ପୃଷ୍ଠା:Odisha Rajanitira Itihasa.pdf/୬୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଥିଲେ । ରାଜକୁମାର ବ୍ୟାଘ୍ରକୁ ବଧ କରି ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କଲେ । ଫଳରେ ଲୋକେ ସେଠାକାର ରାଜା ଭାବରେ ତାଙ୍କୁ ବରଣ କଲେ । ଏ ରାଜବଂଶର ସନ୍ତକ ବାଘମୁଣ୍ଡ । ସେହିଦିନଠାରୁ ଦେଶ ସ୍ୱାଧୀନ ହେବାଯାଏ ଏ ରାଜ୍ୟରେ ପ୍ରାୟ ୨୪ ଜଣ ରାଜା ରାଜପଣ କରିଯାଇଛନ୍ତି । ଏହାର ଶେଷ ସ୍ୱାଧୀନ ରାଜା କୃଷ୍ଣଚନ୍ଦ୍ର ସିଂହ ମାନ୍‍ଧାତା । ତାଙ୍କର ଜନ୍ମ ୧୯୧୧ ମସିହା ଅଗଷ୍ଟ ୧୫ ତାରିଖ । ସେ ଗାଦିନସୀନ ହେଲେ ୧୯୧୮ ମସିହା ଡ଼ିସେମ୍ବର ୭ ତାରିଖ ଦିନ ନାବାଳକ ଥିବା ସମୟରେ । ସେ ନେପାଳରେ ବିବାହ କରିଥିଲେ । ଏ ରାଜ୍ୟର କ୍ଷେତ୍ରଫଳ ୫୯୦ ବର୍ଗମାଇଲ । ଏଠାରେ ୫୬୫ ଗ୍ରାମ ରହିିଲା । ନୟାଗଡ଼ ଥିଲା ଏହାର ରାଜଧାନୀ । ଇଟାମାଟି ହେଲା ପ୍ରଧାନ ବାଣିଜ୍ୟ କେନ୍ଦ୍ର । ଏ ରାଜ୍ୟରେ ରଘୁନାଥଜୀଉ ଓ ଲଡୁକେଶ୍ୱର ମହାଦେବଙ୍କ ମନ୍ଦିର ବିଦ୍ୟମାନ ।

ଗାଙ୍ଗପୁର ଗଡ଼ଜାତ ରାଜ୍ୟର କ୍ଷେତ୍ରଫଳ ୨୪୯୨ ବର୍ଗମାଇଲ । ଏ ରାଜ୍ୟର ଗ୍ରାମ ସଂଖ୍ୟା ୧୧୧୮ । ସୁନ୍ଦରଗଡ଼ ଏହି ରାଜ୍ୟର ରାଜଧାନୀ । ଏ ରାଜ୍ୟ ଏକଦା ସମ୍ବଲପୁର ଅଧୀନରେ ଥିଲା । ୧୮୦୩ରେ ମରହଟ୍ଟାମାନଙ୍କ ହାତରୁ ଏହା ଇଂରେଜମାନଙ୍କ ହାତକୁ ଆସି ପୁନର୍ବାର ୧୮୦୭ ମସିହାରେ ମରହଟ୍ଟାମାନଙ୍କ ହାତକୁ ଚାଲିଯାଇଥିଲା । ୧୯୦୫ରେ ଗାଙ୍ଗପୁର ଛୋଟନାଗପୁରରୁ ବିଚ୍ଛିନ୍ନ ହୋଇ ଓଡ଼ିଶା ସହିତ ମିଶିଲା । ଏ ରାଜ୍ୟର ପ୍ରଧାନ ଅଧିବାସୀ ଭୂୟାଁ ଜାତି । ଏ ରାଜ୍ୟର ଶେଷ ସ୍ୱାଧୀନ ରାଜା ଶ୍ରୀ ବୀରମିତ୍ର ପ୍ରତାପ ଶେଖର ଦେଓ । ୧୯୩୦ରେ ସେ ସିଂହାସନ ଆରୋହଣ କରିିଥିଲେ । ସେ ହେଉଛନ୍ତି ଗଙ୍ଗବଂଶୀ । ଭୂୟାଁମାନେ ଏ ରାଜ୍ୟର ପ୍ରଧାନ ଅଧିକାରୀ । ଭୂୟାଁମାନଙ୍କ ମୁହଁରୁ ଶୁଣାଯାଏ ଯେ, ଉତ୍କଳର ଜଣେ କେଶରୀବଂଶୀୟ ସାମନ୍ତ ଏ ରାଜ୍ୟକୁ ପ୍ରଥମେ ଶାସନ କରୁଥିଲେ । ତାଙ୍କର ବଂଶ ଲୋପପାଇବାରୁ ଲୋକେ ଶିଖର ଭୂମିରୁ ଶିଖର ବଂଶର ଜଣେ ବାଳକକୁ ଅପହରଣ କରିଆଣି ରାଜା କରିଥିଲେ । ସେହି ବଂଶ ଶେଷଯାଏ ଏ ରାଜ୍ୟର ଶାସନକର୍ତ୍ତା ବା ରାଜା ଭାବରେ ବିବେଚିତ ।

