ପୃଷ୍ଠା:Netrutya O Netrutwa.pdf/୭୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୬
ନେତୃତ୍ୱ ଓ ନେତୃତ୍ୱ


ସବୁ ଦିଗରୁ ସଙ୍କୋଚ ଓ ବାଧା ପାଇ ଅନ୍ୟମାନ‌ଙ୍କ ଅନୁକରଣରେ ତାହାକୁ ଆତ୍ମଦମନ ଶିକ୍ଷା କରିବାକୁ ହୁଏ । ବୟସ୍କମାନଙ୍କ ଅନୁକରଣରେ ତାକୁ ଯେପରି ଧର୍ମଦାସତ୍ୱ ପ୍ରଭାବିତ କରେ ପୁଣି ହେତୁହୀନ ଭୂତଭୟ ତାହା ସ‌ହିତ ଜଡ଼ିତ ହୋଇ ରହେ; ସେହି ପରି ଏହି ଆତ୍ମଦମନର ଅଭ୍ୟାସରୁହିଁ ତାର ଯୌନ‌ଦାସତ୍ୱର ସୂତ୍ରପାତ ହୁଏ । ଅନ୍ୟକୁ ଅନୁକରଣ କରି ସେ ଯେମିତି ଅଜ୍ଞାତ ଦେବତା ପାଖରେ ମସ୍ତକ ନୁଆଏଁ, ସେମିତି ତାର ଜ୍ଞାତ ଯୌନପ୍ରବୃତ୍ତିକୁ ଗୋପନ ରଖେ । ଯେଉଁ ବସ୍ତୁ ଇନ୍ଦ୍ରିୟାତୀତ ତାହାକୁ ପ୍ରକାଶ୍ୟରେ ନମସ୍କାର କରେ, କିନ୍ତୁ ଯାହା ଇନ୍ଦ୍ରିୟଭୁକ୍ତ, ଅତି ପ୍ରକାଶ୍ୟ, ତାହାକୁ ଲଜ୍ଜାରେ ଘୋଡ଼ାଇ ରଖେ । ଧର୍ମକୁ ସେ ଅନୁଭବ କରେ ଭୟ ରୂପେ, କିନ୍ତୁ ଯୌନ-ପ୍ରକ୍ରିୟା କୃତ୍ରିମ ହେଲେହେଁ ତାହା ପକ୍ଷରେ ସୁଖକର । ଶିଶୁର ସ୍ୱଚ୍ଛ ଚେତନା ଉପରେ ପ୍ରଥମରୁ ଏହି ଯେ ଦାସତ୍ୱର ଦୁଇଟି ଛାୟାପାତ ହୁଏ, ସେଥି ମଧ୍ୟରୁ ଗୋଟିଏ ବିକୃତ ମସ୍ତିଷ୍କର ସ୍ୱାସ୍ଥ୍ୟକୁ, ଆରଟି କରେ ଦେହର ସ୍ୱାସ୍ଥ୍ୟକୁ ।

ଅଥଚ ଶିଶୁ ବା କିଶୋର ଜୀବନର ଏହି କୃତ୍ରିମତା ପାଇଁ ପ୍ରତିକାରର ଯେପରି ବ୍ୟବସ୍ଥା କରାଯାଇ ଅଛି, ପ୍ରତିଶୋଧର ସେପରି ନାହିଁ କ‌ହିଲେ ହୁଏ । ଧର୍ମର ଦାସତ୍ୱକୁ ହୁଏ ତ ଏବେ ମଧ୍ୟ ଗୋଟିଏ ସମସ୍ୟା ବୋଲି ଆମ୍ଭେମାନେ ମନେ କରୁ ନାହିଁ । କାରଣ ବର୍ତ୍ତମାନ ଜଗତର ଯେଉଁମାନେ ସମାଜପତି, ଯେଉଁମାନଙ୍କର ଇଚ୍ଛା ଇଙ୍ଗିତରେ ବ‌ହୁ ରାଷ୍ଟ୍ର ମଧ୍ୟ ଅନେକ ଅଂଶରେ ପରିଚାଳିତ, ପ୍ରକାଶ୍ୟରେ ନ ହେଲେହେଁ ସେମାନଙ୍କର ଅର୍ଦ୍ଧ-ଚେତନ ଉଦ୍ଦେଶ୍ୟ ଥାଏ,