ପୃଷ୍ଠା:Odisha Rajanitira Itihasa.pdf/୫୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

"ବ୍ୟକ୍ତିଗତ ଅସୁବିଧା କାରଣରୁ ସେ କେନ୍ଦ୍ରର ଏହି ମଧ୍ୟବର୍ତ୍ତୀ ସରକାରରେ ଯୋଗଦେଇ ପାରିବେ ନାହିଁ ।" କେନ୍ଦ୍ରକୁ ମହତାବଙ୍କ ଯିବା ପ୍ରସ୍ତାବ ବନ୍ଦ ହୋଇଗଲା ।

ଏହା ପରେ ସମ୍ବିଧାନ ସଭା ନିମନ୍ତେ ସଭ୍ୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲା । ଓଡ଼ିଶାରୁ ୯ଜଣ ସଭ୍ୟ ଏଥିପାଇଁ ମନୋନୀତ ହେବା କଥା । ୧୭.୭.୧୯୪୬ରେ ସମ୍ବିଧାନ ବିଧାୟକ ସଭା ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେଲା । ଏଥିପାଇଁ ୨୭ଜଣ ପ୍ରାର୍ଥୀ ଥିଲେ । କଂଗ୍ରେସ ସଂଖ୍ୟାଗରିଷ୍ଠ ଦଳ ଥିବାରୁ ୯ ଜଣଙ୍କୁ ସର୍ବସମ୍ମତି କ୍ରମେ ଓଡ଼ିଶାରୁ ପଠାଗଲା । ସେମାନେ ହେଲେ, ହରେକୃଷ୍ଣ ମହତାବ, ଶାନ୍ତନୁ କୁମାର ଦାସ, ମାଳତୀ ଚୌଧୁରୀ, ରାଜକୃଷ୍ଣ ବୋଷ, ବୋଧିରାମ ଦୁବେ, ନନ୍ଦକିଶୋର ଦାସ, ଭୁବନାନନ୍ଦ ଦାସ, ବିଶ୍ୱନାଥ ଦାସ ଓ ଲକ୍ଷ୍ମୀ ନାରାୟଣ ସାହୁ ।

ଦ୍ୱିତୀୟ ବିଧାନସଭା ନିର୍ବାଚନରେ ଦୁଇଜଣ ମହିଳା ଶ୍ରୀମତୀ ପ୍ରିୟମ୍ବଦା ଦେବୀ କଟକ ନଗର ମହିଳା ଆସନରୁ ଓ ଶ୍ରୀମତୀ ଏ. ଲକ୍ଷ୍ମୀବାଈ ବ୍ରହ୍ମପୁର ମହିଳା ଆସନରୁ ନିର୍ବାଚିତ ହୋଇ ଆସିଲେ । ଶ୍ରୀମତୀ ଏ. ଲକ୍ଷ୍ମୀବାଈ ଦ୍ୱିତୀୟବାର ନିର୍ବାଚତ ହୋଇ ଉପ-ବାଚସ୍ପତି ହେଲେ । ସରଳାଦେବୀଙ୍କ ସ୍ଥାନରେ ପ୍ରିୟମ୍ବଦା ଦେବୀ ନିର୍ବାଚିତ ହୋଇ ଆସିଲେ । ଦୁଇଜଣଯାକ କଂଗ୍ରେସ ଦଳର ସଭ୍ୟା ।

ପ୍ରିୟମ୍ବଦା ଦେବୀ :

ପ୍ରିୟମ୍ବଦା ଦେବୀଙ୍କର ଜନ୍ମ ୧୮୯୮ରେ କଟକ ଜିଲ୍ଲାର ସତ୍ୟଭାମାପୁର ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପରିବାରରେ । ସେ ଜଣେ ସାହିତ୍ୟିକା । ତାଙ୍କ ପିତାଙ୍କ ନାମ ନାରାୟଣ ଦାସ । ପ୍ରିୟମ୍ବଦା ଦେବୀ ମଧୁବାବୁଙ୍କର ଝିଆରୀ ହେବେ । ସେ ୧୯୨୪ ମସିହାରେ ବାନର ସେନା ଗଠନ କରି ସ୍ୱ।ଧୀନତା ସଂଗ୍ରାମକୁ ସାହାଯ୍ୟ କରିିଥିଲେ । ୧୯୩୦ ମସିହାରେ ଗିରଫ ହୋଇ ତିନିମାସ କାରାବରଣ କଲେ । ୧୯୩୨ ମସିହାରେ ପୁନର୍ବାର ଜେଲ ଗଲେ । ଏଥର ଜେଲରେ ଚାରି ମାସ ରହିଲେ । ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ ସ୍ୱମୀ ଭାଗୀରଥି ଦାସଙ୍କ ସହ ଗିରଫ ହୋଇ ଯାଜପୁର ସ୍ପେଶାଲ ମାଜିଷ୍ଟ୍ରେଟ୍‍ଙ୍କ ଦ୍ୱାରା ବିଚାର ହୋଇ ଛ'ମାସ କାରାବରଣ କଲେ । ତାଙ୍କର ଶ୍ୱଶୁରଘର ରମ୍ପାଗ୍ରାମ, ପୋ.ଅ. ବରୀ ଜିଲ୍ଲା କଟକ । ୧୯୯୯ଜୁଲାଇ ୮ ତାରିଖରେ କଟକ ସହର ସ୍ଥିତ ବାସଭବନରେ ୧୦୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି ।

ଓଡ଼ିଶା ରାଜନୀତିର ଇତିହାସ . ୫୧