ପୃଷ୍ଠା:Odisha Rajanitira Itihasa.pdf/୬୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରାଜା ରାଜୁତି କରିିଥିଲେ । ଖଣ୍ଡପଡ଼ାର ଶେଷ ସ୍ୱାଧୀନ ରାଜା ହରିହର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ । ୧୯୧୪ ମସିହା ଅଗଷ୍ଟ ୨୬ ତାରିଖରେ ସେ ଜନ୍ମହୋଇ ୧୯୨୨ରେ ସିଂହାସନ ଅଧିକାର କରିିଥିଲେ । ଏ ରାଜ୍ୟର ରାଜାଙ୍କ ଚିହ୍ନ ବାଘମୁଣ୍ଡ । ଏ ରାଜ୍ୟ ବିଶ୍ୱବିଖ୍ୟାତ ଓଡ଼ିଆ ବୈଜ୍ଞାନିକ ପଠାଣି ସାଆନ୍ତଙ୍କ ଜନ୍ମଭୂମି । ଏ ରାଜ୍ୟ ବହୁକାଳ କୋର୍ଟ ଅଫ୍‍ ଓ୍ୟାର୍ଡରେ ଥିବାରୁ ଏ ରାଜ୍ୟର ଅଶେଷ ଉନ୍ନତି ହୋଇଥିଲା । ଏ ରାଜ୍ୟର କଣ୍ଟିଲୋ ଏକ ପ୍ରସିଦ୍ଧ ଗ୍ରାମ । ଏଠାରେ ନୀଳମାଧବଙ୍କ ମନ୍ଦିର ବିଦ୍ୟମାନ । ଉତ୍ତମ କଂସା ବାସନ ନିମନ୍ତେ କଣ୍ଟିଲୋ ସୁପ୍ରସିଦ୍ଧ । ପ୍ରଧାନ ଗ୍ରାମ ହେଲା ପଦ୍ମାବତୀ । ଏହା ଏକ ବାଣିଜ୍ୟ ପେଣ୍ଠସ୍ଥଳୀ ।

ହିନ୍ଦୋଳ ଗଡ଼ଜାତ ରାଜ୍ୟ ୧୫୬୦ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ଶେଷ ସ୍ୱାଧୀନ ନରପତି ମୁକୁନ୍ଦଦେବ ହରିଚନ୍ଦନଙ୍କ ସମୟରେ ପ୍ରତିଷ୍ଠା ହୋଇଥିଲା । ଏ ରାଜ୍ୟର ପ୍ରତିଷ୍ଠାତା ଥିଲେ ଉଦ୍ଧବ ଦେବ ଜେନାମଣି । ସ୍ୱାଧୀନତା ଲାଭ ପର୍ଯ୍ୟନ୍ତ ଏ ରାଜ୍ୟରେ ୨୮ ଜଣ ରାଜା ରାଜତ୍ୱ କରିଛନ୍ତି । ଏହି ରାଜାମାନେ ଗଙ୍ଗବଂଶୀ । କଟାର ଏମାନଙ୍କର ରାଜବଂଶର ସନ୍ତକ । ଏହାର କ୍ଷେତ୍ରଫଳ ୩୧୨ ବର୍ଗମାଇଲ । ଗ୍ରାମ ସଂଖ୍ୟା ୧୪୯ । ରାଜ୍ୟର ରାଜଧାନୀ ହିନ୍ଦୋଳଗଡ଼ । ରାସୋଳ ପ୍ରଧାନ ଗ୍ରାମ । ଶେଷ ସ୍ୱାଧୀନ ରାଜା ନବ କିଶୋର ଚନ୍ଦ୍ର ମର୍ଦ୍ଦରାଜ ଜଗଦେବ । ୧୮୯୧ ମସିହା ଜୁନ୍‍ ୧୪ ତାରିଖରେ ସେ ଜନ୍ମହୋଇ ୧୯୦୬ ମସିହା ଫେବ୍ରୁଆରି ୧୦ ତାରିଖରେ ରାଜଗାଦିରେ ଅଧିଷ୍ଠିତ ହୋଇଥିଲେ ।

ଷଢ଼େଇକଳା ଗଡ଼ଜାତ ରାଜ୍ୟର ଆୟତନ ୪୯୯ ବର୍ଗମାଇଲ । ଏହା ଏକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ । ଷଢେ଼ଇକଳା ଏ ରାଜ୍ୟର ରାଜଧାନୀ । ଏଠାରେ ହାଇସ୍କୁଲ ଓ ଡ଼ାକ୍ତରଖାନା ସେ କାଳରେ ପ୍ରତିଷ୍ଠା ହୋଇଥିଲା । ଖରସୁଆଁର କ୍ଷେତ୍ରଫଳ ୧୫୩ ବର୍ଗମାଇଲ । ଏହା ଏକ କ୍ଷୁଦ୍ର ଗଡ଼ଜାତ ହେଲେ ବି ଓଡ଼ିଆଭାଷାଭାଷୀ ଅଞ୍ଚଳ ।

ଓଡ଼ିଶାର ତତ୍‍କାଳୀନ ଗଡ଼ଜାତ ରାଜ୍ୟଗୁଡ଼ିକ ମଧ୍ୟରୁ ମୟୂରଭଞ୍ଜ, ସୋନପୁର, ବାମଣ୍ଡା, ଢେଙ୍କାନାଳ, ତାଳଚେର, ଆଠମଲ୍ଲିକ ଆଦିର ଶାସକମାନେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ବିଶେଷ ତ‌ତ୍ପର ଥିଲେ ।

***

୬୬ . ଓଡ଼ିଶା ରାଜନୀତିର ଇତିହାସ