ପୃଷ୍ଠା:Odisha Rajanitira Itihasa.pdf/୧୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରହିଲା । ତିନୋଟି ଯାକ ଜିଲ୍ଲା ହେଲା କଟକ, ପୁରୀ ଓ ବାଲେଶ୍ୱର । ୧୮୪୦ରେ ଇଂରେଜମାନଙ୍କ ବିରୁଦ୍ଧରେ ବାଙ୍କି ରାଜା ବିଦ୍ରୋହ କଲେ । ୧୮୪୭ରେ ଅନୁଗୁଳ ରାଜା ବିଦ୍ରୋହ କଲେ । ଫଳରେ ଏଇ ଦୁଇରାଜ୍ୟକୁ ଇଂରେଜମାନେ ଖାସ କରି ସେମାନଙ୍କ ଶାସନ ପରିସରକୁ ଆଣିଲେ । ୧୮୪୯ରେ ସମ୍ବଲପୁର ରାଜା ନିଃସନ୍ତାନ ହୋଇ ପ୍ରାଣ ତ୍ୟାଗ କରିବାରୁ ସମ୍ବଲପୁର ଖାସ୍‍ ହେଲା । ୧୮୬୦ରେ ସମ୍ବଲପୁର ଓଡ଼ିଶା ସହିତ ମିଶିଲା । ୧୯୦୫ ମସିହାରେ ଅନ୍ୟ କେତୋଟି ଗଡ଼ଜାତର ମଧ୍ୟ ଓଡ଼ିଶା ସହ ମିଶ୍ରଣ ଘଟିଲା । ୧୮୫୪ ମସିହାଠାରୁ ୧୯୩୬ ମସିହା ଯାଏ ଇଂରେଜ ଶାସନର ଓଡ଼ିଶା କମିଶନରମାନଙ୍କ ନାମ ତାଲିକା ପରିଶିଷ୍ଟ 'କ'ରେ ଦିଆଯାଇଛି ।

ଉତ୍କଳର ଅଙ୍ଗଚ୍ଛେଦ :

ଅନଙ୍ଗଭୀମ ଦେବ ତାଙ୍କ ଶାସନକାଳ (୧୧୯୦-୧୨୦୨)ରେ ଉତ୍କଳକୁ ଜରିବ କରାଇଥିଲେ । ସେତେବେଳେ ଉତ୍କଳର ସୀମାଥିଲା ହୁଗୁଳୀ ଠାରୁ ଗୋଦାବରୀ ନଦୀ ପର୍ଯ୍ୟନ୍ତ । ମୁସଲମାନ ଶାସନ କାଳରେ ୧୫୯୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ପ୍ରଥମ ଅଙ୍ଗଚ୍ଛେଦ ହେଲା । ଆକବରଙ୍କ ମନ୍ତ୍ରୀମାନେ ହୁଗୁଳୀ ଏବଂ ଉତ୍କଳର ୧୦ଟି ମାହାଲ ଉତ୍କଳରୁ ନେଇଯାଇ ବଙ୍ଗଦେଶରେ ମିଶାଇ ଦେଲେ । ଉତ୍କଳର ପଶ୍ଚିମରେ ଥିବା ବିଶିନପୁର ଠାରୁ କଳାହାଣ୍ଡି, ଜୟପୁର, ବସ୍ତରକୁ ନେଇ ଏକ ଅଲଗା ତଉଜି ଗଠନ କଲେ । ରାଜମହେନ୍ଦ୍ରୀ, ଟିକାଲି, ରଘୁନାଥପୁର ଠାରୁ ଦକ୍ଷିଣ କଳିଙ୍ଗରାଜ୍ୟ, ଗୋଲକୁଣ୍ଡାର ମୁସଲମାନ ନବାବମାନେ ଉତ୍କଳରୁ ଅଲଗା କରିଦେଲେ । ୧୭୨୬ ଖ୍ରୀଷ୍ଟାବ୍ଦର କଥା । ହାଇଦ୍ରାବାଦ ନିଜାମଙ୍କ କର୍ମଚାରୀମାନେ ଗଞ୍ଜାମର କ୍ଷମତାଶାଳୀ ଜମିଦାରଙ୍କ ସହ ଷଡ଼ଯନ୍ତ୍ର କରି ଚିଲିକା ଠାରୁ ସମଗ୍ର ଦକ୍ଷିଣ ଉତ୍କଳକୁ କାଢ଼ି ନେଲେ । ଏହାପରେ ନବାବ ସୁଜାଉଦ୍ଦିନ ମହମ୍ମଦ ଖାଁ ପଟାସପୁର ପ୍ରଗଣା ବ୍ୟତୀତ ସମଗ୍ର ଜଳେଶ୍ୱର ତଉଜିକୁ ଅର୍ଥାତ୍ ସୁବର୍ଣ୍ଣରେଖା ପର୍ଯ୍ୟନ୍ତ ମୁର୍ଶୀଦାବାଦ ସହ ମିଶାଇଦେଲେ । ଉତ୍କଳର ସୀମା ଖୁବ୍‍ ଛୋଟ ହୋଇଗଲା । ଉତ୍ତରରେ ପଟାସପୁର ଓ ସୁବର୍ଣ୍ଣରେଖା ପର୍ଯ୍ୟନ୍ତ, ଦକ୍ଷିଣରେ ଚିଲିକା ପର୍ଯ୍ୟନ୍ତ, ପୂର୍ବରେ ସମୁଦ୍ର ଓ ପଶ୍ଚିମରେ ବଡ଼ମୂଳ ଘାଟି ପର୍ଯ୍ୟନ୍ତ ଉତ୍କଳର ସୀମା ରହିଲା ।

୧୭୫୧ ମସିହାରେ ଆଲିବର୍ଦ୍ଦିଖାଁଙ୍କ ସହ ମରହଟ୍ଟା ମାନଙ୍କର ସନ୍ଧିହେଲା । ସନ୍ଧି ପରେ ଏହି ସୀମା ବିଶିଷ୍ଟ ଉତ୍କଳ ପ୍ରଦେଶକୁ ମୋଗଲମାନେ ମରହଟ୍ଟାମାନଙ୍କୁ ହସ୍ତାନ୍ତର କଲେ । ସେହି ସନ୍ଧି ବଳରେ ସୁବର୍ଣ୍ଣରେଖା ନଦୀ ଉତ୍କଳ ଓ ବଙ୍ଗଦେଶର ସୀମା ଭାବରେ ସ୍ଥିରୀକୃତ ହେଲା । ଏହିପରି ଉତ୍କଳର ଅଙ୍ଗଚ୍ଛେଦ ହୋଇଛି ।

ଇଂରେଜ ଶାସନ କାଳରେ ଦକ୍ଷିଣ ମେଦିନୀପୁର ଉତ୍କଳରେ ଥିଲା । ୧୯୦୫ରେ ଲର୍ଡ କର୍ଜନଙ୍କ ଶାସନ କାଳରେ କଳାହାଣ୍ଡି, ପାଟଣା, ସୋନପୁର, ରେଢ଼ାଖୋଲ, ଗାଙ୍ଗପୁର, ବାମଣ୍ଡା ଓ ବଣେଇ ଆଦି ଗଡଜାତ ରାଜ୍ୟ ମଧ୍ୟପ୍ରଦେଶ ଓ ଛୋଟନାଗପୁର ଆସି ଓଡ଼ିଶାରେ ମିଶିଲା ।

ଓଡ଼ିଶା ରାଜନୀତିର ଇତିହାସ . ୧୩