ପୃଷ୍ଠା:Odisha Rajanitira Itihasa.pdf/୧୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯୋଗଦାନ କଲେ । କଟକରେ ଏମାନଙ୍କ ଉପସ୍ଥିତିର ସୁଯୋଗ ନେବାପାଇଁ ମଧୁସୂଦନ ଦାସ, ଗୌରୀଶଙ୍କର ରାୟ, ଶ୍ରୀକରଣ ବିଶ୍ୱନାଥ ବେବର୍ତ୍ତା ପଟ୍ଟନାୟକ ପ୍ରମୁଖ ନେତାମାନେ ଉଦ୍ୟମ କଲେ । ଫଳରେ ତା ୬-୧-୧୯୦୩ ତାରିଖରେ ମଧୁସୂଦନ ଦାସଙ୍କ କୋଠିରେ ଏହି ସମସ୍ତ ବ୍ୟକ୍ତିମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହେଲା । ଉପସ୍ଥିତ ରାଜା, ଜମିଦାର ଓ ଭଦ୍ରମଣ୍ଡଳୀଙ୍କୁ ଆହ୍ୱାନ ଜଣାଇ ମଧୁସୂଦନ ଦାସ ଦେଶ ମିଶ୍ରଣ ନିମନ୍ତେ ଏକତାର ଅଭାବ ସଂପର୍କରେ ଏକ ବକ୍ତୃତା ପ୍ରଦାନ କଲେ । ମନ ଧ୍ୟାନ ଦେଇ ଜନ୍ମଭୂମିର ସେବା କରିବା ନିମନ୍ତେ ଅନୁରୋଧ କଲେ । ଆଠଗଡ଼ ରାଜା ବିଶ୍ୱନାଥ ବେବର୍ତ୍ତା ପଟ୍ଟନାୟକ ପ୍ରସ୍ତାବ ଦେଲେ କି, ଓଡ଼ିଶାର ଏହି ମହାନଗରୀରେ ଏପରି ଏକ ସମ୍ମଳନୀ ଆୟୋଜନର ଦିବସ ଧାର୍ଯ୍ୟ କରାଯାଉ । ସମସ୍ତେ ଏହି ପ୍ରସ୍ତାବରେ ସମ୍ମତ ହେଲେ । ସମସ୍ତଙ୍କର ମୁଖ ସ୍ୱରୂପ କେନ୍ଦୁଝର ରାଜା ଧନୁର୍ଜୟ ନାରାୟଣ ଭଞ୍ଜ ଦେଓ ଏହି ସମ୍ମିଳନୀର ଭାର ମଧୁସୂଦନ ଦାସଙ୍କ ଉପରେ ନ୍ୟସ୍ତ କରିବା ନିମନ୍ତେ ପ୍ରସ୍ତାବ ଦେଲେ । ଏହି ପ୍ରସ୍ତାବ ବିପୁଳ କରତାଳି ଧ୍ୱନିରେ ଆନନ୍ଦ ଉଲ୍ଲାସର ସହ ଅନୁମୋଦନ ଲାଭ କଲା । ଏଇଠି ପଡ଼ିଲା ଉତ୍କଳ ସମ୍ମିଳନୀର ଭିତ୍ତି ଯେଉଁ ଅନୁଷ୍ଠାନ କି ଜନ୍ମ ନେଇଥିଲା ରମ୍ଭା ରାଜ ପ୍ରାସାଦରେ ।

