ପୃଷ୍ଠା:Odisha Rajanitira Itihasa.pdf/୩୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚତୁର୍ଥ ପରିଚ୍ଛେଦ

ଓଡ଼ିଶା ରାଜନୀତିରେ ପ୍ରଥମ ଦଳବଦଳ ଓ

ପ୍ରଥମ ମିଳିତ ମନ୍ତ୍ରିମଣ୍ଡଳ

କେତେକ ନିର୍ବାଚିତ ପ୍ରତିନିଧି ବ୍ୟକ୍ତିଗତ ସ୍ୱାର୍ଥ ଓ କ୍ଷମତା ଲାଳସାର ବଶବର୍ତ୍ତୀ ହୋଇ ଦଳ ବଦଳାଇ ଥାଆନ୍ତି ତ ଆଉ କେତେକ ଅନ୍ୟ ଦଳର ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳ ବଦଳାଇ ଥାଆନ୍ତି । ଆଉ ମଧ୍ୟ କେତେକ ଉପରେ ଆଦର୍ଶର ଦ୍ୱାହି ଦେଇ ବ୍ୟକ୍ତିଗତ ସ୍ୱାର୍ଥ ବା ଅସୂୟା ଭାବକୁ ହୃଦୟରେ ରଖି ଦଳ ବଦଳାଇ ଥାଆନ୍ତି । ଏହାର ବହୁଳ ଦୃଷ୍ଟାନ୍ତ ରାଜ୍ୟ ରାଜନୀତିଠାରୁ ଆରମ୍ଭ କରି ଜାତୀୟ ରାଜନୀତି ସ୍ତରରେ ଦେଖିବାକୁ ମିଳିଥାଏ । ଓଡ଼ିଶା ରାଜନୀତିରେ ସ୍ୱାଧୀନତା ପୂର୍ବବର୍ତ୍ତୀ ପ୍ରଥମ ସାଧାରଣ ନିର୍ବାଚନ (୧୯୩୭) ପରେ ପରେ ଦଳ ବଦଳର ଦୃଶ୍ୟ ଦେଖିବାକୁ ମିଳେ ।

୧୯୩୭ ମସିହାରେ ଓଡ଼ିଶାରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଚାରିଟି ଦଳ ସକ୍ରିୟ ଥିବାର ଜଣାଯାଏ । ସେଗୁଡ଼ିକ ହେଲା ଭାରତୀୟ ଜାତୀୟ କଂଗ୍ରେସ; କନିକା ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ଇଉନାଇଟେଡ୍‍ ପାର୍ଟି; ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ନ୍ୟାସନାଲ ପାର୍ଟି ଓ ପାରଳାଖେମୁଣ୍ଡି ରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ 'ସ୍ୱାଧୀନ ପାର୍ଟି' । ଭାରତୀୟ ଜାତୀୟ କଂଗ୍ରେସ ସବୁଠାରୁ ବେଶୀ ପ୍ରଭାବଶାଳୀ ଥିଲା । ସେତେବେଳେ ଓଡ଼ିଶା ପ୍ରଦେଶ କମିଟିର ସଭାପତି ଥିଲେ ପଣ୍ଡିତ ନୀଳକଣ୍ଠ ଦାସ ଓ ସାଧାରଣ ସମ୍ପାଦକ ଥିଲେ ନବକୃଷ୍ଣ ଚୌଧୁରୀ । କଂଗ୍ରେସ ଦଳ ସପକ୍ଷରେ ପ୍ରଚାର କରିବା ପାଇଁ କେନ୍ଦ୍ରରୁ ଓଡ଼ିଶା ଆସିଲେ ପଣ୍ଡିତ ଜବାହାରଲାଲ ନେହେରୁ । ତାଙ୍କ ସହ ସାମିଲ ହେଲେ ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ପଣ୍ଡିତ ନୀଳକଣ୍ଠ ଦାସ, ହରେକୃଷ୍ଣ ମହତାବ ଓ ଭାଗୀରଥି ମହାପାତ୍ର ଆଦି ଅନେକ ନାମଜାଦା ତୁଙ୍ଗ କଂଗ୍ରେସ ନେତୃବର୍ଗ ।

୩୪ . ଓଡ଼ିଶା ରାଜନୀତିର ଇତିହାସ