୍ତଙ୍କୁ ଖୁସି କରିବାକୁ ଯାଇ କେତେବେଳେ ସେ ଗଧଟି ଉପରେ ବାପ ଚଢ଼େ ତ ଆଉ କେତେବେଳେ ପୁଅ ଚଢ଼ୁଚି; ପୁଣି ବାପ ପୁଅ ଦୁହେଁ ଏକା ସଙ୍ଗରେ ଚଢ଼ି ଲୋକନିନ୍ଦାରୁ ରକ୍ଷାପାଇବାକୁ ଗଧଟିକୁ ବାହୁଙ୍ଗାରେ ଝୁଲାଇ କାନ୍ଧରେ ବୋହିଲେ; ଶେଷରେ ସେହି ଲୋକମାନଙ୍କୁ ଡ଼ରି ଗଧଟିକୁ ନଦୀ ଗର୍ଭରେ ବିସର୍ଜନ କଲେ । ଏ ଦେଶରେ ମିଲ ମାଲିକ, କୁଲି, ମଜୁରିଆ, ଜମିଦାର ରୟତ, ମହାଜନ ଖାତକ ସବୁରିକୁ ଖୁସି କରିବା ଭଳି 'ଜନପ୍ରିୟ' ସରକାର ଗଢ଼ି ବସିଲେ ଶେଷରେ ଭାରତ ବର୍ଷର ଅବସ୍ଥା ଗଧ ଭଳି ନ ହେଲେ ରକ୍ଷା ।
ଗୋପବନ୍ଧୁ ସମୟରେ ଦେଶରେ ଏତେଗୁଡ଼ିଏ ସମସ୍ୟା ଏ ଭଳି ଉତ୍କଟ ଆକାର ଧରି ଦେଖା ଦେଇ ନ ଥିଲା । ନଈବଢ଼ି, ଫସଲ ହାନିହିଁ ଓଡ଼ିଶା କହିଲେ ବୁଝାଉଥିଲା । ଏବେ ସେ କଥାଗୁଡ଼ିକ ଏତେ ପୁରୁଣା ଓ ଦେହଘସା ହୋଇ ପଡ଼ିଚି ଯେ, ନ ଖାଇ ଲୋକେ ମରିବାଟା ଅଜି ଖୁବ୍ ବିଚିତ୍ର ନୁହେଁ । ବରଂ ଖୁବ୍ ଖାଇକରି