ପୃଷ୍ଠା:Odisha Rajanitira Itihasa.pdf/୩୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେ ରୁଲ ବଦଳାଇ ପଣ୍ଡିତ ନୀଳକଣ୍ଠଙ୍କୁ ପ୍ରଧାନମନ୍ତ୍ରୀ କରି ଆଣି ନିଜେ ମନ୍ତ୍ରୀ ହୋଇ ରହିବେ । ନେତା ନିର୍ବାଚିତ ହେଲା ପରେ ବିଶ୍ୱନାଥ ଦାସଙ୍କର ଏହି କଥା ଆଉ ମନେରହିଲା ନାହିଁ ।"

ବିଶ୍ୱନାଥ ଦାସ ପ୍ରଧାନମନ୍ତ୍ରୀ ହେଲେ । ତାଙ୍କ ମନ୍ତ୍ରିମଣ୍ଡଳ ୧୯୩୭ ମସିହା ଜୁନ୍‍ ଶେଷ ସପ୍ତାହରେ ଶପଥ ଗ୍ରହଣ କଲେ । ଏ ବିଷୟରେ ପୂର୍ବରୁ ଆଲୋଚନା ହୋଇସାରିଛି । ଏହି କଂଗ୍ରେସ ମନ୍ତ୍ରିମଣ୍ଡଳ ୧୯୩୯ ମସିହା ନଭେମ୍ବର ୪ ତାରିଖ ଦିନ ଇସ୍ତଫା ପ୍ରଦାନ କରିିଥିଲେ । ଏହି ସମୟରେ ୧୯୩୮ ମସିହା ମଇ ପହିଲଠାରୁ ୪ ମାସ ଯାଏ ଓଡ଼ିଶାର ଗଭର୍ଣ୍ଣର ସାର୍‍ ଜନ୍‍ ଅଷ୍ଟିନ୍‍ ହବାକ୍‍ ଛୁଟିରେ ଗଲେ । ତାଙ୍କ ସ୍ଥାନରେ ରେଭେନ୍ୟୁ କମିଶନର ଜନ୍‍ ଡନ୍‍ଙ୍କୁ ସରକାର ଅସ୍ଥାୟୀ ରାଜ୍ୟପାଳ ଭାବରେ ଅବସ୍ଥାପିତ କଲେ । ବିଶ୍ୱନାଥ ଦାସଙ୍କ କଂଗ୍ରେସ ମନ୍ତ୍ରିମଣ୍ଡଳ ଇସ୍ତଫା ଦେବାର କାରଣ ହେଲା -

୧୯୩୯ ମସିହା ସେପ୍ଟେମ୍ବର ମାସରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା । ବ୍ରିଟିଶ୍‍ ସରକାର ମିତ୍ରଦଳ ପକ୍ଷରେ ରହି ଭାରତର ଲୋକମତକୁ ନ ନେଇ ଭାରତକୁ ଯୁଦ୍ଧରେ ସାମିଲ୍‍ କଲେ । କଂଗ୍ରେସ ପକ୍ଷରୁ ଏହାର ଘୋର ପ୍ରତିବାଦ କରାଗଲା । ବିଭିନ୍ନ ପ୍ରଦେଶରେ ଥିବା କଂଗ୍ରେସ ମନ୍ତ୍ରିମଣ୍ଡଳଗୁଡ଼ିକୁ ଇସ୍ତଫା ପ୍ରଦାନ କରିବା ପାଇଁ କଂଗ୍ରେସ ହାଇ କମାଣ୍ଡ ନିର୍ଦେଶ ଦେଲେ । ସେହି ସମୟକୁ ଦେଶର ସାତଟି ପ୍ରଦେଶରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଦୁଇ ବର୍ଷରୁ ଅଧିକ କାଳ କୃତିତ୍ୱ ସହକାରେ ଶାସନ କରି ସାରିିଥିଲେ ।" ଏହି ପରିପ୍ରେକ୍ଷୀରେ ଓଡ଼ିଶାର କଂଗ୍ରେସ ମନ୍ତ୍ରିମଣ୍ଡଳ ୧୯୩୯ ମସିହା ନଭେମ୍ବର ୪ ତାରିଖରେ ଇସ୍ତଫା ପ୍ରଦାନ କଲେ ।

ଓଡ଼ିଶାରେ ପ୍ରଥମ ରାଜ୍ୟପାଳ ଶାସନ :

କଂଗ୍ରେସ ମନ୍ତ୍ରିମଣ୍ଡଳ ୧୯୩୯ ମସିହା ନଭେମ୍ବର ୪ ତାରିଖରେ ଇସ୍ତଫା ପ୍ରଦାନ କରିବା ପରେ ସେହି ଦିନଠାରୁ ୧୯୪୧ ମସିହା ନଭେମ୍ବର ୨୮ ତାରିଖ ଯାଏ ଓଡିଶା ରାଜ୍ୟପାଳଙ୍କ ଶାସନାଧୀନ ହୋଇ ରହିଥିଲା । ୧୯୩୫ ଭାରତ ଶାସନ ଆଇନର ୯୩ ଧାରା ଅନୁଯାୟୀ ରାଜ୍ୟପାଳ ଏହି ଶାସନ ଦାୟିତ୍ୱ ଗ୍ରହଣ କଲେ । ଏହା ହେଲା ଓଡ଼ିଶାର ପ୍ରଥମ ରାଜ୍ୟପାଳ ଶାସନ । ସାର୍‍ ଜନ୍‍ ଅଷ୍ଟେନ୍‍ ହବାକ୍‍ ଦୀର୍ଘ ଚାରିବର୍ଷ କାଳ ଓଡ଼ିଶାରେ ରହି ୧୯୪୧ ମସିହା ଏପ୍ରିଲ ୧ ତାରିଖରେ ବିଦାୟ

୩୬ . ଓଡ଼ିଶା ରାଜନୀତିର ଇତିହାସ