ପୃଷ୍ଠା:Odisha Rajanitira Itihasa.pdf/୨୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦୁଃଖର ବିଷୟ ଯେ, ଅନ୍ୟାନ୍ୟ ପ୍ରଦେଶରେ ରହିଗଲା କେତେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ । ଯାହାକି ଓଡ଼ିଶା ସହିତ ମିଶିବାର କଥା । ସେଗୁଡ଼ିକ ହେଲା; ବିହାର ପ୍ରଦେଶର ମାନଭୂମ୍‍ ଜିଲ୍ଲାର ଦକ୍ଷିଣସ୍ଥ ଚାନ୍ଦ୍‍ଲି, ବରାହଭୂମି, ମାନବଜାର ସହ ସମଗ୍ର ସିଂହଭୂମ ଜିଲ୍ଲା । ବଙ୍ଗପ୍ରଦେଶ ବାଙ୍କୁଡ଼ା ଜିଲ୍ଲାର ଦକ୍ଷିଣ ଶିମିଳିପାଳ, ଖାଡ଼ୋ, ରାୟପୁର; ମେଦିନୀପୁର ଜିଲ୍ଲାର ଦକ୍ଷିଣପଶ୍ଚିମରେ ଥିବା କଣ୍ଟାଇ, ଝାଡ଼ଗ୍ରାମ ସବ୍‍ ଡିଭିଜନ, ଦାନ୍ତୁନ, ନାରାୟଣଗଡ଼, କେଶିଆଡ଼ି, ଖଡ଼ଗପୁର ଓ ମୋହନପୁର ପୋଲିସ ଷ୍ଟେସନ, ସଦର ସବ୍‍ ଡିଭିଜନର ଦେବରା, ସବଙ୍ଗ, ପଙ୍ଗଳା ପୋଲିସ୍‍ ଷ୍ଟେସନ ଏବଂ ତମଲୁକ ସବ୍‍ଡିଭିଜନର ନନ୍ଦିଗ୍ରାମ ଓ ପାଞ୍ଚକୁଡ଼ା ପୋଲିସ୍‍ ଷ୍ଟେସନ । ମଧ୍ୟପ୍ରଦେଶର ରାୟପୁର ଜିଲ୍ଲାର ଫୁଲଝର, ବିନ୍ଦ୍ରା ନୂଆଗଡ଼, କେରେଡ଼ା, ଦେବଭୋଗ, ବିଳାସପୁର ଜିଲ୍ଲାର ଚନ୍ଦ୍ରପୁର, ମାଲଖୋର୍ଦ୍ଧା, ଜମିଦାରୀ ଓ ଯୋଜନୀ ଗ୍ରାମ, ବସ୍ତର, ଶାରଙ୍ଗଗଡ଼, ରାୟଗଡ଼ ଓ ଯାସପୁର ଗଡ଼ଜାତ ଇତ୍ୟାଦି । ମାନ୍ଦ୍ରାଜର ବିଶାଖାପାଟଣା ଜିଲ୍ଲାର ମଞ୍ଜୁଷା, ଟେକାଲି, ତରଳା, ବୁଡାରସିଂ, ଜଳନ୍ତର, ଇଚ୍ଛାପୁର, ସୋମପେଣ୍ଠ, ପାରଳା ଓ ଚିତ୍କିଟି ଜମିଦାରୀର ବିଚ୍ଛିନ୍ନ ଅଂଶ, ଉଦ୍ୟାନଖଣ୍ଡର ୬୦ଟି ଗ୍ରାମ, ହିଲମାଡ଼ଗୁଲ, ସୁଜନକୋଟ, ମୁଠା, ପାଡ଼େରୁ, ଆରକୁପାଲ୍ଲୀ ପୋଲିସଥାନା ଇତ୍ୟାଦି ।

ଓଡ଼ିଆ ସଭ୍ୟମାନଙ୍କୁ ବିଦାୟ ସମ୍ବର୍ଦ୍ଧନା :

ବିହାର-ଓଡ଼ିଶା ପ୍ରଦେଶ ବ୍ୟବସ୍ଥାପକ ସଭାରେ ସେତେବେଳେ ଥିଲେ ଏଗାରଜଣ ଓଡ଼ିଆ ସଦସ୍ୟ । ସେମାନଙ୍କ ମଧ୍ୟରୁ ଦଶ ଜଣ ନିର୍ବାଚିତ ଓ ଜଣେ ମନୋନୀତ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅବ୍ୟବହିତ ପୂର୍ବରୁ ଓଡ଼ିଆ ସଦସ୍ୟମାନଙ୍କୁ ୧୯୩୬ ମସିହା ମାର୍ଚ୍ଚ ୨୮ତାରିଖରେ ବିହାରର ପାଟଣାଠାରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଗଲା । ଏହି ସଦସ୍ୟମାନେ ହେଲେ-

ରାୟବାହାଦୂର ଲକ୍ଷ୍ମୀଧର ମହାନ୍ତି, ଶେଖ୍‍ ଅବ୍‍ଦୁଲ ସଲିଲ୍‍, ହରିହର ଦାସ, ନିକୁଞ୍ଜ କିଶୋର ଦାସ, ରାଧା ରଞ୍ଜନ ଦାସ, ଜଗନ୍ନାଥ ଦାସ, ଗୋଦାବରୀଶ ମିଶ୍ର, ରାୟବାହାଦୁର ଲୋକନାଥ ମିଶ୍ର, ବଜ୍ରମୋହନ ପଣ୍ଡା, ବୀରବର ନାରାୟଣ ଚନ୍ଦ୍ର ଧୀର ନରେନ୍ଦ୍ର ଓ ରେଭରେଣ୍ଡ ବ୍ରଜାନନ୍ଦ ଦାସ ମନୋନୀତ ସଭ୍ୟ ।

ଓଡ଼ିଶା ରାଜନୀତିର ଇତିହାସ . ୨୧