ପୃଷ୍ଠା:Odisha Rajanitira Itihasa.pdf/୩୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗଜପତିଙ୍କ ଦଳ) ଓ ଅନ୍ୟ ଦଳର ସଭ୍ୟ ସଂଖ୍ୟା-୭; ମୁସଲିମ୍‍ ଲିଗ୍‍ର ସଭ୍ୟ ସଂଖ୍ୟା-୪ ଓ କଂଗ୍ରେସ ଦଳ ଛାଡ଼ି ଆସିିବା-୮ ସଭ୍ୟ ଏହିପରି ୨୯ ଜଣ ସଦସ୍ୟଙ୍କ ସମେତ ୪ ଜଣ ଯାକ ମନୋନୀତ ସଦସ୍ୟ ଏହି ମନ୍ତ୍ରିମଣ୍ଡଳକୁ ସର୍ମନ ଜଣାଇଲେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ୱରେ ୧୯୪୧ ନଭେମ୍ବର ୨୮ ତାରିଖରେ ଓଡ଼ିଶାରେ ଅନ୍ୟ ଏକ ସଂଖ୍ୟାଲଘୁ ମିଳିତ ସରକାର ଗଠନ ହେଲା । ମନ୍ତ୍ରିମଣ୍ଡଳରେ ଦୁଇଜଣ ସଦସ୍ୟ ରହିଲେ । ସେମାନେ ହେଲେ ପଣ୍ଡିତ ଗୋଦାବରୀଶ ମିଶ୍ର ଓ ମୌଲବୀ ଅବ୍‍ଦସ୍‍ ଶୋଭନ ଖାଁ । ମହାରାଜା କ୍ୟାପଟେନ୍‍ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ହେଲେ ପ୍ରଧାନମନ୍ତ୍ରୀ । ପଣ୍ଡିତ ଗୋଦାବରୀଶ ମିଶ୍ର ହେଲେ ଘରୋଇ ବ୍ୟାପାର (ପ୍ରସାର), ଅର୍ଥ, ଶିକ୍ଷା ଓ ଉନ୍ନୟନ ବିଭାଗର ମନ୍ତ୍ରୀ । ମୌଲବୀ ଅବ୍‍ଦସ୍‍ ଶୋଭନ ଖାଁ ହେଲେ- ରାଜସ୍ୱ, ସ୍ୱାସ୍ଥ୍ୟ, ଆଇନ ଓ ବାଣିଜ୍ୟ ବିଭାଗ ମନ୍ତ୍ରୀ ।

ପଣ୍ଡିତ ନୀଳକଣ୍ଠ ଦାସଙ୍କ ଆତ୍ମଜୀବନୀରେ ଉଲ୍ଲେଖ ଅଛି ଯେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କୁ ତତ୍‍କାଳୀନ ଗଭର୍ଣ୍ଣର ଲୁଇସ୍‍ ସାହେବ ମନ୍ତ୍ରିମଣ୍ଡଳରେ ନେବାକୁ ଅନିଚ୍ଛା ପ୍ରକାଶ କରିିଥିଲେ । କିନ୍ତୁ ପଣ୍ଡିତ ନୀଳକଣ୍ଠ ଦାସ ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ପ୍ରଭାବିତ କରି ଗଭର୍ଣ୍ଣରଙ୍କୁ ବୁଝାଇ ଦେଇଥିଲେ । ଫଳରେ ମହାରାଜା କୃଷ୍ଣଚନ୍ଦ୍ର ଗଭର୍ଣ୍ଣରଙ୍କୁ କହିିଲେ କି "ଆପଣ ଏପରି କଲେ ମନ୍ତ୍ରିମଣ୍ଡଳ ଗଠିତ ହୋଇ ପାରିବ ନାହିଁ । ଫଳରେ ଗଭର୍ଣ୍ଣର ଲୁଇସ୍‍ ସାହେବ ବାଧ୍ୟହୋଇ ମନ୍ତ୍ରିମଣ୍ଡଳ ଗଠନ ପାଇଁ ଅନୁମତି ପ୍ରଦାନ କରିଥିଲେ ।