ସେହି ବର୍ଷ ମାର୍ଚ୍ଚ ମାସ ୭ ତାରିଖରେ ବଙ୍ଗ ପ୍ରଦେଶର ଛୋଟଲାଟ୍‍ ଜେମ୍‍ସ ବୋର୍ଡ଼ଲନ୍‌ କଟକସହର ପରିଦର୍ଶନରେ ଆସିଲେ । ତାଙ୍କୁ ଭେଟିବାପାଇଁ ଓଡ଼ିଶାର ବହୁରାଜା ମହାରାଜା ଓ ଜମିଦାର ଆସିଲେ । ସେମାନଙ୍କ ଭିତରେ ଥିଲେ ମୟୂରଭଞ୍ଜର ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜ ଦେଓ, ବାଲେଶ୍ୱର ରାଜା ବୈକଣ୍ଠ ନାଥ ଦେଓ, ଖଲିକୋଟ ରାଜା ହରିହର ମର୍ଦ୍ଦରାଜ ଦେଓ ଏମାନଙ୍କୁ ମଧୁସୂଦନ ଦାସ ନିଜ କୋଠିକୁ ନିମନ୍ତ୍ରଣ କରି ଦେଶ ମିଶ୍ରଣ ସଂପର୍କରେ ଏକ ଉତ୍ତେଜନା ପୂର୍ଣ୍ଣ ଭାଷଣ ପ୍ରଦାନ କଲେ । ଫଳରେ ରାଜା ଜମିଦାରମାନେ ଦେଶ ମିଶ୍ରଣ ନିମନ୍ତେ ବିଶେଷ ଉତ୍ସାହିତ ହୋଇପଡ଼ିଲେ । ହରିହର ମର୍ଦ୍ଦରାଜ ଗଞ୍ଜାମରେ ଏକଜାତୀୟ ସମ୍ମିଳନୀ ଅନୁଷ୍ଠିତ କରିବାପାଇଁ ପ୍ରସ୍ତୁତ ବୋଲି ଏଠାରେ ପ୍ରକାଶ କଲେ ।

ଏପ୍ରିଲ୍‍ ୧୧ ଓ ୧୨ ତାରିଖରେ ଗଞ୍ଜାମ ଜାତୀୟ ସମ୍ମିଳନୀ ବ୍ରହ୍ମପୁରଠାରେ ଅନୁଷ୍ଠିତ ହେଲା । ଗଞ୍ଜାମର ବହୁ ଓଡ଼ିଆ ଜମିଦାର, ଧନଶାଳୀ ଓ ସମ୍ଭ୍ରାନ୍ତ ବ୍ୟକ୍ତି ଏହି ସମ୍ମିଳନୀରେ ଯୋଗଦାନ କଲେ । କଟକରୁ ମଧୁସୂଦନ ଦାସ, ଗୋପାଳ ଚନ୍ଦ୍ର ପ୍ରହରାଜ, କୃଷ୍ଣପ୍ରସାଦ ମହାପାତ୍ର, ନନ୍ଦ କିଶୋର ବଳ, ପୁରୀରୁ ରାମଚନ୍ଦ୍ର ଦାସ, ଗୋପବନ୍ଧୁ ଦାସ, ପଣ୍ଡିତ ବାସୁଦେବ କାବ୍ୟତୀର୍ଥ, ରଘୁନାଥ ରାଓ, ବକ୍ସି ଲୋକନାଥ ବିଦ୍ୟାଧର ମହାପାତ୍ର ଓ ବାଲେଶ୍ୱରରୁ ଫକୀର ମୋହନ ସେନାପତି ଯୋଗ ଦେଇିଥିବାରୁ ସ୍ଥାନୀୟ ଗଞ୍ଜାମବାସୀ ଉତ୍ସାହିତ ହୋଇପଡ଼ିଲେ । ଏହି ସମ୍ମିଳନୀରେ ପାରଳାଖେମୁଣ୍ଡି ନିବାସୀ ବିଶିଷ୍ଟ ସାହିତ୍ୟିକ ତ‌ଥା ଗଞ୍ଜାମର ପ୍ରଥମ ଗ୍ରାଜୁଏଟ୍‍ ଶ୍ୟାମସୁନ୍ଦର ରାଜଗୁରୁ ସଭାପତିତ୍ୱ କରିିଥିଲେ । ଏହି ସମ୍ମିଳନୀରେ ଗଞ୍ଜାମ ତ‌ଥା ଓଡ଼ିଶା ଓ ଓଡ଼ିଆ ଭାଷାର ବିକାଶ ନିମନ୍ତେ ପ୍ରସ୍ତାବମାନ ଗୃହୀତ ହେଲା । ଏହି ସମ୍ମିଳନୀ ହେଲା 'ଉତ୍କଳ ସମ୍ମିଳନୀ'ର ଅଗ୍ରଦୂତ ।

୧୮ . ଓଡ଼ିଶା ରାଜନୀତିର ଇତିହାସ