ନର ପ୍ରଖର ରଶ୍ମି ତାହା ପକ୍ଷରେ ଏତେ ଦୂର ଅସହ୍ୟ ଯେ ତାହାର ସମ୍ମୁଖୀନ ହେବାକୁ ଭରସା ନ ପାଇ ସେ ଏହି ରୂପ ଗୋଟିଏ କିଛି ଆଶ୍ରୟ ଲୋଡ଼େ ।
ଏହା ହିଁ ଯୌବନର ଧର୍ମ ? କିଏ ତେବେ ଆଉ ଜୀବନର ସମ୍ମୁଖୀନ ହେବ-ନିରାଟ, ଉଲ୍ଲଙ୍ଗ, ବାସ୍ତବର ଜୀବନର ? ଏଥିପାଇଁ ଯେଉଁ ଶକ୍ତି, ଯେଉଁ ସାହାସ ଓ ଯେଉଁ ଧମନୀର ଆବଶ୍ୟକ ତାହା ଯୁବକ ବ୍ୟତୀତ ଆଉ କାହାଠାରୁ ବେଶି ଆଶା କରାଯାଇ ପାରେ ? କର୍ମର ପ୍ରଖରତା, ଚିନ୍ତାର ସୂକ୍ଷ୍ମତା ଓ ଚରିତ୍ରର ଦୃଢ଼ତା ଦେଖାଇବା ଦିଗରେ ଆଉ କିଏ ତେବେ ଅଧିକ କ୍ଷମ ?
ଚରିତ୍ର ଏବଂ ଚିନ୍ତାର ଆଧୁନିକ ବ୍ୟାଖ୍ୟା ଓ ଗତିଧାରା-
ଯୁବକର ଚରିତ୍ର କଥା କହିଲା ବେଳେ ଯେଉଁ ଛାତ୍ର ସଚ୍ଚରିତ୍ର ବୋଲି ବିଦ୍ୟାଳୟରୁ ପୁରସ୍କୃତ ହୁଏ, ତାହାର କଥା ମୁଁ ଭାବୁ ନାହିଁ, ଆପଣମାନେ ମଧ୍ୟ ଭାବୁ ନ ଥିବେ । ଦେହ ଓ ମନ ଭିତରେ ରୋଗର ପରିକ୍ରିୟାକୁ ଚରିତ୍ର ବୋଲାଯାଏ ନାହିଁ । ଯାହାର ଦେହ ଓ ମନ ଯେତିକି ପରିମାଣରେ ସୁସ୍ଥ ବା ସବଳ, ଯେ ଯେତେ ବେଶି ବୁଝିପାରେ କିମ୍ବା କରିପାରେ, ଗଢ଼ିପାରେ କିମ୍ବା ଭାଙ୍ଗିପାରେ, ମାନିପାରେ କିମ୍ବା ଅମାନ୍ୟ କରେ, ଅଥବା ନିଜପାଇଁ ଯେ ଯେତେ ବେଶି ବନ୍ଧୁ କିମ୍ବା ଶତ୍ରୁର ସୃଷ୍ଟି କରିପାରେ, ତାହାର ଚରିତ୍ର ଦୃଢ଼ତା ସେତିକି ବେଶି ଅନୁଭୂତ ହୁଏ । ତାହା ହିଁ ଏଠାରେ ମୋର ପ୍ରତିବାଦ୍ୟ ।
କିନ୍ତୁ ଚିନ୍ତା ବିଷୟରେ କହିବାକୁ ଗଲେ ଆଧୁନିକ ଜଗତର ଭାବଧାରା ସମ୍ବନ୍ଧରେ ଏହା ହିଁ ବୋଧହୁଏ ସ୍ଥିର ମତ ଦିଆଯାଇ