ବ୍ୟକ୍ତିଗତ ସତ୍ୟାଗ୍ରହ ବନ୍ଦ ହୋଇଗଲା । କଂଗ୍ରେସ ନେତା ଓ ବିଧାୟକମାନେ ଜେଲରୁ ମୁକ୍ତି ପାଇ ଫେରିଲେ । ଏହି ସଂଖ୍ୟାଲଘୁ ସରକାରକୁ ହଟେଇବା ପାଇଁ ଉଦ୍ୟମ ଆରମ୍ଭ କଲେ । କିନ୍ତୁ ସରକାର ଏଥର ବର୍ତ୍ତିିଗଲା । କାରଣ ସେହି ସମୟରେ ମହାତ୍ମା ଗାନ୍ଧିଙ୍କ ଡାକରାରେ 'ଭାରତ ଛାଡ଼ ଆନ୍ଦୋଳନ' ଆରମ୍ଭ ହୋଇଗଲା । ଏ ହେଉଛି ୧୯୪୨ ମସିହା କଥା । ନବକୃଷ୍ଣ ଚୌଧୁରୀ, ପ୍ରାଣନାଥ ପଟ୍ଟନାୟକ ଓ ବିଶ୍ୱନାଥ ଦାସ ଆଦି ବହୁ ନେତାଙ୍କ ସମେତ, ଅଠର ଜଣ ବିଧାୟକ ଯାଇ ଜେଲରେ ରହିଲେ ।

କ୍ଷମତା ହାସଲ ପାଇଁ ସରକାରକୁ ଦୃଢ଼ ସମର୍ଥନ ଜଣାଉଥିବା ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ପ୍ରଧାନମନ୍ତ୍ରୀ ତ‌ଥା ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ମୁଖ୍ୟ ସମାଲୋଚକ ଭାବରେ ଦେଖାଦେଲେ । ସେହିପରି କଂଗ୍ରେସ ଦଳ ତ୍ୟାଗ କରି ଆସିିଥିବା ଓ ଶିକ୍ଷାମନ୍ତ୍ରୀ ହୋଇଥିବା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସହ କେନ୍ଦ୍ର ବ୍ୟବସ୍ଥାପକ ସଭାର ସଦସ୍ୟ ତ‌ଥା ତାଙ୍କର ପରମ ବନ୍ଧୁ ପଣ୍ଡିତ ନୀଳକଣ୍ଠ ଦାସଙ୍କର ତୀବ୍ର ମନୋମାଳିନ୍ୟ ଘଟିଲା । ଏପରି ସ୍ଥଳେ ସଂଖ୍ୟାଲଘୁ ମିଳିତ ମନ୍ତ୍ରିମଣ୍ଡଳର ପତନ ଘଟିଲା । ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ୧୯୪୪ ମସିହା ୨୯ ତାରିଖରେ ଇସ୍ତଫା ପ୍ରଦାନ କଲେ । ରାଜ୍ୟପାଳ ସାର୍‍ ହାଥର୍ଣ୍ଣ ଲୁଇସ ଓଡ଼ିଶା ପ୍ରଦେଶର ଶାସନ ଦାୟିତ୍ୱ ନିଜ ହାତକୁ ନେଲେ । ଦ୍ୱିତୀୟ ଥର ପାଇଁ ଓଡ଼ିଶା ପ୍ରଦେଶରେ ରାଜ୍ୟପାଳ ଶାସନ ଜାରି ହେଲା । ଏହା ୧୯୪୪ ଜୁନ୍‍ ୨୯ ତାରିଖରୁ ତା୨୨

ଓଡ଼ିଶା ରାଜନୀତିର ଇତିହାସ . ୩୯