ପୃଷ୍ଠା:Netrutya O Netrutwa.pdf/୫୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୭
ବଙ୍ଗ ଉତ୍କଳ ଦୁଇଟି ଭଗିନୀ

ପ୍ରତାପ ଓ ମରହଟ୍ଟାଙ୍କ ପ୍ରହାର କାହା ମୁଣ୍ଡରେ ବେଶି ଲାଗିଛି, ବୁଝିବା ଦୁସ୍ତର । ମୁସଲମାନ ରାଜତ୍ୱରେ ଅନେକ କାଳ ଓ ଇଂରେଜ ରାଜତ୍ୱରେ ଆଜି ସୁଦ୍ଧା ଦୁଇଟି ପ୍ରଦେଶର ଭାଗ୍ୟ ନାନା ଦିଗରୁ ସଂଯୁକ୍ତ ଅଛି ଏବଂ ନାନା କ୍ଷେତ୍ରରେ ଦୁହିଙ୍କ ମଧ୍ୟରେ ଆଦାନ ପ୍ରଦାନ ଚଳି ଆସିଅଛି ।

ଦୁଇ ପ୍ରଦେଶ ଭିତରେ ଆଦାନପ୍ରଦାନର ସାମଞ୍ଜସ୍ୟ-

କଲିକତାର ନିଲାମ ଡାକରା ଫଳରେ ଅନେକ ବଂଗାଳି ଓଡ଼ିଶା ସଙ୍ଗେ ସଦ୍ଭାବ ବଢ଼ାଇବାକୁ ଯାଇ ଯେମିତି ତାହାର ବଡ଼ ବଡ଼ ଜମିଦାରିଗୁଡ଼ିକୁ କରଗତ କରିବାରେ ହେଳା କରି ନାହାନ୍ତି, ସେମାନ‌ଙ୍କର ଓଡ଼ିଆ ଗୁମାସ୍ତାମାନେ ମଧ୍ୟ ଜମିଦାରଙ୍କ ରକ୍ତ ଥଣ୍ଡା ରଖିବା ପାଇଁ ପ୍ରଜାଙ୍କ ରକ୍ତକୁ ଦିନ ରାତି ଗରମ ରଖିବାକୁ ଚେଷ୍ଟା କରିଥାନ୍ତି; ପୁଣି ସେହି ଅବସରରେ ଜମିଦାରଙ୍କ ଆୟଠାରୁ ନିଜ ଆୟ ବଢ଼ାଇବା ଦିଗରେ ବେଶି ନ‌ଜର ଦେଇ ଯଥେଷ୍ଟ କୃତଞ୍ଜତା ଦେଖାଇଥାନ୍ତି । ଉଭୟ ପ୍ରଦେଶରେ ଜମିଦାର ରୟତ ଓ ମହାଜନ ଖାତକର ସମ୍ବନ୍ଧ ପ୍ରାୟ ସମାନ । ଦୁଇ ପ୍ରଦେଶ ମଧ୍ୟରେ ପୂଜା ପର୍ବ ବ୍ରତ ଉପବାସର ଅନେକ ସାମ୍ୟ ଅଛି ଓ ଦୁଇଟି ଭାଷାର ଅନେକ ଢଗଢମାଳୀ ବା ପୁରୁଣା କାହାଣୀ ଶୁଣିଲେ ଜଣେ ଅନ୍ୟକୁ ନ‌କଲ କରିଚି ବୋଲି ମନେ ହୁଏ; ଆହୁରି ସେ ଗୁଡ଼ିକ ଉପରେ ଦୁଇଟାଯାକ ଦେଶରେ ଦାବୀ ଏତେ ବେଶି ସମାନ ଯେ ସେଥିରେ ଉଭୟଙ୍କ ଦାବୀର ମୂଲ୍ୟ କମିଯାଏ । ଓଡ଼ିଆଙ୍କ କାଖ ତଳେ ବଟୁଆ ପରି ବଂଗାଳିଙ୍କ ଓଠ ତଳେ ହୁକା ଝୁଲୁଥିବାର ଦେଖାଯାଏ । ମାଛ ଶବ୍ଦଟାକୁ ଉଚ୍ଚାରଣ କରିବାକୁ ବଙ୍ଗାଳିମାନେ ଜିଭ ଉପରେ ଯେତେ କମ ଜୋର ଦିଅନ୍ତୁ ପଛେ; ସେଥିରେ ତାହା ଓଡ଼ିଆଙ୍କ ଜିଭ ଅପେକ୍ଷା କମ୍ ଲାଳାୟିତ ହୁଏ ନାହିଁ ।