ପୃଷ୍ଠା:Odisha Rajanitira Itihasa.pdf/୧୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଚ୍ଛିନ୍ନ ଓଡ଼ିଶାର ଏକତ୍ରୀକରଣ ପ୍ରୟାସ :

୧୮୮୧ ମସିହାରେ ମଧୁବାବୁ କଲିକତାରୁ କଟକ ଫେରି ଆସିଲେ । ପତ୍ନୀ ବିୟୋଗଜନିତ ଦୁଃଖରେ ସେ ଥା'ନ୍ତି ଉଦାସୀନ । କଟକ ସହରର ଡଗରପଡ଼ା ଅନ୍ତର୍ଗତ ବିହାରୀବାଗଠାରେ ସେ ଅବସ୍ଥାନ କଲେ । ଏଇଠି ରହି ସେ ଆରମ୍ଭ କଲେ ଓକିଲାତି ବ୍ୟବସାୟ । ଏହି ସମୟରେ ମଧୁବାବୁଙ୍କ ପାଖରେ ଆସି ପହଞ୍ଚିଲେ ସିଂହଭୂମ, ସମ୍ବଲପୁର ଓ ଅନ୍ୟାନ୍ୟ ବିଚ୍ଛିନ୍ନାଞ୍ଚଳର ଅନେକ ମେଧାବୀ ତ‌ଥା ଦେଶ ପ୍ରେମୀ ଛାତ୍ର । ଏମାନଙ୍କୁ ନେଇ ମଧୁବାବୁ ଗଠନ କଲେ 'ଓଡ଼ିଶା ୟଙ୍ଗ୍‌ମେନସ୍‍ ଆସୋସିଏସନ୍‍' । ଓଡ଼ିଆରେ ଏହି ଅନୁଷ୍ଠାନର ନାମ ହେଲା 'ଓଡ଼ିଶା ଯୁବକ ସଂଘ' । ଏହି ଅନୁଷ୍ଠାନ ତରଫରୁ ଗଠନ କରାଗଲା ଏକ ପାଠାଗାର । ଦେଶ-ବିଦେଶର ପତ୍ର-ପତ୍ରିକା ଏଠାକୁ ଆସିଲା । ସଭ୍ୟମାନେ ଏ ସବୁକୁ ପଠନ କରିବା ନିମନ୍ତେ ମଧୁବାବୁ ଜୋର୍‍ ଦେଲେ । ଯାହା ଫଳରେ କି ସଭ୍ୟମାନେ ଦେଶ ବିଦେଶ ସଂପର୍କରେ ସମ୍ୟକ୍‍ ଧାରଣା ପାଇବା ପାଇଁ ସକ୍ଷମ ହେଲେ । ସେମାନଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଘଟିଲା । ମନରୁ ସଂକୀର୍ଣ୍ଣତା ଦୂର ହେଲା ।

ଓଡ଼ିଶା ଆସୋସିଏସନ୍‍ ବା ଉତ୍କଳ ସଭା :

ଧୀରେଧୀରେ ଏହି ଅନୁଷ୍ଠାନ ସହ ବିଚିତ୍ରାନନ୍ଦ ଦାସ, ଭୁବନାନନ୍ଦ ଦାସ, ଲକ୍ଷ୍ମୀଧର ମହାନ୍ତି, ଅଭିରାମ ଭଞ୍ଜ ଓ ପାରେଶ୍ୱର ମହାନ୍ତି ଆଦି ବିଶିଷ୍ଟ ବ୍ୟକ୍ତି ଜଡ଼ିତ ହୋଇ ସଭ୍ୟ ପଦ ଗ୍ରହଣ କଲେ । ଏହା ପରେ ୧୮୮୨ ମସିହା ଅଗଷ୍ଟ ଷୋହଳ ତାରିଖରେ ମଧୁବାବୁଙ୍କ ଆବାହନକ୍ରମେ କଟକ ପ୍ରିଣ୍ଟିଙ୍ଗ୍‍ କମ୍ପାନୀ କୋଠାରେ ଓଡ଼ିଶାର ପ୍ରଥମ ବିଦ୍ଧିବଦ୍ଧ ସମ୍ବାଦପତ୍ର 'ଉତ୍କଳ ଦୀପିକା'ର ସଂପାଦକ ଗୌରୀଶଙ୍କର ରାୟଙ୍କ ସାହାଯ୍ୟ ସହଯୋଗକ୍ରମେ ଓଡ଼ିଶାର ପ୍ରଥମ ରାଜନୈତିକ ମଞ୍ଚ 'ଉତ୍କଳ ସଭା' ବା 'ଓଡ଼ିଆ ଆସୋସିଏସନ୍‍' ପ୍ରତିଷ୍ଠା ହେଲା । ଓଡ଼ିଆମାନଙ୍କର ସର୍ବବିଧ ହିତକର କାର୍ଯ୍ୟକରିବା ହେଲା ଏହି ସଭାର ଉଦ୍ଦେଶ୍ୟ । ବାବୁ ବିହାରୀଲାଲ୍‍ ପଣ୍ଡିତଙ୍କ ପ୍ରସ୍ତାବମତେ ଓ ବିଚ୍ଛନ୍ଦଚରଣ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଉତ୍କଳ ସଭାର ସଭାପତି ଭାବରେ ଚୌଧୁରୀ କାଶୀନାଥ ଦାସ, ସହକାରୀ ସଭାପତି ଭାବରେ ନନ୍ଦକିଶୋର ଦାସ ଓ ହାଜୀ ଅବ୍‍ଦୁଲ୍‍ ରହମାନ୍‍ ଏବଂ ସଂପାଦକ ଭାବରେ ଗୌରୀଶଙ୍କର ରାୟ ମନୋନୀତ ହେଲେ । ମଧୁସୂଦନଙ୍କ ବ୍ୟତୀତ ଉତ୍କଳସଭା କ'ଣ ସମ୍ଭବ ? ଏଣୁ ମଧୁସୂଦନଙ୍କୁ ସହକାରୀ ସଭାପତି ବା ସଂପାଦକ ରୂପେ ରଖିବାପାଇଁ ଗୌରୀଶଙ୍କର ରାୟ ଏକ ସଂଶୋଧନ ପ୍ରସ୍ତାବ ଆଗତ କରିବାପାଇଁ ଉଠୁଥିବା ବେଳେ ମଧୁସୂଦନ ବାରଣ କଲେ । କହିଲେ, 'ଆରମ୍ଭରୁ ଅନୁଷ୍ଠାନର କର୍ମକର୍ତ୍ତା ହୋଇ ରହିଲେ ଅନେକେ ନାନାକଥା ଉଠାଇ ପାରନ୍ତି । ଅକାରଣରେ ଅନୁଷ୍ଠାନର ବିରୋଧକରି ବସିବେ । ଫଳରେ ଉତ୍କଳ ସଭାର ଲାଭ ପରିବର୍ତ୍ତେ ବହୁତ କ୍ଷତି ହେବାର ଆଶଙ୍କା ଅଛି । ଏଣୁ ନେପଥ୍ୟରେ ରହିବା ସବୁଠାରୁ ଭଲ । ଗଛର ଚେର ସମସ୍ତଙ୍କ ଅଜାଣତରେ ସବୁବେଳେ ଥାଏ ମାଟିତଳେ ।'୧୪ . ଓଡ଼ିଶା ରାଜନୀତିର ଇତିହାସ