ପୃଷ୍ଠା:Odisha Rajanitira Itihasa.pdf/୩୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମସିହାରେ ସାଧାରଣ ନିର୍ବାଚନ ହୋଇଥିଲା । ବିଶ୍ୱନାଥ ଦାସ ଏହି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଆସିଲେ । ତାଙ୍କ ଦଳ ସଂଖ୍ୟାଗରିଷ୍ଠତା ଲାଭ କରିବାରୁ ସେ ନିର୍ବାଚିତ ହୋଇ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କଲେ ।

ବିଶ୍ୱନାଥ ଦାସ ୧୮୮୯ ମସିହା ମାର୍ଚ୍ଚ ମାସ ୮ ତାରିଖରେ ଗଞ୍ଜାମ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ରେଭେନ୍‌ସା କଲେଜରୁ ବି.ଏ. ଓ କଲିକତା ବିଶ୍ୱବିଦ୍ୟାଳୟରୁ ବି.ଏଲ୍. ପାସ୍‍ କରିବା ପରେ ମାଡ୍ରାସଠାରେ ଓକିଲାତି ବ୍ୟବସାୟ ଆରମ୍ଭ କଲେ । ଏହି ସମୟରେ ୧୯୨୦ ମସିହାରେ ଜାତିର ପିତା ମହାତ୍ମାଗାନ୍ଧିଙ୍କ ଅସହଯୋଗ ଆନ୍ଦୋଳନର ଡାକରା ତାଙ୍କ କାନରେ ପଡ଼ିଲା । ସେ ଆଇନ ବ୍ୟବସାୟ ତ୍ୟାଗ କରି ଆନ୍ଦୋଳନରେ ଯୋଗଦାନ କଲେ । ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ମଧ୍ୟ ହୋଇଗଲେ । ତାପରେ ସେ ଗଞ୍ଜାମ ଜିଲ୍ଲା ଛତ୍ରପୁର ତାଲୁକ୍‍ ବୋର୍ଡର ସଭାପତି ଭାବରେ ନିର୍ବାଚିତ ହେଲେ । ଏହି ସମୟରେ ସେ ମାଡ୍ରାସ ପ୍ରଭିନ୍‍ସର କୃଷକ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କଲେ । ୧୯୨୦-୧୯୨୯ ମଧ୍ୟରେ ସେ ମାଡ୍ରାସ କାଉନ୍‍ସିଲକୁ ତିନିଥର ନିର୍ବାଚିତ ହୋଇଥିଲେ । ବିଶ୍ୱନାଥ ବାବୁ ମାଡ୍ରାସ କାଉନ୍‍ସିଲରୁ ଇସ୍ତଫା ଦେଇ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଅଂଶ ଗ୍ରହଣ କରି ବହୁବାର କାରାବରଣ କଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ସେ ଉତ୍କଳ ସମ୍ମିଳନୀ ମାଧ୍ୟମରେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିିଲେ । ଶେଷରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଲା । ସେ ହେଲେ ଓଡ଼ିଶାର ପ୍ରଥମ ନିର୍ବାଚିତ ପ୍ରଧାନମନ୍ତ୍ରୀ । ତାଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ମାଡ୍ରାସ ଭୂସମ୍ପତ୍ତି (ଓଡ଼ିଶା ସଂଶୋଧନ) ବିଲ; ଓଡ଼ିଶା ପ୍ରଜା ସ୍ୱତ୍ୱ (ସଂଶୋଧନ) ବିଲ ଓ ମହାଜନି କାରବାର ଆଇନ ବିଲ ଆଗତ ହୋଇଥିଲା । ୧୯୩୯ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଘୋଷଣା ହେବାରୁ ଭାରତୀୟ ଜାତୀୟ କଂଗ୍ରେସ ନିର୍ଦେଶରେ ବିଶ୍ୱନାଥ ବାବୁ ଓଡ଼ିଶାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ, ମନ୍ତ୍ରିମଣ୍ଡଳ ଭାଙ୍ଗିଗଲା ।

ଓଡ଼ିଶା ପ୍ରଦେଶର ଶାସନ ସିଧାସଳଖ ଲାଟସାହେବଙ୍କ ଅଧୀନରେ ରହିଲା । ତାଙ୍କର ବ୍ୟକ୍ତିଗତ ସଚିବ ମିଃ. ଜେ. ଏସ୍‍. ଉଇଲ କକ୍‍, ଆଇ.ସି.ଏସ୍‍. ତାଙ୍କୁ ଶାସନ ପରିଚାଳନାରେ ସହାୟତା କଲେ । ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଘୋଷିତ ହେବା ପରେ ଶାସନର ସୁବିଧା ପାଇଁ ଅନେକ ଗୁଡ଼ିଏ ବିଭାଗ ସୃଷ୍ଟି କରାଯାଇଥିଲା । ସଚିବାଳୟ ଓ ବିଭାଗୀୟ ସ୍ତରରେ ଅନେକ ବିଶିଷ୍ଟ ବ୍ୟକ୍ତି ନିଯୁକ୍ତି ପାଇଲେ । ତା'ଭିତରେ ଥିଲେ ଅନେକ ଗୋରା ସାହେବ, କେତେକ ଭାରତୀୟ ଓ ଅଳ୍ପ କିଛି ଓଡ଼ିଆ । ଚିଫ୍‍ ସେକ୍ରେଟାରୀ ବା ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତି ପାଇଲେ ମିଃ. ପି.ଟି. ମାନ୍‍ସଫିଲଡ୍‍, ସି.ଆଇ.ଇ, ଆଇ.ସି.ଏସ୍‍. । ଉନ୍ନୟନ ସଚିବ ବା ଡେଭଲପ୍‍ମେଣ୍ଟ ସେକ୍ରେଟାରୀ ଭାବରେ ନିଯୁକ୍ତି ପାଇଲେ ମିଃ. ଏଫ୍‍. ଡବ୍ଲ୍ୟୁ. ଡିକସନ୍‍, ଆଇ.ସି.ଏସ୍‍. । ଅନ୍ୟ ବିଭାଗ ପାଇଁ ଯେଉଁ ବିଶିଷ୍ଟ ବ୍ୟକ୍ତିମାନେ ନିଯୁକ୍ତି ପାଇଥିଲେ ସେମାନେ ହେଲେ- ଆଇନ୍‍ ସଚିବ ତ‌ଥା ଆଡ୍‍ଭୋକେଟ୍‍ ଜେନେରାଲ-ଦେଓ୍ୱାନ୍‍ ବାହାଦୂର ଗୋବିନ୍ଦନ ନାୟାର, ବି.ଏ.ବି.ଏଲ୍‍., ବାରଆଟ-ଲ; ରାଜସ୍ୱ କମିଶନର-ମିଃ. ଆର.ପି.ଓ୍ୱାର୍ଡ, ଆଇ.ସି.ଏସ୍‍.; ସ୍ୱାସ୍ଥ୍ୟ ଓ କାରାଗାର ନିର୍ଦ୍ଦେଶକ

୩୨ . ଓଡ଼ିଶା ରାଜନୀତିର ଇତିହାସ