ପୃଷ୍ଠା:Odisha Rajanitira Itihasa.pdf/୪୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାକି ୧୧ଟି ଆସନ ଲାଭକଲା ପ୍ରତିଦ୍ୱନ୍ଦ୍ୱିତା କରି । କଂଗ୍ରେସ ପ୍ରତି ଓଡ଼ିଶା ଜନସାଧାରଣଙ୍କର କିପରି ବିପୁଳ ସମର୍ଥନ ଥିଲା- ତାହା ଏହି ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ପ୍ରତୀୟମାନ ।

ଏହି ନିର୍ବାଚନର ବିଶେଷତ୍ୱ ହେଲା, ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ଦଳ 'ଇଉନାଇଟେଡ୍‍ ପାର୍ଟି', ଖଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ 'ନ୍ୟାସନାଲ୍‍ ପାର୍ଟି' ଓ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ 'ସ୍ୱାଧୀନ ପାର୍ଟି' ତରଫରୁ କୌଣସି ପ୍ରାର୍ଥୀ ରହିଲେ ନାହିଁ । ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ଓ ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଦେଓ ସ୍ୱାଧୀନ ପ୍ରାର୍ଥୀ ଭାବରେ ବିଜୟଲାଭ କଲେ । ମୁସ୍‍ଲିମ୍‍ଲିଗ୍‍ର ଚାରିଜଣ ଯାକ ପ୍ରାର୍ଥୀ ମଧ୍ୟ ବିଜୟଲାଭ କଲେ । ବୈଦ୍ୟନାଥ ରଥ କମ୍ୟୁନିଷ୍ଟ ପ୍ରାର୍ଥୀ ଭାବରେ ନିର୍ବାଚନ ଜିତି ବିଧାନସଭାକୁ ଆସିଲେ । ଓଡ଼ିଶାର ଦ୍ୱିତୀୟ ବିଧାନସଭାରେ ବିଭିନ୍ନ ଦଳର ସ୍ଥିତି ହେଲା; କଂଗ୍ରେସ-୪୭, ମୁସଲିମ୍‍ଲିଗ୍‍-୪, କମ୍ୟୁନିଷ୍ଟ-୧, ସ୍ୱାଧୀନ-୪ ଓ ମନୋନୀତ-୪ ।

କଂଗ୍ରେସର ବିପୁଳ ବିଜୟରେ ବିରୋଧୀମାନେ ହତବାକ୍‍ ହୋଇଗଲେ । କଂଗ୍ରେସର ନୈତିକବଳ ମଧ୍ୟ ବୃଦ୍ଧି ପାଇଲା । ଏହା ସହିତ ଟକ୍କର ଦେବାପାଇଁ ଓଡ଼ିଶାରେ ଆଉ କୌଣସି ସୁସଂଗଠିତ ରାଜନୈତିକ ଦଳ ନଥିଲା । ୧୯୪୧ର ମିଳିତ ସରକାରରେ ଥିବା ଅସନ୍ତୁଷ୍ଟ କଂଗ୍ରେସ ନେତା ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ଯଦୁମଣି ମଙ୍ଗରାଜ ଓ ଦିବାକର ପଟ୍ଟନାୟକ ଆଦିଙ୍କର ଏହି ନିର୍ବାଚନରେ କୌଣସି ସତ୍ତା ରହିଲା ନାହିଁ ।

ଏହି ନିର୍ବାଚନପାଇଁ କଂଗ୍ରେସ ପ୍ରାର୍ଥୀ ଚୟନରେ କେତେକ ସ୍ଥାନରେ ଉତ୍ସାହୀ ଯୁବକମାନଙ୍କୁ ଅଗ୍ରାଧିକାର ଦିଆଯାଇଥିଲା । ଏପରିକି ପୂରା ଅଜଣା ଅଶୁଣା ବ୍ୟକ୍ତିମାନଙ୍କୁ ମଧ୍ୟ ପ୍ରାର୍ଥୀ କରାଯାଇଥିଲା । ଜଣେ ବ୍ୟକ୍ତି ରୟାଲ ଏୟାରଫୋର୍ସରେ ଚାକିରି କରୁଥିଲେ । ତାଙ୍କ ନାମ ଲାଲ୍‍ ରଣଜିତ୍‍ ସିଂହ । ତାଙ୍କୁ ପ୍ରାର୍ଥୀ କରିବା ପାଇଁ ସର୍ଦ୍ଦାର ପଟେଲ ହରେକୃଷ୍ଣ ମହତାବଙ୍କ ପାଖକୁ ଚିଠି ଲେଖିଲେ । ୧୯୪୬ ମସିହା ଜାନୁଆରି ୮ ତାରିଖରେ ତାଙ୍କୁ ପ୍ରାଦେଶିକ କମିଟି ଗ୍ରହଣ କଲା । ଫଳରେ ଦଳ ଭିତରେ ନାନା ଭାବରେ ଆଲୋଚନା ଓ ସମାଲୋଚନା ଦେଖାଗଲା । ଏହି ପ୍ରାର୍ଥୀଙ୍କର ଜନ୍ମସ୍ଥାନ ହେଉଛି ସମ୍ବଲପୁର ଜିଲ୍ଲା । ସେଠାରେ ମଧ୍ୟ କଂଗ୍ରେସ କର୍ମୀମାନେ ଏହି ପ୍ରାର୍ଥୀଙ୍କ ଉପରେ

ଓଡ଼ିଶା ରାଜନୀତିର ଇତିହାସ . ୪୫