ପୃଷ୍ଠା:Odisha Rajanitira Itihasa.pdf/୩୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ତୃତୀୟ ପରିଚ୍ଛେଦ
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଶାସକଗଣ

ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହୋଇସାରିବା ପରେ ଏହାର ରାଜଧାନୀ ରହିଲା କଟକ ମହାନଗରୀରେ । ସଚିବାଳୟ ଏଠାରେ କାର୍ଯ୍ୟ କଲା । ସାର ଜନ୍‍ ଅଷ୍ଟେନ୍‍ ହବାକ୍‍ ଓଡ଼ିଶାର ଲାଟସାହେବ ବା ଗଭର୍ଣ୍ଣର ହୋଇ ଆସିଲେ । ସେ ପ୍ରଦେଶ ଗଠନର ପ୍ରଥମ ଦିନ ଓଡ଼ିଶାରେ ପଦାର୍ପଣ କରି ଶାସନ ଦାୟିତ୍ୱ ଗ୍ରହଣ କଲେ । ସାର ଜନ୍‍ ଅଷ୍ଟିନ୍‍ ହବାକ୍‍ ୧୮୭୮ ମସିହା ଫେବ୍ରୁଆରି ୨୮ ତାରିଖରେ ବିଲାତରେ ଜନ୍ମଗ୍ରହଣ କରିିଲେ । ଇଂଲଣ୍ଡର କେମ୍ବ୍ରିଜ୍‍ ବିଶ୍ୱବିଦ୍ୟାଳୟରୁ ଏମ୍‍.ଏ. ପାସ୍‍ କରି ପ୍ରଥମେ ଜଏଣ୍ଟ ମାଜିଷ୍ଟ୍ରେଟ୍‍ ଭାବରେ ସରକାରୀ କାର୍ଯ୍ୟରେ ଯୋଗଦାନ କରିିଲେ । ବିହାର-ଓଡ଼ିଶା ଶାସନ ସମିତି ଓ ଅର୍ଥ ସଦସ୍ୟ ଭାବରେ ଦକ୍ଷତାର ସହ କାର୍ଯ୍ୟ ନିର୍ବାହ କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଗଭର୍ଣ୍ଣର ହୋଇ ଆସିଲେ ।

ସାର୍‍ ଜନ୍‍ ଅଷ୍ଟେନ୍‍ ହବାକ୍‍ ଥିଲେ ଜଣେ ପଣ୍ଡିତ ବ୍ୟକ୍ତି । ଗଣିତ, ଉଦ୍ଭିଦ ବିଜ୍ଞାନ ଓ ଜ୍ୟୋତିଷ ଶାସ୍ତ୍ରରେ ତାଙ୍କର ଥିଲା ଅଗାଧ ପାଣ୍ଡିତ୍ୟ । ତାଙ୍କର ଓଡ଼ିଶା ପ୍ରଶାସନ କ୍ଷେତ୍ରରେ ଯଥେଷ୍ଟ ଦକ୍ଷତା ଥିଲା । କାରଣ ସେ ଓଡ଼ିଶାର ଗଭର୍ଣ୍ଣର ହେବା ପୂର୍ବରୁ ୧୯୨୬, ୧୯୨୯ ଓ ୧୯୩୦ ମସିହାରେ ତିନିଥର ଓଡ଼ିଶାର କମିଶନର ଦାୟିତ୍ୱ ତୁଲାଇଥିଲେ । ସେ ଓଡ଼ିଶାର କମିଶନର ଭାବରେ କାର୍ଯ୍ୟ କରିିବା ସମୟରେ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ସ୍ୱାସ୍ଥ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ବେଶ୍‍ ତ‌ତ୍ପର ଥିଲେ । କମିଶନର ଭାବରେ ସେ ଓଡ଼ିଶାରେ ବହୁଳ ଲୋକପ୍ରିୟତା ହାସଲ କରିଥିଲେ । ସେହି ସମୟରେ ଓଡ଼ିଆ ଭାଷାକୋଷର ପ୍ରକାଶନ ନିମନ୍ତେ ଆର୍ଥିକ ସହାୟତା ପାଇଁ ବିହାର-ଓଡ଼ିଶା ସରକାରଙ୍କୁ ଅନୁରୋଧ କରି ଆର୍ଥିକ ସହାୟତା ପ୍ରଦାନ କରାଇଥିଲେ । ଓଡ଼ିଶାର ଗଭର୍ଣ୍ଣର ହେବା ପରେ ଓଡ଼ିଆ ଭାଷାକୋଷର ପ୍ରକାଶନ ଲାଗି ଆର୍ଥିକ ସହାୟତା ନିମନ୍ତେ ଭାରତର ତତ୍‍କାଳୀନ ଭାଇସ୍‍-ରଏ ଲିନ୍‍ ଲିଥଗୋଙ୍କ ଦୃଷ୍ଟି ଆକର୍ଷଣ କରିିଥିଲେ । ଓଡ଼ିଶାର ଲାଟ ସାହେବ ଭାବରେ ଭାଷାକୋଷର ସପ୍ତମ ଖଣ୍ଡ ପ୍ରକାଶନ ନିମନ୍ତେ ସ୍ୱ-ପାଣ୍ଠିରୁ ଆର୍ଥିକ ଅନୁଦାନ ପ୍ରଦାନ କରିଥିଲେ । ଓଡ଼ିଆ ଭାଷାକୋଷର ପ୍ରଥମ ଖଣ୍ଡକୁ ତାଙ୍କ ନାମରେ ଉତ୍ସର୍ଗ କରାଯାଇଛି ।

୩୦ . ଓଡ଼ିଶା ରାଜନୀତିର ଇତିହାସ