ପୃଷ୍ଠା:Odisha Rajanitira Itihasa.pdf/୬୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସପ୍ତମ ପରିଚ୍ଛେଦ
ଗଡ଼ଜାତ ମିଶ୍ରଣ ଓ ଷ୍ଟେଟ୍‍ ବିଧାନସଭା

ଦେଶ ସ୍ୱାଧୀନ ହେଲା । ଚାରିଆଡେ଼ ଖେଳିଗଲା ଆନନ୍ଦ ଲହରୀ । ସ୍ୱାଧୀନ ଭାରତ ଅଗ୍ରସର ହେଲା ଏକ ନୂତନ ଐତିହାସିକ ମାର୍ଗରେ । କେନ୍ଦ୍ର ବ୍ୟବସ୍ଥାପକ ସଭା ଓ ପ୍ର।ଦେଶିକ ବିଧାନସଭାଗୁଡିକର ଭୂମିକା ହୋଇ ପଡ଼ିଲା ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାର ପ୍ରଥମ ସାମ୍ବିଧାନିକ ରାଜ୍ୟପାଳ ଭାବରେ ଡକ୍ଟର କୈଳାସ ନାଥ କାଟ୍‍ଜୁ ଯୋଗଦାନ କଲେ ସ୍ୱାଧୀନତାପ୍ରାପ୍ତି ଦିବସ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ।

ଓଡ଼ିଶାର ରାଜଧାନୀ କଟକ ନଗରୀରେ ଅଗଷ୍ଟ ୨୭ ତାରିଖ ପ୍ରଭାତରେ ଅନୁଷ୍ଠିତ ହେଲା ଓଡ଼ିଶା ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ । ରାଜ୍ୟପାଳ ଏହି ଅଧିବେଶନରେ ଉଦ୍‍ବୋଧନ ଦେଲେ । ସର୍ବପ୍ରଥମେ ସେ ଦେଶର ଅଗଣିତ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଲେ କଷ୍ଟଲବ୍ଧ ସ୍ୱାଧୀନତା ପାଇଁ ।

ମାନ୍ୟବର ରାଜ୍ୟପାଳ ତାଙ୍କ ଭାଷଣରେ କହିଲେ, 'ପ୍ରଦେଶର ସୀମା ନିର୍ଦ୍ଧାରଣ, ଏକୀକରଣ ଓ ସଂସ୍କୃତିର ସୁରକ୍ଷା ନିମନ୍ତେ ସମସ୍ତ ଓଡ଼ିଆ ଲୋକ ମିଳିତ ହୋଇ କାର୍ଯ୍ୟକରିବା ଉଚିତ । ତାହାହେଲେ ପ୍ରଦେଶ ଲାଭ କରିବ ଉତ୍ତମ ଶାସନସେବା । ଲୋକଙ୍କର ଦ୍ରୁତ ଉନ୍ନତି ଘଟିବ, ଭାରତର ସ୍ୱାର୍ଥ ବଜାୟ ରହିବ । ଶୀଘ୍ର ଓଡ଼ିଶା ପ୍ରଦେଶରେ ହାଇକୋର୍ଟ, ଅନ୍ୟାନ୍ୟ ବୈଷୟିକ ସଂସ୍ଥା ଓ ସ୍ୱତନ୍ତ୍ର ଅନୁଷ୍ଠାନମାନ ପ୍ରତିଷ୍ଠାହେବାର ଜରୁରୀ ଆବଶ୍ୟକତା ରହିଛି । ଗଡ଼ଜାତ ରାଜ୍ୟମାନେ ପ୍ରଦେଶ ସହ ଉତ୍ତମ ସଂପର୍କ ସ୍ଥାପନ କଲେ ଏହି ପ୍ରସ୍ତାବିତ ଅନୁଷ୍ଠାନଗୁଡ଼ିକ ଅବିଳମ୍ବେ ପ୍ରତିଷ୍ଠା ହୋଇପାରିବ । ଗଡ଼ଜାତ ରାଜ୍ୟ ଓ ପ୍ରଦେଶ ପୂର୍ଣ୍ଣପ୍ରାଣରେ ଏକାଠି ହେଲେ ବଡ଼ବଡ଼ ଯୋଜନା, ପ୍ରକଳ୍ପ, ଜଳସେଚନ ଓ ଶକ୍ତି ଉତ୍ପାଦନ ଆଦି ସମ୍ଭବ ହେବ । ଯାହା ଫଳରେ କି ଭାରତବର୍ଷର ଏହି ଅଂଶର ସର୍ବାଙ୍ଗୀନ ଉନ୍ନତି ସାଧିତ ହେବା ସଙ୍ଗେ

ଓଡ଼ିଶା ରାଜନୀତିର ଇତିହାସ . ୬୭