ପୃଷ୍ଠା:Odisha Rajanitira Itihasa.pdf/୫୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲକ୍ଷ୍ମୀନାରାୟଣ ସାହୁ ନିର୍ବାଚନ ପରିଚାଳନା କରିଥିଲେ । କଟକର ରେଭେନ୍‌ସା ମହାବିଦ୍ୟାଳୟ ହଲରେ ଦ୍ୱିତୀୟ ବିଧାନସଭାର ପ୍ରଥମ ବୈଠକ ଅନୁଷ୍ଠିତ ହେଲା ।

ଏହି ମନ୍ତ୍ରିମଣ୍ଡଳ କ୍ଷମତାକୁ ଆସିବାର ସପ୍ତାହକ ମଧ୍ୟରେ ସମସ୍ତ ରାଜନୈତିକ ବନ୍ଦୀଙ୍କୁ ଖଲାସ କରିଦେଲେ । ଆଜୀବନ କାରାଦଣ୍ଡ ଭେ।ଗ କରି ଦେଶାନ୍ତରୀ ହୋଇଥିବା ବତିଶ ଜଣ ବନ୍ଦୀଙ୍କ ଦଣ୍ଡାଦେଶକୁ ମଧ୍ୟ ଉଠାଇଦେଲେ । ଇଣ୍ଡିଆନ୍‍ ନ୍ୟାସନାଲ ଆର୍ମି (INA)ରେ ଚାକିରି କରିଥିବା ମେଡିକାଲ ଅଫିସରମାନଙ୍କୁ ପ୍ରାଦେଶିକ ମେଡିକାଲ ସର୍ଭିସରେ ଚାକିରି ଦେବାପାଇଁ ସୁବନ୍ଦୋବସ୍ତ କଲେ । ଜନସାଧାରଣ ଦାବିକଲେ ଯେ, ବର୍ମା କ୍ୟାମ୍ପରୁ ଫେରୁଥିବା ବ୍ୟକ୍ତିମାନଙ୍କୁ ଯୋଗ୍ୟତା ଅନୁସାରେ ସରକାରୀ କର୍ମ ଯୋଗାଇ ଦିଆଯାଉ । ୧୯୪୬ ମସିହା ମଇ ମାସ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣକଲେ- ୧୯୪୨-୪୩ ଭାରତଛାଡ଼ ଆନ୍ଦୋଳନ ସମୟରେ ଗାଁ ଗଣ୍ଡାରୁ ଆଦାୟ ହେଇଥିବା ଜୋରିମାନାକୁ ସେହି ଗ୍ରାମର ଲୋକଙ୍କୁ ଫେରାଇ ଦିଆଯିବ । ଏହି ମର୍ମରେ ସମସ୍ତ ଜିଲ୍ଲାପାଳଙ୍କୁ ଆଦେଶନାମା ପଠେଇ ଦିଆଗଲା ।

ଭାରତର ସ୍ୱାଧୀନତା ଆଉ ଅଳ୍ପ ସମୟ ବାକି ଅଛି ବୋଲି ଏହି ସମୟକୁ ଜଣାପଡୁଥିଲା । ପ୍ରକୃତରେ ଘଟଣାଟି ହିଁ ତାହା । ୧୯୪୬ ମସିହା ଜୁନ୍‍ ୧୬ ତାରିଖରେ ଭାରତର ଭାଇସରାୟ କେନ୍ଦ୍ରରେ ଏକ ଦୃଢ଼ ଓ ଦକ୍ଷ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିବା ନିମନ୍ତେ ପ୍ରସ୍ତାବ ରଖିଲେ । ବିଭିନ୍ନ ରାଜ୍ୟରେ ଥିବା ଦକ୍ଷ ନେତାଙ୍କୁ ଏଥିରେ ସାମିଲ କରିବା ପାଇଁ ସେ ଚିନ୍ତା ପ୍ରକଟ କଲେ । ସରକାରରେ ଯୋଗ ଦେବାପାଇଁ କଂଗ୍ରେସ ଓ ମୁସ୍‍ଲିମ୍‍ ଲିଗ୍‌ର ନେତାମାନଙ୍କୁ ବ୍ୟକ୍ତିଗତ ଚିଠି ଲେଖିଲେ । ହରେକୃଷ୍ଣ ମହତାବଙ୍କ ପାଖକୁ ଭାଇସ୍‍ରଏଙ୍କର ବ୍ୟକ୍ତିଗତ ଚିଠି ଆସିଲା । ଓଡ଼ିଶାର ବିଭିନ୍ନ ସମସ୍ୟା ଓ ହିତ ଦୃଷ୍ଟିରୁ ସେ ଏହି ସରକାରରେ ଯୋଗଦେବା ନିମନ୍ତେ ଇଚ୍ଛା ପ୍ରକାଶ କଲେ ନାହିଁ । ସର୍ଦ୍ଦାର ପଟେଲଙ୍କ ସହ ଏ ସମ୍ପର୍କରେ ଆଲେଚନା କଲେ । ଭବିଷ୍ୟତରେ ଗଡ଼ଜାତ ରାଜ୍ୟର ସମସ୍ୟା ଉପୁଜିପ।ରେ, ଏଣୁ ଏହାର ସମାଧାନ ନିମନ୍ତେ ମହତାବ ଏହି କେନ୍ଦ୍ର ସରକାରରେ ଯୋଗଦେବା ଠିକ୍‍ ନୁହେଁ ବୋଲି କେନ୍ଦ୍ରୀୟ କଂଗ୍ରେସ କମିଟି ଉପଲବ୍ଧି କଲେ । ଫଳରେ ୨୨.୬.୧୯୪୬ ତାରିଖରେ ହରେକୃଷ୍ଣ ମହତାବ ଭାଇସରାୟଙ୍କୁ ଲେଖିଲେ କି-

୫୦ . ଓଡ଼ିଶା ରାଜନୀତିର ଇତିହାସ