ଉଭୟ ପ୍ରଦେଶରେ ସ୍ତ୍ରୀ ପୁରୁଷଙ୍କ ଆଚାର ବ୍ୟବହାର ଓ ସମ୍ପର୍କ ପ୍ରାୟ ସମାନ । ଆହାର ଭୂଷଣରେ ବେଶି ଫରକ ନାହିଁ । ଉଭୟ ପ୍ରଦେଶର ପୁରୁଷମାନେହିଁ ନାରୀକୁ ବିବାହ କରନ୍ତି । ଯେ କୌଣସି ପୁରୁଷ କୌଣସି ନାରୀକୁ ବିବାହ କରିପାରେ, କେବଳ ବିଧବା ଓ ସଧବାଙ୍କୁ ଛାଡ଼ି । ଓଡ଼ିଶାରେ ଅବଶ୍ୟ ହାଟୁଆ ଜାତିଙ୍କ ଭିତରେ ବିଧବା ବିବାହ ଚଳେ ପୁଣି ବ୍ରାହ୍ମଣ ବୈଶ୍ୟଙ୍କୁ ଛାଡ଼ି ଅନ୍ୟଜାତିମାନେ ପ୍ରାୟ ଯୁବତୀ ବିବାହ କରିପାରନ୍ତି । ତଥାପି ବଂଗ ଦେଶପରି ଓଡ଼ିଶାରେ ମଧ୍ୟ ଜଣେ ପୁରୁଷ ବିବାହ କରିବା ପାଇଁ କେତେ ସଂଖ୍ୟକ ନାରୀ ଯଥେଷ୍ଟ, ତାହା ନିର୍ଦ୍ଦିଷ୍ଟ ନାହିଁ, ଯଦିବା ବଙ୍ଗର କୁଳୀନ ପ୍ରଥା ଏହାକୁ ଯେମିତି କାମ ଉପରେ ପରଖ କରି ପାରିଛି ଓଡ଼ିଶାର ରାଜପୁରୁଷଙ୍କୁ ଛାଡ଼ି ସାଧାରଣ ଲୋକେ ଏ ଦିଗରେ ସେତେ ବେଶି ଅଗ୍ରସର ହୋଇ ପାରି ନିହାନ୍ତି । ଉଭୟ ପ୍ରଦେଶରେ ଯବରଦସ୍ତି ସତୀତ୍ୱ ରକ୍ଷା କରାଯାଇଅଛି । ପୂର୍ବେ ଏଥିପାଇଁ ଯବରଦସ୍ତି ସହମରଣ ଥିଲା, ଏବେ ମଧ୍ୟ ଯବରଦସ୍ତି ବୈଧବ୍ୟ ରକ୍ଷା କରାହୁଏ । ପୂର୍ବର ସତୀ ଘଣ୍ଟାକ ଭିତରେ ପୋଡ଼ି ମରୁଥିଲା, ବର୍ତ୍ତମାନର ସତୀଜୀବନ ଗୋଟାକ ଯାକ ପୋଡ଼ି ହୋଇ ମରେ । ଏହି ସତୀତ୍ୱ ରକ୍ଷା ଉଦ୍ଦେଶ୍ୟରେ ଉଭୟ ସ୍ଥାନରେ ସ୍ୱାମୀ ସ୍ତ୍ରୀ ବ୍ୟତୀତ ନାରୀ ପୁରୁଷ ଭିତରେ ଅବାଧ ମିଶ୍ରଣ ନିଷିଦ୍ଧ; ପୁଣି ଉଭୟ ପ୍ରଦେଶରେ ହିଁ ପ୍ରେମିକା ହୋଇଥାନ୍ତି ବେଶ୍ୟା କିମ୍ବା ଶାଳିକା ।
ଏହିସବୁ କାରଣରୁ ବଙ୍ଗ ଓ ଉତ୍କଳକୁ ଦୁଇଟି ଭଉଣୀ କହିବା ଆପତ୍ତିଜନକ ହୋଇ ନାହିଁ, ଯଦି ବା ଦୁଇ ଭଉଣିଙ୍କର ଜଣେ