ପୃଷ୍ଠା:Netrutya O Netrutwa.pdf/୮୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୮
ନେତୃତ୍ୱ ଓ ନେତୃତ୍ୱ


ମୁଠାରେ ଧରା ଦେଉଛି ବୋଲି କେତେକଙ୍କୁ ତାହା ସୁଖକର ବୋଧ ହେଉ ନାହିଁ ; ଆଉ କେତେକ ଏହାଦ୍ୱାରା ମାନବର ଆଦର୍ଶ ଅଧିକ ଅଗ୍ରସର ଓ ଆହୁରି ବୃହତ୍ତର ହେବ ବୋଲି ମଧ୍ୟ ମତ ପୋଷଣ କରନ୍ତି ।

ବିବାହଟା ଯେ ମୁଖ୍ୟତଃ ଦେହ-ବିଜ୍ଞାନ ସଙ୍ଗେ ଜଡ଼ିତ, ମନୋବିଜ୍ଞାନର ସମ୍ପର୍କ ଏହା ସ‌ହିତ ଅତି ସାମାନ୍ୟ, ରୁଷିଆର ଏହି ନୀତି ବ‌ହୁ ଆଦର୍ଶବାଦୀଙ୍କୁ ଆନନ୍ଦ ଦେଇପାରି ନାହିଁ । ତ‌ଥାପି ପ୍ରଚଳିତ ବିବାହ ପ୍ରଥା ଯେ ତ୍ରୁଟିଶୂନ୍ୟ ନୁହେଁ , ପୁଣି ବିବାହକୁ ସ୍ଥାୟୀ ଓ ଯଥାର୍ଥ କରିବାକୁ ହେଲେ ଏଥିରେ ଯେ ଅଳ୍ପ କଳ୍ପନା ଓ ଅଧିକ ବାସ୍ତବତା ରଖିବାକୁ ହେବ, ଅଳ୍ପ ଉତ୍ସବ ଓ ଅଧିକ ସତ୍ୟ ଦୃଷ୍ଟିରେ ଏହାକୁ ଦେଖିବାକୁ ହେବ, ଅଳ୍ପ ଭାବୋଚ୍ଛ୍ୱାସ ଓ ଅଧିକ ବିଚାର ଏଥିରେ ଦେବା ଦରକାର, ଏ କଥା ବୁଝାଇବାକୁ ଗଲେ ଏଠାରେ ପୁନରୁକ୍ତି ହେବ ।

ତାହାହେଲେ ଦେଖାଯାଏ, ଜଣେ ପୁରୁଷ ଓ ଜଣେ ନାରୀ ବିବାହ କଲେ ସେଥିପାଇଁ ଯୌବନଟା ଉପଯୁକ୍ତ ସମୟ ନୁହେଁ । କାରଣ ଭାବୋଚ୍ଛ୍ୱାସ ଯୌବନ କାଳର ଧର୍ମ ଏବଂ ଭାବୋଚ୍ଛ୍ୱାସ ଥିଲେ ବିବାହଟା ସ୍ଥାୟୀ କିମ୍ବା ସତ୍ୟ ହୋଇ ପାରେ ନାହିଁ । ସୁତରାଂ ଜଣେ ପୁରୁଷ ଓ ଜଣେ ସ୍ତ୍ରୀଙ୍କ ଭିତରେ ସ୍ଥାୟୀ ବିବାହ ହେଲେ ସେଥିଲାଗି ହୁଏ ତ ବାଲ୍ୟ କିମ୍ବା ଯୌବନର ପରବର୍ତ୍ତୀ କାଳଟାହିଁ ପ୍ରଶସ୍ତ । କାରଣ ବାଲ୍ୟବିବାହଟା ନିର୍ବୋଧତା ଦୋଷରୁ ଓ ପ୍ରୌଢ଼ ବିବାହଟା ରକ୍ତ‌ହୀନତା ଦୋଷରୁ ସ୍ଥାୟୀ ହେବାର ସମ୍ଭାବନା ବେଶି ।