ବୌଦ୍ଧ ଏକ ପ୍ରାଚୀନ ଗଡ଼ଜାତ ରାଜ୍ୟ । ଆଦିମ କାଳରୁ ଏହି ରାଜ୍ୟ ଏକ କନ୍ଧ ରାଜ୍ୟ ଥିଲା । କୁହାଯାଏ, ପ୍ରାୟ ହଜାରେ ବର୍ଷ ତଳେ ଜଣେ ବ୍ରାହ୍ମଣ ଏହି ରାଜ୍ୟରେ ପ୍ରବେଶ କରି କନ୍ଧମାନଙ୍କୁ ଦକ୍ଷିଣ ଅଞ୍ଚଳକୁ ତଡ଼ିଦେଲେ । ସ୍ୱାଧୀନତା ପର୍ଯ୍ୟନ୍ତ ଏହି ବ୍ରାହ୍ମଣବଂଶୀୟ ୭୨ ଜଣ ରାଜା ଏ ରାଜ୍ୟକୁ ଶାସନ କରିଛନ୍ତି । ବୌଦ୍ଧ ଥିଲା ଏକ ବିରାଟ ରାଜ୍ୟ । କାଳକ୍ରମେ ପଡେ଼ାଶୀ ରାଜାମାନେ ଏହି ରାଜ୍ୟରୁ ଖଣ୍ଡିଏ ଖଣ୍ଡିଏ ଦଖଲ କରି ନିଜ ରାଜ୍ୟରେ ମିଶାଇ ଦେଇଛନ୍ତି । ଏ ବଂଶର ରାଜାମାନେ ଜଙ୍ଗଲ ପରିଷ୍କାର କରି ରାଜ୍ୟସ୍ଥାପନ କରିିଥିବାରୁ 'ଭଞ୍ଜ' ଉପାଧି ଲାଭକରିଥିଲେ । ରାଜା ପୀତାମ୍ବର ଦେଓ କନ୍ଧମାଳର କନ୍ଧମାନଙ୍କ ନରବଳି ପ୍ରଥା ବନ୍ଦ କରି ନପାରି କନ୍ଧମାଳକୁ ୧୮୩୫ ମସିହାରେ ଇଂରେଜମାନଙ୍କୁ ଅର୍ପଣ କରିଥିଲେ । ଫଳରେ କନ୍ଧମାଳ ଅନୁଗୁଳ ଜିଲ୍ଲା ଅନ୍ତର୍ଭୁକ୍ତ ହେଲା । ଏ ରାଜ୍ୟର ଆୟତନ ୧୨୬୪ ବର୍ଗମାଇଲ । ଏଥିରେ ଥିଲା ୧୦୨୯ଟି ଗ୍ରାମ । ବୌଦ୍ଧର ଶେଷ ସ୍ୱାଧୀନ ରାଜା ନାରାୟଣ ପ୍ରସାଦ ଦେଓ ୧୯୦୪ ମାର୍ଚ୍ଚ ୧୪ ତାରିଖରେ ଜନ୍ମ ଗ୍ରହଣ କରି ୧୯୧୩ ମସିହା ମାର୍ଚ୍ଚ ୧୦ ତାରିଖରେ ସିଂହାସନ ପାଇଥିଲେ ।

ଓଡ଼ିଶା ରାଜନୀତିର ଇତିହାସ . ୬୧