ପୃଷ୍ଠା:Odisha Rajanitira Itihasa.pdf/୨୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦ୍ୱିତୀୟ ପରିଚ୍ଛେଦ

ସ୍ୱତନ୍ତ୍ର ଓଡ଼ିଶାର ପ୍ରଥମ ଗଭର୍ଣ୍ଣର,

ପ୍ରଥମ ବିଧାନସଭା ଓ ପ୍ରଥମ ମନ୍ତ୍ରିମଣ୍ଡଳ

୧୯୩୬ ମସିହା ଏପିଲ ପହିଲା ତାରିଖରେ ବିହାରରୁ ଅଲଗା ହୋଇ ଓଡ଼ିଶା ସ୍ୱତନ୍ତ୍ର ହେଲା । କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ ଛ'ଟି ଜିଲ୍ଲାର ଅଠରଟି ସବ୍‍ଡିଭିଜନ୍‍କୁ ନେଇ ଏହି ନୂତନ ଓଡ଼ିଶା ପ୍ରଦେଶ ଗଠିତ ହେଲା । ନୂତନ ଓଡ଼ିଶାପ୍ରଦେଶ ସହ ଗଡ଼ଜାତ ମାନଙ୍କର କୌଣସି ସମ୍ପର୍କ ରହିଲା ନାହିଁ । ନୂତନ ଓଡ଼ିଶାର ଆୟତନ ଥିଲା ୩୨,୬୯୫ ବର୍ଗମାଇଲ ଓ ଜନସଂଖ୍ୟା ଥିଲା ୮୧,୭୪,୦୦୦ । ଓଡ଼ିଶା ପ୍ରଦେଶ ଗଠନର ପ୍ରଥମ ଉତ୍ସବ ପାଳନ କରାଗଲା କଟକ ନଗରର ରେଭେନ୍‍ସା କଲେଜ ହଲରେ ।

ସେହିଦିନ ପ୍ରଭାତରେ ନୂତନ ଓଡ଼ିଶା ପ୍ରଦେଶର ରାଜ୍ୟପାଳ ସାର୍‍ ଜନ ଅଷ୍ଟେନ୍‍ ହବାକ, କେ.ସି. ଆଇ.ଇ; ଆଇ.ସି.ଏସ୍‍ ତାଙ୍କ ସହଧର୍ମିଣୀଙ୍କ ସହ ଏକ ସ୍ୱତନ୍ତ୍ର ଟ୍ରେନ୍‍ ଯୋଗେ କଟକରେ ଆସି ପହଞ୍ଚିଲେ । ତତ୍‍କାଳୀନ ଭାରତୀୟ ସିପାହୀମାନେ ତାଙ୍କୁ 'ଗାର୍ଡ ଅଫ୍‍ ଅନର' ପ୍ରଦାନ କଲେ । ସତରଟି ତୋପ ସଲାମୀ ଗ୍ରହଣ କରିବା ପରେ ଲାଟ୍‍ସାହେବ ରେଭେନ୍‍ସା କଲେଜ ଅଭିମୁଖେ ଯାତ୍ରା କଲେ । ପୂର୍ବରୁ ରେଭେନ୍‍ସା କଲେଜ ହଲରେ ଦରବାରର ଆୟୋଜନ ହୋଇଥିଲା । ଓଡ଼ିଶାର ବହୁ ଉଚ୍ଚବଂଶୀୟ ବ୍ୟକ୍ତି, ରାଜା-ଜମିଦାର, ବିଶିଷ୍ଟ କର୍ମଚାରୀ ଓ ସାଧାରଣ ଲୋକ ଏହି ଉତ୍ସବରେ ଉପସ୍ଥିତ ଥିଲେ । ସର୍ବପ୍ରଥମେ ଲାଟସାହେବ ରାଜଭକ୍ତି ଓ କାର୍ଯ୍ୟଭାର ଗ୍ରହଣସୂଚକ ଶପଥ ଗ୍ରହଣ କଲେ । ବିହାର-ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ସାର୍‍ କଟନି ଟେଲର ଓଡ଼ିଶାର ନୂତନ ଗଭର୍ଣ୍ଣର ଭାବେ ତାଙ୍କୁୁ ଶପଥ ପାଠ କରାଇଲେ ।

ମହାମହିମ ଭାରତସମ୍ରାଟ ସପ୍ତମ ଏଡ୍‍ଓ୍ୱାର୍ଡ ନୂତନ ଓଡ଼ିଶା ପ୍ରଦେଶ ଗଠନ ଉପଲକ୍ଷେ ଓଡ଼ିଶାବାସୀଙ୍କ ପ୍ରତି ଏକ ଶୁଭେଚ୍ଛା ବାର୍ତ୍ତା ଓ ଅଭିନନ୍ଦନ ଭାରତର ବଡ଼ଲାଟ ଲର୍ଡ ଉଇଲିଂଡନ୍‍ଙ୍କ

ଓଡ଼ିଶା ରାଜନୀତିର ଇତିହାସ . ୨୩