ଲକ୍ଷ୍ୟ ନ ରଖି ଓଡ଼ିଆ ଭାଷାକୁ ରକ୍ଷା କରିଥିଲେ; ପୁଣି ଉତ୍କଳର ପ୍ରଥମ ସମ୍ବାଦ-ପତ୍ର ପ୍ରକାଶ ଏବଂ ପ୍ରଥମ ନେତୃତ୍ୱ ଗ୍ରହଣ କରିଥିଲେ- ଯଥା, ଗୌରୀଶଙ୍କର ରାୟ ଓ ମଧୁସୂଦନ ଦାସ ସି,ଆଇ,ଇ । ସେହିମାନଙ୍କ ଚେଷ୍ଟାରେ ହିଁ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଗୋଟିଏ ନୂଆ ଯୁଗ ଆସିଛି; ପୁଣି ସେହିମାନଙ୍କ ଦ୍ୱାରାହିଁ ଓଡ଼ିଶାର ଇତିହାସ ଲେଖାଯାଇଛି,ଓଡ଼ିଶାରେ ବେସରକାରି ସ୍କୁଲ ବସିଚି ଓ ଓଡ଼ିଶାର ସମାଜ ସଂସ୍କାର ଆରମ୍ଭ କରାଯାଇଛି-ଯଥା, ରାଧାନାଥ, ଫକୀର ମୋହନ, ମଧୁସୂଦନ ରାଓ, ପ୍ୟାରୀ ମୋହନ ଆଚାର୍ଯ୍ୟ । ଅବଶ୍ୟ ମଧୁସୂଦନ ଦାସ, ଫକୀର ମୋହନ ସେନାପତି ଓ ମଧୁସୂଦନ ରାଓ ଓଡ଼ିଆମାନଙ୍କର ବଂଶଧର ଥିଲେ ବୋଲି କଥିତ ଅଛି, କିନ୍ତୁ ସେମାନଙ୍କର ବଂଶଧରମାନେ ରାଧାନାଥ ଓ ଗୌରୀଶଙ୍କରଙ୍କ ବଂଶଧରମାନଙ୍କ ଅପେକ୍ଷା ଘର ଭିତରେ ଅଧିକ ବିଶୁଦ୍ଧ ବଙ୍ଗଳା ଭାଷା କହିଥାନ୍ତି ବୋଲି ଶୁଣାଯାଏ; ପୁଣି ବଂଶଧରମାନଙ୍କଠାରୁହିଁ ସାଧାରଣତଃ ଜାତି ଗୋତ୍ର ସ୍ଥିର କରନ୍ତି ।
ଏହି କାରଣରୁ ଓଡ଼ିଶାବାସୀ ବଙ୍ଗୀୟମାନଙ୍କୁ କାୟମନୋବାକ୍ୟରେ ଓଡ଼ିଆ ହେବା ପାଇଁ ଯେଉଁମାନେ ପରାମର୍ଶ ଦିଅନ୍ତି, ସେମାନଙ୍କର ତତ୍ପୂର୍ବରୁ ଅନେକ ଦିଗର କଥା ବିଚାରିବା ଦରକାର । ସେଥିମଧ୍ୟରୁ ପ୍ରଥମ କଥା- ଏକା ଭାରତରେ ନୁହେଁ, ଭାରତର ବାହାରେ ମଧ୍ୟ ବଙ୍ଗାଳି ଗୋଟିଏ ନାମଯାଦା ଭାଷା; କିନ୍ତୁ ଓଡ଼ିଆର ବାହାରେ କୌଣସି ସ୍ୱତନ୍ତ୍ର ପରିଚୟ ନାହିଁ । ବଙ୍ଗାଳୀ ବୋଲି ପରିଚୟ ଦେବା ଦ୍ୱାରା ଚାକିରି ବ୍ୟବସାୟ ପ୍ରଭୃତି କ୍ଷେତ୍ରରେ ଯେପରି ସୁଯୋଗ ଅଛି, ଓଡ଼ିଆ ହେଲେ ସେତେ ନାହିଁ ।